‘ଧୋନି-କୋହଲି ସଂପର୍କ ଡ୍ରେସିଂ ରୁମ୍‌ରେ ସୁସ୍ଥ ବାତାବରଣ ଆଣେ’

ଦୁଇ ତାରକା ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ମଧ୍ୟରେ ସୁସଂପର୍କ ରହିଛି। ଯାହାକି ଦଳୀୟ ଡ୍ରେସିଂ ରୁମ୍‌କୁ ପ୍ରଭାବିତ କରିଥାଏ ଅର୍ଥାତ୍‌ ଡ୍ରେସିଂ ରୁମ୍‌ରେ ସୁସ୍ଥ ବାତାବରଣ ସୃଷ୍ଟି କରିଥାଏ। କୋହଲି ସବୁବେଳେ ଧୋନିଙ୍କ ଭୂମିକାକୁ ସମ୍ମାନ ଦେଇଥାନ୍ତି ବୋଲି କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଉଭୟଙ୍କ ମଧ୍ୟରେ ତାଳମେଳ ଓ ପରସ୍ପର ପ୍ରତି ସମ୍ମାନ ଖୁବ୍‌ ଉଚ୍ଚକୋଟୀର। ଯାହାକି ଦଳର ସଫଳତା ଦିଗରେ ଅଙ୍ଗୀକାରବଦ୍ଧତା ବୋଲି ଶାସ୍ତ୍ରୀ କହିଛନ୍ତି। ପରସ୍ପର ମଧ୍ୟରେ ସଂପର୍କକୁ ନେଇ ମୁଁ କେବେ ବି ସନ୍ଦେହ କରିପାରେନାହିଁ। ମୋର ପ୍ରଥମ ଦାୟିତ୍ବ ବେଳେ ଧୋନି ଅଧିନାୟକ ଥିଲେ। ପରବର୍ତୀ ସମୟରେ କୋହଲି ଅଧିନାୟକ ହେଲେ। ଫଳରେ ଉଭୟଙ୍କ ଅଙ୍ଗୀକାରବଦ୍ଧତାକୁ ମୁଁ ଦେଖିଛି। ଏହାହିଁ ଡ୍ରେସିଂ ରୁମ୍‌ରେ ଅନ୍ୟମାନଙ୍କ ପାଇଁ ଶିକ୍ଷା ହୋଇଥାଏ। ବିଶେଷକରି ପଡ଼ିଆ ଭିତରେ ଓ ବାହାରେ ଧୋନିଙ୍କୁ ମୁଁ ଭଲ ଭାବେ ପରଖିଛି। ସେ ଜଣେ ଦୃଢ଼ମନା ବ୍ୟକ୍ତିତ୍ବ। ମ୍ୟାଚ୍‌କୁ କିପରି ବିଜୟରେ ପରିଣତ କରାଯାଏ ତାହା ଧୋନିଙ୍କୁ ଭଲ ଭାବେ ଜଣା। ତାଙ୍କ ଉପସ୍ଥିତି ହିଁ ସାଥୀ ଖେଳାଳିଙ୍କ ଉପରୁ ଅଧା ବୋଝ କମାଇ ଦେଇଥାଏ। ତେଣୁ ତାଙ୍କଠାରୁ ସେହି ଗୁଣ ଶିଖିବା ଅନ୍ୟମାନଙ୍କ ପାଇଁ ଉଚିତ ବୋଲି ଶାସ୍ତ୍ରୀ କହିଛନ୍ତି। ଦଳରେ ଭିନ୍ନ ଭିନ୍ନ ମାନସିକତାର ଖେଳାଳି ରହିଛନ୍ତି। କୋହଲି ଓ ଧୋନି ପଡ଼ିଆ ଭିତରେ ସଂପୂର୍ଣ୍ଣ ଭିନ୍ନ ଜଣାପଡୁଥିଲା ବେଳେ ରୋହିତ ଓ ଧାୱନ୍‌ ମଧ୍ୟ ଭିନ୍ନ ଭିନ୍ନ ମାନସିକତାର। ଏପରିକି ହାର୍ଦିକ ପାଣ୍ଡା ଓ କୁଲ୍‌ଦୀପ୍‌ ଯାଦବ ମଧ୍ୟ ଭିନ୍ନ ମାନସିକତାର ବୋଲି ଶାସ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର