ମେ’ରୁ ଓଡ଼ିଶାରେ ଧୋନିଙ୍କ ‘କ୍ରିକେଟ୍‌ କ୍ଲିନିକ୍‌’

ନିମପୁର, କିଟ୍‌, ସମ୍ବଲପୁରରେ ଶିବିର ପାଇଁ ଯୋଜନା, ଧୋନିଙ୍କ ଏକାଡେମିରେ ପ୍ରଶିକ୍ଷଣ ସୁଯୋଗ

କଟକ: କ୍ରିକେଟ ପ୍ରତି ଆଗ୍ରହ ରଖୁଥିବା ଓ ମହେନ୍ଦ୍ର ସି˚ହ ଧୋନିଙ୍କୁ ଭଲ ପାଉଥିବା ଖେଳାଳିମାନଙ୍କ ପାଇଁ ଖୁସି ଖବର। ଆସନ୍ତା ମାସରୁ ଓଡ଼ିଶାରେ ଭାରତୀୟ ଦଳର ସଫଳ ଅଧିନାୟକ ମହେନ୍ଦ୍ର ସି˚ହ ଧୋନିଙ୍କ କ୍ରିକେଟ ଏକାଡେମି ପକ୍ଷରୁ ‘କ୍ରିକେଟ କ୍ଲିନିକ୍‌’ ଆରମ୍ଭ ହେବାକୁ ଯାଉଛି। ଏହି କ୍ଲିନିକ ଜରିଆରେ ଖେଳାଳିମାନଙ୍କ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଏକାଡେମିରେ ପ୍ରଶିକ୍ଷଣ ନେବାକୁ ସୁଯୋଗ ଦିଆଯିବ। ସେଠାରେ ଧୋନିଙ୍କ ସହ ଭାରତ ପାଇଁ ପୂର୍ବରୁ ଖେଳିଥିବା ଓ ବର୍ତ୍ତମାନ ଖେଳୁଥିବା କିଛି କ୍ରିକେଟର ପ୍ରଶିକ୍ଷଣ ଦେବାକୁ ଆସିବେ। ସାରା ଭାରତରେ ଏଭଳି ପ୍ରତିଭା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଓଡ଼ିଶାରେ ମେ’ ମାସ ୨୫ ତାରିଖରୁ ‘କ୍ରିକେଟ କ୍ଲିନିକ୍‌’ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ଓଡ଼ିଶାରେ ତିନିଟି ପଡ଼ିଆକୁ ବଛାଯିବ। ପ୍ରାୟତଃ କଟକ, ଭୁବନେଶ୍ବର ଓ ସମ୍ବଲପୁରରୁ ଗୋଟିଏ ଲେଖାଏଁ ପଡ଼ିଆକୁ ଏକାଡେମି ପକ୍ଷରୁ ୭ ଦିନ ପାଇଁ ଭଡ଼ାରେ ନେବା ପାଇଁ ଏକାଡେମି ପରିଚାଳନା କରୁଥିବା ଅର୍କ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦିଓ ପଡ଼ିଆ ଚୂଡ଼ାନ୍ତ ହୋଇନାହିଁ, ତଥାପି କଟକର ନିମପୁର ସ୍ପୋର୍ଟ୍ସ ପଡ଼ିଆ, ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ ଓ ସମ୍ବଲପୁରର ଭିଏସ୍‌ଏସ୍‌ ଷ୍ଟାଡିୟମରେ ଏହି କ୍ଲିନିକ୍‌ ଖୋଲାଯିବାକୁ ଆପାତତଃ ସ୍ଥିର ହୋଇଛି।

କଟକରେ ଏହି କ୍ଲିନିକ୍‌ ମେ’ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହାପରେ ସମ୍ବଲପୁରରେ ଜୁନ୍‌ ୧୨ରୁ ୧୯ ଏବ˚ ଶେଷରେ ଭୁବନେଶ୍ବରରେ କ୍ଲିନିକ୍‌ ଆରମ୍ଭ ହେବ। ହେଲେ ଭୁବନେଶ୍ବର ପାଇଁ ତାରିଖ ଧାର୍ଯ୍ୟ ହୋଇନାହିଁ। କ୍ଲିନିକ୍‌ରେ କେଉଁ ବୟସ ବର୍ଗର ଖେଳାଳିଙ୍କୁ ସୁଯୋଗ ଦିଆଯିବ ତାହା ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୬ ବର୍ଷରୁ କମ୍‌ ଖେଳାଳିମାନଙ୍କୁ ନେଇ କ୍ଲିନିକ୍‌ ଆୟୋଜିତ ହେବ। ଏଠାରେ କେବଳ ଚୟନ ହେବ ନାହିଁ, କ୍ରିକେଟ ସ˚କ୍ରାନ୍ତୀୟ ମୌଳିକ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଥିଓରି ଓ ପ୍ରାକ୍ଟିକାଲ୍‌ ଶ୍ରେଣୀ ମଧ୍ୟ ନିଆଯିବ। କ୍ଲିନିକ୍‌ରେ ବ୍ୟବହାର ହେବାକୁ ଥିବା ବିଭିନ୍ନ ବୈଷୟିକ ସରଞ୍ଜାମ ଏକାଡେମି ପକ୍ଷରୁ ଯୋଗାଇ ଦିଆଯିବ। ଏଥିସହିତ ସ˚ପୃକ୍ତ ପଡ଼ିଆ କିମ୍ବା ସ˚ଗଠନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ। ୭ ଦିନ ମଧ୍ୟରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଥିବା ମହେନ୍ଦ୍ର ସି˚ହ ଧୋନି କ୍ରିକେଟ୍‌ ଏକାଡେମିରେ ନିରଂତର ପ୍ରଶିକ୍ଷଣ ପ୍ରଦାନ ପାଇଁ ପଠାଯିବ। ସେଠାରେ ରହିବା ଓ ଖାଇବା ବ୍ୟବସ୍ଥା ଏକାଡେମି ପକ୍ଷରୁ କରାଯିବ। ତେଣୁ ଓଡ଼ିଶାର ନବାଗତ କ୍ରିକେଟରଙ୍କ ପାଇଁ ଏହା ଏକ ଭଲ ସୁଯୋଗ ବୋଲି ଏକାଡେମିର ଜଣେ ପ୍ରତିନିଧି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର