କୋହଲିଙ୍କ ଟୁଇଟ ପରେ ଧୋନିଙ୍କ ସନ୍ୟାସ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି

ନୂଆଦିଲ୍ଲୀ: କ୍ୟାପଟେନ କୋହଲିଙ୍କ ଏକ ଟୁଇଟ୍ ପରେ ଏବେ ସୋସିଆଲ ମିଡିଆରେ ଧୋନିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଧୋନି କ୍ରିକେଟକୁ ଅଲବିଦା କହିପାରନ୍ତି ବୋଲି କ୍ରିକେଟ ପ୍ରଂଶସକମାନେ ଜୋରଦାର ଆଲୋଚନା କରୁଛନ୍ତି, ଯାହା ମାହିଙ୍କ ଫ୍ୟାନଙ୍କ ହାର୍ଟବିଟ୍‌ ବଢାଇ ଦେଇଛି ।

ବିରାଟ୍ କୋହଲି ଆଜି ସକାଳେ ଏକ ମ୍ୟାଚର ଫଟୋ ସେୟାର କରିଥିଲେ । ଯେଉଁଥିରେ ଧୋନିଙ୍କ ସାମ୍ନାରେ ସେ ଆଣ୍ଠେଇ ବସିଥିବାର ନଜର ଆସିଥିଲେ । ଆଉ ଏହି ଟୁଇଟରେ କୋହଲି ଯାହା ଲେଖିଥିଲେ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।

କ୍ୟାପସନରେ କୋହଲି ଲେଖିଥିଲେ, ଏହି ମ୍ୟାଚକୁ କେବେ ଭୁଲି ପାରିବି ନାହିଁ । ଏହା ମୋ ସ୍ମରଣୀୟ ରାତି । ଏହି ମ୍ୟାଚରେ ଧୋନି ମୋତେ ଫିଟନେସ ଟେଷ୍ଟରେ ଦୌଡାଇବା ଭଳି ଦଉଡାଇଥିଲେ । ଏହି ଟୁଇଟକୁ କୋହଲି ଧୋନିଙ୍କୁ ଟ୍ୟାଗ୍‌ ବି କରିଥିଲେ।

କୋହଲି ଟୁଇଟ କରିଥିବା ଫଟୋଟି ୨୦୧୬ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ କ୍ୱାର୍ଟର ଫାଇନାଲର । ଏହି ମ୍ୟାଚରେ ଧୋନି ଅଧିନାୟକ ଥିବା ବେଳେ ଭାରତ ଏହି ମ୍ୟାଚକୁ ୬ ୱିକେଟରେ ବାଜି ମାରି ନେଇଥିଲା । ଏହି ମ୍ୟାଚରେ କୋହଲି ଅର୍ଦ୍ଧଶତକ ହାସଲ କରିବା ସହ ବିଜୟର ହିରୋ ସାଜିଥିଲେ । ଏହି ମ୍ୟାଚରେ ଉଭୟ ଧୋନି-କୋହଲିଙ୍କ ମଧ୍ୟରେ ୬୭ ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା ।

ତେବେ ବିଶ୍ୱକପ୍‌ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପରାଜୟ ବରଣ କରିବା ପରେ ଧୋନିଙ୍କ ସନ୍ୟାସ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରୁ ନିଜେ ଓହରି ଯାଇଥିଲେ ଧୋନି ।

ସମ୍ବନ୍ଧିତ ଖବର