କେପଟାଉନ୍‌ ଟେଷ୍ଟ୍‌ରୁ ଧାଓ୍ଵନ ବାଦ୍‌

ପାଳି ଆରମ୍ଭ କରିବେ ବିଜୟ-ରାହୁଲ

କେପଟାଉନ: ଦକ୍ଷିଣ ଆଫ୍ରିକା ଗସ୍ତର ପ୍ରଥମ ଲଢ଼େଇ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳକୁ ବଡ଼ ଝଟ୍‌କା ଲାଗିଛି। ମଙ୍ଗଳବାର ଆହତ ହୋଇଥିବା ନିୟମିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ ଜାନୁଆରି ୫ରୁ କେପଟାଉନରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ଫଳରେ ଏହି ମ୍ୟାଚ୍‌ରେ ଦୁଇ ଦକ୍ଷିଣୀ ତାରକା ମୁରଲୀ ବିଜୟ ଏବଂ ଲୋକେଶ ରାହୁଲ ପାଳି ଆରମ୍ଭ କରିବା ନିଶ୍ଚିତ ହୋଇ ଯାଇଛି। ଗୁରୁତ୍ୱପୁର୍ଣ୍ଣ ଗସ୍ତ ପୁର୍ବରୁ ଧାଓ୍ଵନ ଆହତ ହେବା ନେଇ ଅଧିନାୟକ ବିରାଟ କୋହଲି ଅସନ୍ତୁଷ୍ଟ ଥିବା ଜଣା ପଡ଼ିଛି। ମଙ୍ଗଳବାର ମୁମ୍ବାଇରେ ଆୟୋଜିତ ହୋଇଥିବା କୋହଲିଙ୍କ ବିବାହ ଭୋଜିର ଠିକ୍‌ ପୂର୍ବରୁ ହିଁ ଧାଓ୍ଵନଙ୍କ ଅସାବଧାନତା ପାଇଁ ତାଙ୍କ ପାଦ ମୋଡ଼ି ହୋଇ ଯାଇଥିଲା। ବିଜୟ ୨୦୧୦-୧୧ ଗସ୍ତରେ ଦକ୍ଷିଣ ଆଫ୍ରିକା ଯାଇଥିବା ଭାରତୀୟ ଦଳର ସଦସ୍ୟ ଥିଲା ବେଳେ ରାହୁଲ ପ୍ରଥମ ଥର ପାଇଁ ସେହି ଦେଶର ଦ୍ରୁତ ଏବଂ ବାଉନ୍ସି ପିଚ୍‌ରେ ପାଳି ଆରମ୍ଭ କରିବେ। ଯାହା କୋହଲିଙ୍କ ଚିନ୍ତାକୁ ଟିକିଏ ବଢ଼ାଇ ଦେଇଛି। ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି ଯେ ଭାରତୀୟ ଦଳ ଏଥର ଗୋଟିଏ ହେଲେ ବି ଅଭ୍ୟାସ ମ୍ୟାଚ୍‌ ଖେଳିବ ନାହିଁ। ସିଧା ସଳଖ ଟେଷ୍ଟ ଲଢ଼େଇରେ ଅବତୀର୍ଣ୍ଣ ହେବ। ପ୍ରଥମ ଟେଷ୍ଟ ପୂର୍ବରୁ ଯାହା କେବଳ ଅଭ୍ୟାସ ଅଧିବେଶନ କରିବ। ସେଥିପାଇଁ ମଧ୍ୟ ଭାରତୀୟ ଦଳ ୪ ଜଣ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଦକ୍ଷିଣ ଆଫ୍ରିକା ନେଇଛି। ସୂଚନାଯୋଗ୍ୟ ଯେ ମୂଳ ଗସ୍ତସୂଚୀ ଅନୁଯାୟୀ ଭାରତ କେପଟାଉନରେ ଖେଳା ଯିବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଖେଳିବାର ଥିଲା। ତେବେ ସମୟ ଅଭାବ ଦର୍ଶାଇ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ଏହାକୁ ବାତିଲ କରି ଦେଇଥିଲା।

ସମ୍ବନ୍ଧିତ ଖବର