ଧାୱନ ବିଶ୍ବକପ୍‌ରୁ ବାହାର

ଭାରତୀୟ ଦଳରେ ପନ୍ତ ପ୍ରବେଶ

ଲଣ୍ଡନ: ଯାହା ଆଶଙ୍କା କରାଯାଉଥିଲା, ତାହା ହୋଇଛି। ପାଖାପାଖି ୧୦ ଦିନର କଳ୍ପନାଜଳ୍ପନା ପରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଶେଷରେ ବିଶ୍ବକପ୍‌ରୁ ଆନୁଷ୍ଠାନିକ ଭାବେ ବାଦ୍ ପଡ଼ିଛନ୍ତି। ଆଘାତ ପ୍ରାପ୍ତ ବାମହାତ ବୁଢ଼ା ଆଙ୍ଗୁଠିର ଚିକିତ୍ସା ଏବଂ ଏହାର ଉନ୍ନତିକୁ ତର୍ଜମା କରିବା ପରେ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ସେ ଠିକ୍ ହୋଇ ପାରିବେ ନାହିଁ ବୋଲି ଡାକ୍ତରମାନେ ଆକଳନ କଲେ। ଫଳରେ ବିସିସିଆଇ ଆନୁଷ୍ଠାନିକ ଭାବେ ବୁଧବାର ଏହି ଦୁଃଖଦ ନିଷ୍ପତ୍ତି ନେଇଛି। ଧାୱନ ବାଦ୍ ପଡ଼ିବା ପରେ ଯୁବ ତାରକା ଋଷବ ପନ୍ତଙ୍କର ଭାରତୀୟ ଦଳରେ ପ୍ରବେଶ ହୋଇଛି। ସେ ପ୍ରଥମ ଥର ପାଇଁ ବିଶ୍ବକପ୍ ଦଳରେ ସ୍ଥାନ ପାଇଛନ୍ତି।


ଧାୱନ ଗତ ୯ ତାରିଖର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଆଘାତ ପ୍ରାପ୍ତ ହୋଇଥିଲେ। ବିସିସିଆଇ ପନ୍ତଙ୍କୁ ତାଙ୍କ ବଦଳ ଖେଳାଳି ଭାବେ ଇଂଲଣ୍ଡ ପଠାଇଥିଲା। ହେଲେ ୧୫ ଜଣିଆ ଦଳରେ ସାମିଲ କରି ନଥିଲା। ଆଜି କିନ୍ତୁ ତାଙ୍କୁ ବିଧିବଦ୍ଧ ଭାବେ ଦଳରେ ନିଆଯାଇଛି। ଜଣେ ଦିଲ୍ଲୀ ତାରକାଙ୍କ ସ୍ଥାନ ଆଉ ଜଣେ ଦିଲ୍ଲୀ ଖେଳାଳିଙ୍କୁ ମିଳିଛି। ପନ୍ତ ପୂର୍ବରୁ ବିଶ୍ବକପ୍ ଦଳର ଷ୍ଟାଣ୍ଡବାଏ ଥିଲେ। ସଂପ୍ରତି ସମ୍ପୂର୍ଣ୍ଣ ଦଳର ସଦସ୍ୟ ହୋଇଛନ୍ତି। ଧାୱନ ଆହତ ହେବାର ଦୁଇ ଦିନ ପରେ ହିଁ ସେ ଇଂଲଣ୍ଡ ପହଞ୍ଚି ଯାଇଥିଲେ। ହେଲେ ଧାୱନ ସୁସ୍ଥ ହୋଇଯିବା ଆଶାରେ ବିସିସିଆଇ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରି ନଥିଲା। ୨୧ ବର୍ଷୀୟ ପନ୍ତଙ୍କୁ ଏବେ ଦଳ ଚୟନ ବେଳେ ବିଚାରକୁ ନିଆଯିବ। ଧାୱନଙ୍କ ବିଶ୍ବକପ୍ ଅଭିଯାନ ଶେଷ ହୋଇଯାଇଥିବା ବିସିସିଆଇ ଟ୍ବିଟ୍ କରି ସ୍ପଷ୍ଟ କରି ଦେଇଛି। ଆଇସିସି ପ୍ରତିଯୋଗିତାରେ ସର୍ବଦା ଭଲ ପ୍ରଦର୍ଶନ କରି ଆସୁଥିବା ଧାୱନ ବାଦ୍ ପଡ଼ିବା‌ କିନ୍ତୁ ଭାରତୀୟ ଦଳ ପାଇଁ ବଡ଼ ଝଟ୍‌କା ହୋଇଛି।
ସାଉଥାମ୍ପଟନରେ ବୁଧବାର ଭାରତୀୟ ଦଳର ଅଭ୍ୟାସ ବେଳେ ଧାୱନ ଉପସ୍ଥିତ ଥିଲେ। ହେଲେ ବ୍ୟାଟିଂ କରି ନଥିଲେ। ତାଙ୍କ ଅଙ୍ଗୁଳିରେ ପଟି ଭିଡ଼ା ଯାଇଥିଲା। ଡାକ୍ତରଙ୍କୁ ସେ ଦେଖା କରିବା ପରେ ଚୟନକର୍ତା ତାଙ୍କ ବି‌ଷୟରେ ଶେଷ ନିଷ୍ପତ୍ତି ନେଇଥିଲେ। ଆଘାତ ପ୍ରାପ୍ତ ହେବା ପରେ ଧାୱନ ୧୦-୧୨ ଦିନ ଖେଳି ପାରିବେ ନାହିଁ ବୋଲି ବିସିସିଆଇ କହିଥିଲା। ବିଶେଷଜ୍ଞମାନେ କିନ୍ତୁ ସେ ଫେରିବାର ଆଶା କମ ଥିବା ସ୍ପଷ୍ଟ କରି ଦେଇଥି‌ଲେ। ଭାରତୀୟ ଦଳ ଧାୱନଙ୍କୁ ଛାଡ଼ିବାକୁ ଚାହୁଁ ନଥିଲା। ସେଥିପାଇଁ ତାଙ୍କ ଚିକିତ୍ସା ପ୍ରକ୍ରିୟା ଏବଂ ସୁସ୍ଥତା ଉପରେ ନଜର ରଖା ଯାଇଥିଲା। ହେଲେ କୌଣସି ଫଳ ମିଳି ନଥିଲା। ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ଧାୱନ ପ୍ୟାଟ୍ କମିନ୍ସଙ୍କ ବାଉନ୍ସରରେ ଆହତ ହୋଇଥିଲେ। ଯନ୍ତ୍ରଣା ଭିତରେ ବ୍ୟାଟିଂ କରି ମ୍ୟାଚ୍ ବିଜୟୀ ଶତକ ଅର୍ଜନ କରିଥିଲେ। ହେଲେ କ୍ଷେତ୍ରରକ୍ଷଣ କରି ନଥିଲେ। ସେବେଠାରୁ ଆଙ୍ଗୁଠିରେ ପଟି ଗୁଡ଼େଇ ରଖିଥିଲେ। ହାଡ଼ରେ ଫାଟ ଥିବାରୁ କିନ୍ତୁ ବିଶ୍ବକପ୍ ଭିତରେ ତାହା ଠିକ୍ ହେବାର ଆଶଙ୍କା ରହିଥିଲା। ସେମିଫାଇନାଲ୍ ପୂର୍ବରୁ ସେ ହୁଏତ ସୁସ୍ଥ ହୋଇଯି‌ବେ ବୋଲି ଦଳ ଆଶା ରଖିଥିଲା।

ମୁଁ ଆଉ ବିଶ୍ବକପ୍‌ର ଅଂଶବିଶେଷ ନୁହେଁ। ଏକଥା କହିଲା ବେଳକୁ କୋହ ଆସି ଯାଉଛି। ଅଙ୍ଗୁଠି ନିର୍ଧାରିତ ସମୟ ଭିତରେ ଠିକ୍ ହେବନି, ହେଲେ ଖେଳ ଜାରି ରହିବା ଉଚିତ। ସାଥୀ ଖେଳାଳି, କ୍ରିକେଟ୍ ପ୍ରେମୀ ଏବଂ ସମଗ୍ର ଭାରତ ବର୍ଷର ଭଲ ପାଇବା ଓ ସମର୍ଥନ ପାଇଁ ମୁଁ କୃତଜ୍ଞ। ଜୟ ହିନ୍ଦ’
-ଶିଖର ଧାୱନ

ସମ୍ବନ୍ଧିତ ଖବର