ୱେଷ୍ଟଇଣ୍ଡିଜ୍ ଗସ୍ତରୁ ଧୋନି ଓହରିଲେ, ଆଞ୍ଚଳିକ ସେନା ପାଇଁ କାର୍ଯ୍ୟ କରିବେ

ଏବେ ଅବସର ନେବେନି, ଦୁଇ ମାସ କ୍ରିକେଟ୍‌ରୁ ଦୂରେଇ ରହିବେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ୱି‌କେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ୱେଷ୍ଟଇଣ୍ଡିଜ୍ ଗସ୍ତ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ତାଙ୍କ ଅବସର ଆଲୋଚନାରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଛି। ବିଶ୍ବକପ୍ ପରେ ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ ବୋଲି ଚର୍ଚା ହେଉଥିଲେ ମଧ୍ୟ ସଂପ୍ରତି ତାଙ୍କର ଏଭଳି କୌଣସି ଯୋଜନା ନଥିବା ଶନିବାର ଧୋନି ନିଜେ ବିସିସିଆଇକୁ ଜଣାଇ ଦେଇଛନ୍ତି। ସେହିଭଳି ଆସନ୍ତା ମାସର ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ସେ ଉପଲବ୍ଧ ହେବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି। ଆଗାମୀ ଦୁଇ ମାସ ମାହି କ୍ରିକେଟ୍‌ରୁ ସଂପୂର୍ଣ୍ଣ ଦୂରେଇ ରହିବେ। ଏହି ସମୟକୁ ସେ ଆଞ୍ଚଳିକ ସେନାର ପାରାଚୁଟ୍ ବାହିନୀ‌ ଅଧିକାରୀ ଭାବେ ଉପଯୋଗ କରିବେ। ସେପଟେ ୱେ‌ଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଦଳ ଘୋଷଣା ହେବାର ଦିନକ ପୂର୍ବରୁ ଧୋନି ନିଜ ଅଭିମୁଖ୍ୟ ସ୍ପଷ୍ଟ କରିବା‌ ପରେ ଜାତୀୟ ଚୟନ ସମିତି ଟିକିଏ ଆଶ୍ବସ୍ତ ହୋଇଛି। ଚୟନ ସମିତି ପୂର୍ବରୁ ଧୋନିଙ୍କୁ ନେଇ ଦ୍ବନ୍ଦ୍ବରେ ଥିଲା। ତାଙ୍କୁ ଦଳରେ ରଖି‌େବ କି ବାଦ୍ ‌ଦେବେ, ସେ ନିଷ୍ପତ୍ତି ‌ପାଇଁ ସମିତିର ସଦସ୍ୟମାନେ ଏକପ୍ରକାର ଧର୍ମସଙ୍କଟରେ ପଡ଼ିଥିଲେ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଧୋନିଙ୍କ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଆମେ ଧୋନିଙ୍କୁ ନେଇ ତିନିଟି କଥା ସ୍ପଷ୍ଟ କରିଦେବାକୁ ଚାହୁଁଛୁ। ବର୍ତମାନ ‌ସେ ଅବସର ନେଉ ନାହାନ୍ତି। ପୂର୍ବରୁ ନେଇଥିବା ନିଷ୍ପତ୍ତି ଅନୁଯାୟୀ ଧୋନି କେବଳ ଦୁଇ ମାସ ପାଇଁ କ୍ରିକେଟ୍‌ରୁ ଦୂରେଇ ରହିବେ। ଏହି ସମୟ ମଧ୍ୟରେ ସେ ଟେରିଟୋରିଆଲ ଆର୍ମି ବା ଆଞ୍ଚଳିକ ସେନା ପାଇଁ କାର୍ଯ୍ୟ କରିବେ। ଆମେ ଏହି ଖବର ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦଙ୍କୁ ଜଣାଇ ଦେଇଛୁ। ୩୮ ବର୍ଷୀୟ ଧୋନି ଇଣ୍ଡିଜ୍ ଗସ୍ତରୁ ବାଦ୍ ପଡ଼ିବାର ଯଥେଷ୍ଟ ସମ୍ଭାବନା ଥିଲା। ନିଜ ତରଫରୁ ଓହରି ଯାଇ ସେ ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି ବୋଲି କିଛି କ୍ରିକେଟ୍ ବିଶେଷଜ୍ଞ ମତ ଦେଇଛନ୍ତି।

ଭବିଷ୍ୟତକୁ ଆଖି ଆଗରେ ରଖି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଚୟନକର୍ତା କିଛି ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ଅଧିକ ସମ୍ଭାବନା ରହିଛି। ସେହି ଦୃଷ୍ଟିରୁ ସେମାନେ ଧୋନିଙ୍କ ଅଭିମୁଖ୍ୟ ଜାଣିବାକୁ ବ୍ୟଗ୍ର ଥିଲେ। ଏଥିନେଇ ସଂପୃକ୍ତ ବିସିସିଆଇ ଅଧିକାରୀ କହିଛନ୍ତି, ଏହି ମାମଲାରେ ଚୟନ ସମିତି ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି। ଅଭିଜ୍ଞ ହୁଅନ୍ତୁ କି ଅନଭିଜ୍ଞ, କୌଣସି ଖେଳାଳିଙ୍କୁ ସେମାନଙ୍କ ଅବସର ସମୟ କହିବାର ଅଧିକାର ସମିତିର ନାହିଁ। ଦଳ ଚୟନ ହିଁ ସେମାନଙ୍କ ମୁଖ୍ୟ କାମ ଓ ଅଧିକାର। ଧୋନି ଓହରିବା ପରେ ଋଷବ ପନ୍ତ ତିନିଟି ଯାକ ଫର୍ମାଟ୍‌ରେ ଭାରତୀୟ ଦଳର ପ୍ରଥମ ପସନ୍ଦ ୱିକେଟ୍ ରକ୍ଷକ ହେବେ। ଟେଷ୍ଟ ପାଇଁ ଅବଶ୍ୟ ତାଙ୍କୁ ଋଦ୍ଧିମାନ ସାହାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିପାରେ।

ସୂଚନାଯୋଗ୍ୟ ଯେ ଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳ ତିନିଟି ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ସହ ଦୁଇଟି ଟେଷ୍ଟ ଖେଳିବ। ଅଗଷ୍ଟ ୩ରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଆମେରିକାର ଫ୍ଲୋରିଡାରେ ଖେଳାଯିବ। ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଗାଏନାରେ ଅନୁଷ୍ଠିତ ହେବ। ୮ ତାରିଖରୁ ଆରମ୍ଭ ହେବାକୁ ଥିବା ତିନିଟି ଦିନିକିଆ ଗାଏନା ଓ ତ୍ରିନିଦାଦ (ଦୁଇଟି)ରେ ଖେଳାଯିବ। ଦୁଇ ଟିକିଆ ଟେଷ୍ଟ ଶୃଙ୍ଖଳା ଅଗଷ୍ଟ ୨୨ରୁ ୨୬ (ଆଣ୍ଟିଗୁଆ) ଓ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଜାମାଇକାରେ ଖେଳାଯିବ।

ସମ୍ବନ୍ଧିତ ଖବର