ଅଙ୍ଗୁଠି ଭାଙ୍ଗିବା ପରେ ବିଶ୍ବକପରୁ ବାଦ୍ ପଡ଼ିବା ଆଶଙ୍କା :ଭାରତକୁ ଧାୱନ ଝଟ୍‌କା

ଦଳ ସହ ଇଂଲଣ୍ଡରେ ରହିବେ

ଲଣ୍ଡନ୍: ଅଷ୍ଟ୍ରେଲିଆ ବିପକ୍ଷରେ ଧମାକାଦାର ଶତକ ସହ ଭାରତକୁ ବିଜୟୀ କରାଇଥିବା ବାମହାତୀ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶିଖର ଧାୱନଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ଚଳିତ ବିଶ୍ବକପ୍‌ରୁ ପାଖାପାଖି ୩ ସପ୍ତାହ ପାଇଁ ବାହା‌ରି ଯାଇପାରନ୍ତି। ଭାରତ ନିଜର ପରବର୍ତୀ ମ୍ୟାଚ୍‌ ଗୁରୁବାର ନ୍ୟୁଜିଲାଣ୍ଡ୍ ବିପକ୍ଷରେ‌ ଖେଳିବ। ଏହା ପୂର୍ବରୁ ଧାୱନ ଆହତ ହେବା ଖବର କୋହଲି ବାହିନୀ ପାଇଁ ଶକ୍ତ ଝଟ୍‌କା ଭଳି ହୋଇଛି। ଧାୱନ ପରବର୍ତୀ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ତେବେ ୭ ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ତତ୍ତ୍ବାବଧାନରେ ରହିବା ପରେ ତାଙ୍କୁ ‌େନଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛି। ସଂପ୍ରତି ଧାୱନ ଦଳ ସହ ଇଂଲଣ୍ଡରେ ରହିବେ। ସ୍ଥିତି ନସୁଧୁରିଲେ ଯାଇ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରାଯିବ ବୋଲି ବିସିସିଆଇ ସଙ୍କେତ ଦେଇଛି। ଅାଘାତ ସମୟ ବଢ଼ିବା ସହିତ ଧାୱନ ଯଦି ୩ ସପ୍ତାହ ଦଳ ବାହାରେ ରହିବେ, ତେବେ ତାଙ୍କ ବିଶ୍ବକପ୍ ଅଭିଯାନ ଦୁଇଟି ମୁକାବିଲାରେ ହିଁ ଶେଷ ହୋଇଯିବ। ୩ ସପ୍ତାହ ପରେ ଭାରତ ହାତରେ ଆଉ ମାତ୍ର ୨ଟି ଲିଗ୍ ମ୍ୟାଚ୍‌ ଥିବ। ଏମିତି ହେଲେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆଫ୍‌ଗାନିସ୍ତାନ, ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ‌ଧାୱନ ଖେଳିପାରିବେ ନାହିଁ।
ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ପ୍ୟାଟ୍ କମିନ୍ସଙ୍କ ରାଇଜିଂ ବଲ୍‌ ଧାୱନଙ୍କ ବୁଢ଼ା ଆଙ୍ଗୁଠିରେ ବାଜିଥିଲା। ଏଥି ପାଇଁ ସେ ଅଷ୍ଟ୍ରେଲିଆ ବ୍ୟାଟିଂ ବେ‌ଳେ ‌‌‌କ୍ଷେତ୍ରରକ୍ଷଣ କରିପାରିନଥିଲେ। ସମ୍ପୂର୍ଣ୍ଣ ୫୦ ଓଭର ପଡ଼ିଆ ବାହାରେ ବସିବାରୁ ରବୀନ୍ଦ୍ର ଜାଦେଜାଙ୍କୁ କ୍ଷେତ୍ରରକ୍ଷଣ କରିବାକୁ ପଡ଼ିଥିଲା। ମଙ୍ଗଳବାର ଲିଡ୍‌ସରେ ତାଙ୍କ ଫୁଲା ଆଙ୍ଗୁଠିର ସ୍କାନ୍ କରାଯିବା ପରେ ସାମାନ୍ୟ ଫାଟିଥିବା ସ୍ପଷ୍ଟ ହୋଇଥିଲା। ଯାହାକୁ ସମ୍ପୂର୍ଣ୍ଣ ଠିକ୍ ହେବାକୁ ଅନ୍ୟୁନ ୩ ସପ୍ତାହ ଲାଗିଯିବ ବୋଲି ଫିଜିଓ ସୂଚନା ଦେଇଛନ୍ତି। ରବିବାର ଧାୱନ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୯ ବଲ୍‌ରୁ ୧୧୭ ରନ୍ କରିଥିଲେ। ଯାହାକି ତାଙ୍କ ତୃତୀୟ ବିଶ୍ବକପ୍‌ ଶତକ ଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ଆଇସିସି ପ୍ରତିଯୋଗିତାରେ ୬ ଶତକ ସହ ପ୍ରଭାବୀ ପ୍ରଦର୍ଶନ କରୁଥିବା ଧାୱନ ମଧ୍ୟ ୨୦୧୫ ବିଶ୍ବକପ୍‌ରେ ୨ ଶତକ ଜମାଇଥିଲେ। ମୋଟ ୨୦ଟି ଆଇସିସି ପ୍ରତିଯୋଗିତା ମ୍ୟାଚ୍‌ରୁ ଧାୱନ ୬୫.୧୫ ହାର ଏବଂ ୯୮.୨୫ ଷ୍ଟ୍ରାଇକରେଟ୍‌ରେ ୬ ଶତକ ସହିତ ୧୨୩୮ ରନ୍ କରିଛନ୍ତି। ସେହିଭଳି ବିଶ୍ବକପ୍‌ରେ ୧୦ ମ୍ୟାଚ୍‌ରୁ ୫୩.୭୦ ହାର ଏବଂ ୯୪.୨୧ ଷ୍ଟ୍ରାଇକରେଟ୍‌ରେ ୫୩୭ ରନ୍ ସଂଗ୍ରହ କରିଛନ୍ତି। ଧାୱନଙ୍କ ଅନୁପସ୍ଥିତି ନିଶ୍ଚିତ ଭାରତକୁ ଏହାର ସଫଳତମ ପ୍ରାରମ୍ଭିକ ଯୋଡ଼ିଙ୍କ ବିନା ଖେଳିବାକୁ ବାଧ୍ୟ କରିବ।
ଧାୱନଙ୍କ ଆହତ ଖବର ତାଙ୍କ ପ୍ରଶଂସକଙ୍କ ପାଇଁ ନିରାଶର କାରଣ ହୋଇଛି। ବର୍ତମାନର ପରିସ୍ଥିତି ଅନୁସା‌ରେ କିନ୍ତୁ ରୋହିତ ଶର୍ମାଙ୍କ ସହିତ ଲୋକେଶ ରାହୁଲ ପାଳି ଆରମ୍ଭ କରିବା ନିଶ୍ଚିତ ଲାଗୁଛି। ଦୀନେଶ କାର୍ତିକ କିମ୍ବା ବିଜୟ ଶଙ୍କର ମଧ୍ୟକ୍ରମରେ ଖେଳିବା ସୁଯୋଗ ପାଇପାରନ୍ତି।
ପନ୍ତ ଓ ଶ୍ରେୟସ୍‌ଙ୍କୁ ନେଇ ଚର୍ଚା
ବିସିସିଆଇ ଧାୱନଙ୍କ ବଦଳ ଖେଳାଳି ଘୋଷଣା କରିନାହିଁ। ତେବେ ସେ ବାଦ୍ ପଡ଼ିଲେ ତାଙ୍କ ସ୍ଥାନ ଦିଲ୍ଲୀର ଯୁବ ତାରକା ଋଷବ ପନ୍ତ ନେଇପାରନ୍ତି। ଏଥିନେଇ କୌଣସି ଅାନୁଷ୍ଠାନିକ ଘୋଷଣା କିନ୍ତୁ ବିସିସିଆଇ କରି ନାହିଁ। ସୂଚନା ମୁତାବକ ଚୟନକର୍ତାମାନେ ଶ୍ରେୟସ ଆୟର କିମ୍ବା ଋଷବ ପନ୍ତ୍‌ଙ୍କ ନାମକୁ ସର୍ବାଗ୍ରେ ରଖିଛନ୍ତି। କିନ୍ତୁ ବିଶ୍ବକପ୍‌ ଲାଗି ଚୟନକର୍ତାମାନେ ପୂର୍ବରୁ ସଂରକ୍ଷିତ ଖେଳାଳି ଭାବେ ଅମ୍ବାତି ରାୟୁଡୁ, ଋଷବ ପନ୍ତ୍‌, ଅକ୍ଷର ପଟେଲ୍‌, ଈଶାନ୍ତ ଶର୍ମା ଏବଂ ନଭଦୀପ ସଇନିଙ୍କୁ ରଖିଥିବାରୁ ଏମାନଙ୍କ ମଧ୍ୟରୁ ଜଣେ ଯିବାର ହକ୍‌ଦାର। ଏମାନଙ୍କ ମଧ୍ୟରୁ କେହି ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ହୋଇନଥିବାରୁ ଭାରତ ବିକଳ୍ପ ‌ଖୋଜିଛି। କିନ୍ତୁ ଭାରତ ‘ଏ’ ଅଧିନାୟକ ତଥା ୪ ନମ୍ବର ସ୍ଥାନ ପାଇଁ ଫିଟ୍‌ ଶ୍ରେୟସ ଆୟର ଏବେ ଇଂଲଣ୍ଡରେ ଥିବାରୁ ସ‌ୁଯୋଗ ହାତେଇ ପାରନ୍ତି। କିନ୍ତୁ ଋଷବ ପନ୍ତ୍ ତୁରନ୍ତ ଇଂଲଣ୍ଡ ପହଞ୍ଚିବାକୁ ପ୍ରସ୍ତୁତ ହେଉଥିବା ଶେଷ ଖବରରୁ ସୂଚନା ମିଳିଛି। ରୋହିତ-ରାହୁଲ ପାଳି ଆରମ୍ଭ କଲେ ଏହି ୨୧ ବର୍ଷୀୟ ବାମହାତୀ ବିସ୍ଫୋରକ ବ୍ୟାଟସମ୍ୟାନ୍‌ ୪ ନମ୍ବରରେ ଖେଳିବା ନିଶ୍ଚିତ‌ ହୋଇଯିବ।
ଭାରତ ପାଇଁ ଆଉ ଏକ ଚିନ୍ତା ହେଉଛି ଯଦି ଦଳୀୟ ମ୍ୟାନେଜମେଣ୍ଟ୍ ଧାୱନଙ୍କ ବଦଳ ଖେଳାଳି ବାଛିବ ତେବେ ସେ ଫିଟ୍ ହୋଇଗଲେ ବି ଆଉ ଫେରିବା କାଠିକର ପାଠ ହେବ। ନକ୍ ଆଉଟ୍ ମ୍ୟାଚ୍‌ ବେଳକୁ ସେ ଉପଲବ୍‌ଧ ଥିଲେ ବି ଖେଳିପାରିବେ ନାହିଁ। ଏହି କାରଣରୁ ଧାୱନଙ୍କ ବିକଳ୍ପ ଖେଳାଳି ବାଛିବାରେ ମଧ୍ୟ ବିଳମ୍ବ କରାଯାଇଛି। ଆଉ ଦିନେ ଦୁଇ ଦିନ ପରେ ଧାୱନଙ୍କ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ବିସିସିଆଇ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର