ଧୋନି ଜିତି ପାରିବେନି:ପଞ୍ଜାବ ଓ ହାଇଦ୍ରାବାଦ ଆଶା ଅଧିକ

ଲୋବୋଙ୍କ ଭବିଷ୍ୟବାଣୀ

ମୁମ୍ବାଇ: ଦୁଇ ବର୍ଷର ବ୍ୟବଧାନ ପରେ ଆଇପିଏଲ୍‌କୁ ଫେରିଥିବା ଚେନ୍ନାଇ ସୁପରକିଙ୍ଗ୍ସକୁ କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନି ପୁଣି ଥରେ ବିଜେତା କରାଇ ପାରିବେ ନାହିଁ। ସେମାନେ ପ୍ଲେ ଅଫ୍‌ ଯାଇ ପାରନ୍ତି। ହେଲେ ଫାଇନାଲ ଜିତି ପାରିବେ ନାହିଁ। ଅନ୍ୟ ପକ୍ଷରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ବର୍ଷ ବିଜେତା ହେବାର ସମ୍ଭାବନା ଅଧିକ। ଏଭଳି ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିଷଶାସ୍ତ୍ରୀ ଗ୍ରିନ୍‌ଷ୍ଟୋନ୍‌ ଲୋବୋ। ଲୋବୋ କହିଛନ୍ତି ଯେ ମୁମ୍ବାଇ ସବୁବେଳେ ଖରାପ ଆରମ୍ଭ କରେ। ପରେ କିନ୍ତୁ ଜବରଦସ୍ତ କ୍ରିକେଟ୍‌ ଖେଳି ବିଜେତା ଆଖ୍ୟା ଅର୍ଜନ କରିନିଏ। ଏଥର କିନ୍ତୁ ମୁମ୍ବାଇ ଏଭଳି ସଫଳତା ପାଇବନି। ରୋହିତଙ୍କର ତ କୌଣସି ଗ୍ରହଦୋଷ ନାହିଁ ହେଲେ ପ୍ରଶିକ୍ଷକ ବଦଳାଇ ନଥିବାରୁ ମୁମ୍ବାଇ ଲଗାତାର ଟ୍ରଫି ଜିତିବାର ସମ୍ଭାବନା ଏକବାର କମ୍‌। ସେହିଭଳି ଧୋନି ଏବଂ ତାଙ୍କ ଧୁରନ୍ଧରମାନଙ୍କ ବ୍ୟକ୍ତିଗତ ଭାଗ୍ୟ ପାଇଁ ଚେନ୍ନାଇ ଭଲ ସ୍ଥିତିରେ ରହିବ। ହେଲେ ପ୍ରଶିକ୍ଷକ ଷ୍ଟିଫେନ୍‌ ଫ୍ଲେମିଂ ଏବଂ ଧୋନିଙ୍କ ଯୋଡ଼ି ଏହି ଦଳକୁ ତୃତୀୟବାର ବିଜେତା କରାଇ ପାରିବେ ନାହିଁ ବୋଲି ଲୋବୋ ଦୃଢ଼ତାର ସହ କହିଛନ୍ତି।

ରାଜସ୍ଥାନ ରୟାଲ୍ସ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଜାତକ ତାଙ୍କୁ ବିଜେତା କରାଇ ଦେବ ନାହିଁ। ଦୀନେଶ କାର୍ତିକ ଟାଣୁଆ ଭାଗ୍ୟଚକ୍ରର ଅଧିକାରୀ। ହେଲେ ଏହି ଦଳରେ ପୂର୍ବରୁ ବିଜେତା ହୋଇଥିବା କିଛି ଖେଳାଳି ଅଛନ୍ତି। ସେହିଭଳି ବହୁ ନବାଗତ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି। ଏମାନଙ୍କ ଗ୍ରହ ଭଲ ନଥିବାରୁ କୋଲ୍‌କାତା ଚଳିତ ଥର ବିଜେତା ହେବ ନାହିଁ। ଦିଲ୍ଲୀ ଡେୟାର ଡେଭିଲ୍ସ ତା’ର ଅଧିନାୟକ ବଦଳାଇବା ପରେ ସଫଳତା ଧାରାକୁ ଫେରିଛି। ଶ୍ରେୟସ୍‌ ଆୟର ତାଙ୍କ ନେତୃତ୍ୱର ପ୍ରଥମ ମୁକାବିଲାରେ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ୫୫ ରନ୍‌ରେ ହରାଇ ଦେଇଛନ୍ତି। ହେଲେ ଦିଲ୍ଲୀ ଏହି ଧାରା ଜାରି ରଖିବା ନେଇ ଆଶଙ୍କା ରହିଛି। ଶ୍ରେୟସ୍‌ ଅଧିନାୟକ ହେବା ପରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ପ୍ରତିଯୋଗିତାର ସର୍ବକନିଷ୍ଠ ଅଧିନାୟକ ଉପାଧି ହରାଇଛନ୍ତି।

ହେଲେ ସେ ବିଜେତା ହେବାର ଆଶା ଦିନକୁ ଦିନ ଜାଜ୍ଜୁଲ୍ୟମାନ ହେବାକୁ ଲାଗିଛି। ସେପଟେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଗ୍ରହ ଗଣନା ଅନୁସାରେ ଭଲ ସ୍ଥିତିରେ ଅଛି। ଏହି ଦଳ ପ୍ଲେ ଅଫ୍‌ ଖେଳିପାରେ। ଏପରିକି ଜ୍ୟୋତିଷଶାସ୍ତ୍ର ଅନୁସାରେ ଚୂଡ଼ାନ୍ତ ଏକାଦଶ ବାଛି ପାରିଲେ ସେମାନେ ବିଜେତା ବି ହୋଇ ପାରିବେ। କିଙ୍ଗ୍ସ ଏକାଦଶ ପଞ୍ଜାବ କିନ୍ତୁ ବାଙ୍ଗାଲୋରଠାରୁ ଆଗରେ ରହିବ। ଅଧିନାୟକ ରବିଚନ୍ଦ୍ରନ୍‌ ଅଶ୍ୱିନ, ପ୍ରଶିକ୍ଷକ ବୀରେନ୍ଦ୍ର ସେହବାଗଙ୍କ ସହ ଏହି ଦଳର ସମୟ ଏବେ ପୂରା ଭଲ ଚାଲିଛି। ଏଣୁ ଚଳିତ ବର୍ଷ ପଞ୍ଜାବ ଏବଂ ହାଇଦ୍ରାବାଦ ମଧ୍ୟରେ ଫାଇନାଲ୍‌ ଖେଳ ହୋଇପାରେ ବୋଲି ଲୋବୋ ଭବିଷ୍ୟବାଣୀ କରିଛନ୍ତି।

ସମ୍ବନ୍ଧିତ ଖବର