ୱେଷ୍ଟଇଣ୍ଡିଜ୍ ଯିବେନି ଧୋନି : କିଛି ସମୟ କ୍ରିକେଟ୍‌ରୁ ଦୂରେଇ ରହି ନିଜ ଭବିଷ୍ୟତ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ‌

ପରବର୍ତୀ ପିଢ଼ିକୁ ପ୍ରଶିକ୍ଷିତ କରି ଅବସର ନେବେ,ଏଣିକି ପନ୍ତ ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ସଫଳତମ ଅଧିନାୟକ ତଥା ସୀମିତ ଓଭର କ୍ରିକେଟ୍‌ର ଚର୍ଚିତ ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ବୁଧବାର ଗୁରୁତ୍ବପୂର୍ଣ୍ଣ ସୂଚନା ପଦାକୁ ଆସିଛି। ଧୋନିଙ୍କ ଅନ୍ତର୍ଜାତୀୟ ଖେଳ ଜୀବନ ଆପାତତଃ ଶେଷ ହୋଇଯାଇଥିଲେ ମଧ୍ୟ ଭାରତୀୟ ଦଳରୁ ସେ ସଂପୂର୍ଣ୍ଣ ଦୂରେଇ ଯିବେନି ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଇଂଲଣ୍ଡରେ ନିଜ ଚତୁର୍ଥ ତଥା ଶେଷ ବିଶ୍ବକପ୍ ଖେଳିଥିବା ଧୋନି ଆସନ୍ତା ମାସର ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବେ ନାହିଁ। କିଛି ସମୟ କ୍ରିକେଟ୍‌ରୁ ଦୂରେଇ ରହି ନିଜ ଭବିଷ୍ୟତ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ‌। ଏକଥା ସେ ବିସିସିଆଇକୁ ଅଣଆନୁଷ୍ଠାନିକ ଭାବେ ଜଣାଇ ଦେଇଛନ୍ତି।

ଏହା ପରେ ଖେଳାଯିବାକୁ ଥିବା ଶୃଙ୍ଖଳା ଗୁଡ଼ିକରେ କିନ୍ତୁ ଧୋନି ଭାରତୀୟ ୧୫ ଜଣିଆ ଦଳରେ ରହିବେ। ହେଲେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେନି। ଏଣିକି ଋଷବ ପନ୍ତ ଭାରତୀୟ ଦଳରେ ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ଭାବେ ‌ସ୍ଥାନ ପାଇବେ। ଧୋନି ତାଙ୍କୁ ଆଗାମୀ ବିଶ୍ବକପ୍ ପାଇଁ ପ୍ରସ୍ତୁତ କରିବେ। ପନ୍ତଙ୍କୁ ପ୍ରଶିକ୍ଷିତ କରିବା ପରେ ଯାଇ ‌ସେ ନିଜ ଅବସର ଘୋଷଣା କରିବେ। ଆସନ୍ତା କିଛି ମାସ ପାଇଁ ସେ ଭାରତୀୟ ଦଳର ମାର୍ଗଦର୍ଶକର କାମ କରିବେ। ଧୋନି ଅବସର ସଂକେତ ନ ଦେଲା ଯାଏ ବିସିସିଆଇ ବି ତାଙ୍କୁ ଏଥିଲାଗି ବାଧ୍ୟ କରିବ ନାହିଁ। ଏଭଳି ତଥ୍ୟ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ଦେଇଛନ୍ତି। ସେହିଭଳି ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଜାତୀୟ ଚୟନ ସମିତି ଶୁକ୍ରବାର ଦଳ ଘୋ‌ଷଣା କରିବ ବୋଲି ସେ କହିଛନ୍ତି।

ୱେଷ୍ଟଇଣ୍ଡିଜ୍ ଗସ୍ତରେ ଧୋନିଙ୍କ ସହ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ମିଳିବା କଥା ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି। ଏଭଳି ସ୍ଥିତିରେ ରୋହିତ ଶର୍ମା ଦଳର ନେତୃତ୍ବ ନେବେ। ଫିଟ୍ ଥିଲେ ବିଶ୍ବକପ୍‌ରେ ଦ୍ବିତୀୟ ପସନ୍ଦର ୱିକେଟ୍ ରକ୍ଷକ ଥିବା ଦୀନେଶ କାର୍ତିକ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇପାରନ୍ତି। ତାଙ୍କୁ କିନ୍ତୁ ଧୋନିଙ୍କ ବିକଳ୍ପ ଭାବେ ନିଆଯିବ ନାହିଁ। ପନ୍ତଙ୍କୁ ନେଇ ସଂପୃକ୍ତ ଅଧିକାରୀ କହିଛନ୍ତି ଯେ ପନ୍ତ ଆସନ୍ତା ଅକ୍ଟୋବର ମାସରେ ୨୨ ବର୍ଷରେ ଉପନୀତ ହେବେ। ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳ ହେଲା ବେଳକୁ ତାଙ୍କୁ ୨୩ ଚାଲୁଥିବ। ତାଙ୍କ ପାଖରେ ପ୍ରତିଭା ଅଛି। ଜଣେ ଭଲ ମାର୍ଗଦର୍ଶକ ପାଇଲେ ପନ୍ତ ଜଣେ ଦକ୍ଷ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ହୋଇ ବାହାରିବେ। ଧୋନି ବିଶ୍ବକପର ପରେ ପରେ ଅବସର ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। କେତେକ ଅନିବାର୍ଯ୍ୟ କାରଣ ପାଇଁ ସେ ତୁରନ୍ତ ଏଭଳି କିଛି ନିଷ୍ପତ୍ତି ‌ନେଇ ପାରିବେ ନାହିଁ। ଚେନ୍ନାଇ ସୁପରକିଙ୍ଗ୍ସ ସହ ଧୋନିଙ୍କର ୨୦୨୧ ପର୍ଯ୍ୟନ୍ତ ଚୁକ୍ତି ଥିବାରୁ ଏହି ଦଳ ସେ ଏବେ ଅବସର ନିଅନ୍ତୁ‌ ବୋଲି ଚାହୁଁନାହିଁ। ସେହିଭଳି ଧୋନିଙ୍କ ଉତ୍ତରାଧିକାରୀ ବାଛିବାକୁ ମଧ୍ୟ ଚେନ୍ନାଇକୁ କିଛି ସମୟ ଲାଗିବ। ଏସବୁ କଥାକୁ ବିଚାରକୁ ନେଇ ଧୋନି ଏବେ ଅବସର ଘୋଷଣା କରିବାର ସମ୍ଭାବନା କମ୍ ।

ସମ୍ବନ୍ଧିତ ଖବର