ଜୋହାନେସବର୍ଗରେ ଧାଓ୍ଵନଙ୍କ ଧମାକା

ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକାରେ ପ୍ରଥମ ସୀମିତ ଓଭର ଶତକ ସହିତ ଶିଖର ଧାଓ୍ଵନ ନିଜର ୧୦୦ତମ ଦିନିକିଆକୁ ସ୍ମରଣୀୟ କରିଦେଲେ। ପ୍ରଥମ ଭାରତୀୟ ଭାବେ ୧୦୦ତମ ମ୍ୟାଚ୍‌ରେ ଶତକ ଅର୍ଜନ କଲେ ଏବଂ ଅଧିନାୟକ ବିରାଟ କୋହଲିଙ୍କ ସହିତ ୧୫୮ ରନ୍‌ ଭାଗୀଦାରି କଲେ। କିନ୍ତୁ ଭାରତ ଚତୁର୍ଥ ଦିନିକିଆରେ ୨୮୯ ରନ୍‌ରେ ଅଟକି ଯିବାରୁ ବ୍ୟାଟିଂ ପସନ୍ଦ ସେଞ୍ଚୁରିଅନ୍‌ ପିଚ୍‌ରେ ପ୍ରଶଂସକଙ୍କ ମନ ଉଣା ହୋଇଛି। ଅବଶ୍ୟ ବର୍ଷା ହିଁ ଭାରତୀୟ ବ୍ୟାଟିଂର ଲୟ ବିଗାଡ଼ି ଦେବାରୁ କୋହଲି ଦଳ ଆଶାଠାରୁ ୩୦/୪୦ ରନ୍‌ କମ କରିଥିଲା। ରିପୋର୍ଟ ଲେଖା ବେଳକୁ ଦକ୍ଷିଣ ଆଫ୍ରିକା ୭.୨ ଓଭରରେ ଗୋଟିଏ ଓ୍ଵିକେଟ୍‌ ବିନିମୟରେ ୪୩ ରନ୍‌ କରି ନେଇଛି। ଟସ୍‌ ଜିତି କୋହଲି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ରୋହିତ ଶର୍ମା (୫)ଙ୍କ ଭାଗ୍ୟରେ କୌଣସି ପରିବର୍ତନ ହେଲା ନାହିଁ। ରବାଦାଙ୍କୁ ଲେଉଟାଣୀ କ୍ୟାଚ୍‌ ଦେଇ ରୋହିତ ପୁଣି ନିରାଶ ହୋଇଥିଲେ। କିନ୍ତୁ ଶିଖର ଧାଓ୍ଵନ ଏବଂ ବିରାଟ କୋହଲି ଦ୍ୱିତୀୟ ଓ୍ଵିକେଟ୍‌ ଭାଗୀଦାରିରେ ୧୫୮ରନ୍‌ ଯୋଡ଼ି ଘରୋଇ ବୋଲରଙ୍କୁ ସଂଘର୍ଷ କରାଇଥିଲେ। ଅର୍ଧଶତକ ହାସଲ କରିବା ପରେ ଶତକ ହାତଛଡ଼ା କରୁଥିବାର ଦୋଷ ଧାଓ୍ଵନଙ୍କ ନାମରେ ଥିଲା। ଚଳିତ ଶୃଙ୍ଖଳାରେ ସେ ୩୫, ୫୧*, ୭୬ ରନ୍‌ କରିସାରିଥିଲେ। ଏବେ ନିଜର ୧୦୦ତମ ଦିନିକିଆରେ ଆଗକୁ ବଢ଼ି ୧୦୯ ରନ୍‌ର ପାଳି ଖେଳିଥିଲେ। ୧୩ତମ ଶତକ ଦିନିକିଆ କିନ୍ତୁ ଥିଲା ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ। ୧୦୫ ବଲ୍‌ ଖେଳି ୧୧ ଚୌକା ଏବଂ ୨ ଛକା ସହାୟତାରେ ସେ ଛୁଇଁଥିଲେ ଏହି ମାଇଲଖୁଣ୍ଟ। ବିରାଟ କୋହଲି (୭୫, ୮୩ ବଲ୍‌, ୭ ଚୌକା, ୧ ଛକା)ଙ୍କ ସହ ତାଙ୍କ ଦେଢ଼ ଶହ ଭାଗୀଦାରି ଭାରତକୁ ସମ୍ଭାବ୍ୟ ୩୩୦/୪୦ ଆଡ଼କୁ ନେଉଥିଲା। କିନ୍ତୁ ୩୪.୨ ଓଭରରେ ଭାରତ ୨୦୦/୨ରେ ଥିବାବେଳେ ଖରାପ ପାଗ ଏବଂ ବର୍ଷା ପାଇଁ ପ୍ରାୟ ଘଣ୍ଟା କାଳ ମ୍ୟାଚ୍‌ ବନ୍ଦ ରହିବାରୁ ଭାରତ ହାତରେ ଥିବା ଲୟ ଦିଗହରା ହୋଇଯାଇଥିଲା। ଏହି ବିରତିର ଠିକ ପୂର୍ବରୁ କୋହଲିଙ୍କ ଆଉଟ୍‌ ହୋଇଥିଲେ। ପରେ ଦକ୍ଷିଣ ଆଫ୍ରିକା ବୋଲର ଭାରତୀୟଙ୍କୁ ନିୟନ୍ତ୍ରଣରେ ରଖିଥିଲେ। ରାହାଣେ (୮), ଆୟର (୧୮), ପାଣ୍ଡ୍ୟା (୯)ଙ୍କ ବିଫଳତା ପରେ ଶେଷ ଭାଗରେ ମହେନ୍ଦ୍ର ସିଂହ ଧୋନି (୪୨*, ୪୩ ବଲ୍‌, ୩ ଚୌକା, ୧ ଛକା) ଭାରତକୁ ୨୮୯/୭ରେ ସୀମିତ ରଖିଥିଲେ। ରବାଦା ଏବଂ ଏନଗିଡି ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଭାରତ ବାଧ୍ୟବାଧକତାରେ ଶେଷ ମୁହୂର୍ତରେ ଆହତ କେଦାର ଯାଦବଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ଖେଳାଇଥିଲା। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଏବି ଡି’ଭିଲିୟର୍ସଙ୍କ ପାଇଁ ଖୟା ଜୋଣ୍ଡୋଙ୍କୁ ବସାଇଥିଲା। ଘରୋଇ ଦଳର ଦ୍ୱିତୀୟ ପରିବର୍ତନ ଥିଲେ ସ୍ପିନର ଇମ୍ରାନ୍‌ ତାହିର। ତାଙ୍କ ସ୍ଥାନରେ ଅତିରିକ୍ତ ଦ୍ରୁତ ବୋଲର ଭାବେ ଖେଳିଥିଲେ ମର୍ନି ମର୍କେଲ। ଦଳର ସ୍ପିନ୍‌ ଭାର ସମ୍ଭାଳିଥିଲେ କେବଳ ଜେପି ଡୁମିନି।

୧୦୦ରେ ୧୦୦ ଧାଓ୍ଵନ ପ୍ରଥମ ଭାରତୀୟ
ଜୋହାନେସବର୍ଗ ମୁକାବିଲା ଥିଲା ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନଙ୍କ ଶତକୀୟ ଦିନିକିଆ। ଶନିବାର ୧୦୯ ରନ୍‌ର ପାଳି ଖେଳି ସେ ଏହାକୁ ପୂରା ସ୍ମରଣୀୟ କରି ଦେଇଥିଲେ। ଶତକୀୟ ମ୍ୟାଚ୍‌ରେ ଶତକ ଏବଂ ତାହା ପୁଣି ୧୦୦ରୁ ଅଧି ଷ୍ଟ୍ରାଇକ୍‌ ହାରରେ, ଧାଓ୍ଵନଙ୍କ ପାଇଁ ଏହି ପାଳି ଥିଲା ବେଶ୍‌ ସ୍ୱତନ୍ତ୍ର ଓ ମହତ୍ୱପୂର୍ଣ୍ଣ। ଏପରି କରିବାରେ ସେ ଭାରତର ପ୍ରଥମ ଖେଳାଳି ହୋଇଥିଲେ। କ୍ରିସ୍‌ ମୋରିସ୍‌ଙ୍କୁ ଚୌକା ମାରି ତିନି ଅଙ୍ଖ ଛୁଇଁଥିବା ଧାଓ୍ଵନ ଏଥିସହ ୧୦୦ତମ ମ୍ୟାଚ୍‌ରେ ଶତକ ପୂରଣ କରିଥିବା ବିଶ୍ୱର ହାତଗଣତି ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ତାଙ୍କ ପୂର୍ବରୁ େଓ୍ଵଷ୍ଟଇଣ୍ଡିଜ୍‌ର ଗଡନ ଗ୍ରିନିଜ୍‌, ନ୍ୟୁଜିଲାଣ୍ଡର କ୍ରିସ୍‌ କେନ୍ସ, ପାକିସ୍ତାନର ୟୁସୁଫ ୟୁହାନା, ଶ୍ରୀଲଙ୍କାର କୁମାର ସାଙ୍ଗାକାରା, େଓ୍ଵଷ୍ଟଇଣ୍ଡିଜର କ୍ରିସ୍‌ ଗେଲ୍‌, ଇଂଲଣ୍ଡର ମାର୍କସ ଟ୍ରେସ୍କୋଥିକ୍‌, େଓ୍ଵଷ୍ଟଇଣ୍ଡିଜର ରାମନରେଶ ସରଓ୍ଵାନ ଓ ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ଵାର୍ନର ଏଭଳି ସଫଳତା ଲାଭ କରି ସାରିଛନ୍ତି। ଶନିବାରର ଶତକ ଥିଲା ଧାଓ୍ଵନଙ୍କ ଖେଳ ଜୀବନର ତ୍ରୟୋଦଶ ଶତକ। ୩୩ ବର୍ଷୀୟ ଧାଓ୍ଵନ ୧୦୦ ଦିନିକିଆ ଖେଳି ୪୩୦୯ ରନ୍‌ କରିଛନ୍ତି। ସେଥିମଧ୍ୟରେ ରହିଛି ୧୩ ଶତକ ଓ ୨୫ ଅର୍ଧଶତକ।

ରୋହିତଙ୍କ ରବାଦା ଦୁଃଖ

ଜୋହାନେସବର୍ଗରେ ଶନିବାର ଧାଓ୍ଵନ ଧମାକା ଦେଖିବାକୁ ମିଲିଥିଲା। ହେଲେ ତାଙ୍କ ଯୋଡ଼ିଦାର ରୋହିତ ଶର୍ମାଙ୍କ ଭାଗ୍ୟ ବଦଳି ନଥିଲା। ଟେଷ୍ଟ୍‌ ଶୃଙ୍ଖଳାରୁ ଆରମ୍ଭ ହୋଇଥିବା ତାଙ୍କ ବ୍ୟକ୍ତିଗତ ବିପର୍ଯ୍ୟୟ ଧାରା ଚତୁର୍ଥ ଦିନିକିଆକୁ ଲମ୍ବିଥିଲା। ଦୁର୍ଭାଗ୍ୟଜନକ ଭାବେ ଦିନିକିଆ ଶୃଙ୍ଖଳାରେ ରୋହିତ ଲଗାତାର ତୃତୀୟ ଥର ପାଇଁ ଘରୋଇ ଦ୍ରୁତ ବୋଲର କାଗିସୋ ରବାଦାଙ୍କ ଶିକାର ହୋଇଥିଲେ। ରବାଦା ଆଜି କୌଶଳ କରି ରୋହିତଙ୍କୁ ତ୍ରୁଟି କରିବାକୁ ବାଧ୍ୟ ହୋଇଥିଲେ। ଭାରତୀୟ ପାଳିର ଚତୁର୍ଥ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲ୍‌ରେ ରୋହିତଙ୍କୁ ସେ ପୂରା ବାନ୍ଧି ରଖିଥିଲେ। ଷଷ୍ଠ ତଥା ଶେଷ ବଲ୍‌ରେ ଚକ୍‌ମା ଦେଇ କଟ୍‌ ଆଣ୍ଡ ବୋଲ୍ଡ ସହ ରୋହିତଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ। ଅସ୍ପଷ୍ଟ କ୍ୟାଚ୍‌ ପାଇଁ ପଡ଼ିଆ ଅମ୍ପାୟାର ତୃତୀୟ ଅମ୍ପାୟାରଙ୍କ ସାହାଯ୍ୟ ନେଇଥିଲେ। ଅମ୍ପାୟାରଙ୍କ ଏହି ପ୍ର୍ରୟାସ ମଧ୍ୟ ରୋହିତଙ୍କୁ ରକ୍ଷା କରି ପାରି ନଥିଲା। ଟେଲିଭିଜନ ରିପ୍ଲେରୁ ରବାଦା ଏକ ବୈଧ କ୍ୟାଚ୍‌ ନେଇଥିବା ଜଣା ପଡ଼ିବା ପରେ ଦୁଃଖର ସହ ରୋହିତ ପାଭିଲିୟନ ଫେରିଥିଲେ।

ସମ୍ବନ୍ଧିତ ଖବର