ବିଶ୍ୱକପରୁ ବାଦ୍‌ ପଡ଼ିଲେ ଶିଖର ଧାଓ୍ଵନ, ଋଷଭ ପନ୍ତଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ଓପନର ଶିଖର ଧାଓ୍ଵନ୍‌ ଚଳିତ ବିଶ୍ୱକପ୍‌ର ଅବଶିଷ୍ଟାଂଶ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଶିଖର ଧାଓ୍ଵନଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିଛି। ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଧାଓ୍ଵନଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ଜୁନ ୧୬ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳି ପାରି ନଥିଲେ। ତାଙ୍କର ଚିକିତ୍ସା ଚାଲିଥିବାରୁ ପୂର୍ବରୁ ଅନୁମାନ କରାଯାଉଥିଲା ଯେ, ଧାଓ୍ଵନ ବିଶ୍ୱକପ୍‌ର କିଛି ମ୍ୟାଚ୍‌ରୁ ବାଦ୍‌ ପଡ଼ିବେ। ମାତ୍ର ଏବେ ସ୍ପଷ୍ଟ ହୋଇଯାଇଛି ଯେ, ବିଶ୍ୱକପ୍‌ ଶେଷ ହେବା ପୂର୍ବରୁ ଧାଓ୍ଵନ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରିବେ ନାହିଁ।

ରିପୋର୍ଟ ଅନୁସାରେ ଶିଖର ଧାଓ୍ଵନ ସଂପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ ଆହୁରି କିଛି ସପ୍ତାହ ଲାଗିବ ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ ସେ ଖେଳି ପାରିବ ଅବସ୍ଥାରେ ନାହାନ୍ତି। ଭାରତର ସହଯୋଗୀ କୋଚ ସଂଜୟ ବାଙ୍ଗର ପୂର୍ବରୁ କହିଥିଲେ ଯେ, ଟିମ୍‌ ପରିଚାଳନା ଚାହୁଁ ନାହିଁ ଯେ ଶିଖର ଧାଓ୍ଵନ ମ୍ୟାଚ୍‌ରୁ ବାଦ୍‌ ପଡନ୍ତୁ। ଶିଖର ଧାଓ୍ଵନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖାଯାଇଛି ବୋଲି ସେ କହିଥିଲେ।

Getty Image

ସୂଚନାଯୋଗ୍ୟ ଶିଖର ଧାଓ୍ଵନ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳୁଥିବା ବେଳେ ଆହତ ହୋଇଥିଲେ। ଅଷ୍ଟ୍ରେଲିଆର ପେଟ କମିନସ୍‌ଙ୍କ ବଲ ଧାଓ୍ଵନଙ୍କ ଆଙ୍ଗୁଠିରେ ଆଘାତ ଦେଇଥିଲା। ମ୍ୟାଚ୍‌ ପରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ। ଏକ୍ସ ଦ୍ୱାର ଶିଖର ଧାଓ୍ଵନଙ୍କ ଫ୍ୟକଚର ସଂପର୍କରେ ଜଣା ପଡ଼ିନଥିଲା। ପରେ ସିଟି ସ୍କାନରୁ ଏହା ସ୍ପଷ୍ଟ ହୋଇଥିଲା। ଶିଖର ଧାଓ୍ଵନ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୯ଟି ବଲ ଖେଳି ୧୧୭ ରନ୍‌ ସଂଗ୍ରହ କରିଥିଲେ। ଭାରତ ଏହି ମ୍ୟାଚ୍‌ରେ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୫୨ ରନ୍‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ସମସ୍ତ ଓ୍ଵିକେଟ ହରାଇ ୩୧୬ ରନ୍‌ କରିଥିଲା।

ସମ୍ବନ୍ଧିତ ଖବର