ଚେନ୍ନାଇକୁ ଫେରିଲେ ଧୋନି, ରାଇନା ଓ ଜାଦେଜା

କୋହଲି, ରୋହିତ ରହିଲେ; ଗମ୍ଭୀରଙ୍କୁ ଛାଡ଼ିଲା କୋଲ୍‌କାତା

ମୁମ୍ବାଇ: ଚଳିତ ବର୍ଷର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପାଇଁ ଖେଳାଳି ନିଲାମ ପୂର୍ବରୁ ଖେଳାଳିମାନଙ୍କୁ ନିଜ ନିଜ ଦଳରେ ରଖିବାର ସମୟସୀମା ଶେଷ ହୋଇଯାଇଛି। ଫ୍ରାଞ୍ଚାଇଜ୍‌ମାନେ ଗୁରୁବାର ଅପରାହ୍ନ ୫ଟା ସମୟସୀମା ମଧ୍ୟରେ କେଉଁ ଖେଳାଳିଙ୍କୁ କିଏ ନିଜ ପାଖରେ ରଖିବେ ତାହା ସ୍ପଷ୍ଟ ହୋଇଯାଇଛି। ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନିଜ ନିଜ ଦଳ ପାଖରେ ରଖିଥିଲା ବେଳେ ଗୌତମ ଗମ୍ଭୀରଙ୍କୁ କୋଲ୍‌କାତା ଛାଡ଼ିଦେବା ସମସ୍ତଙ୍କୁ ଚକିତ କରିଛି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା ଓ ରବୀନ୍ଦ୍ର ଜାଦେଜା ଚେନ୍ନାଇ ସୁପର କିଙ୍ଗ୍‌ସକୁ ପ୍ରତ୍ୟାବର୍ତନ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍‌ସ ରୋହିତ ଶର୍ମା, ହାର୍ଦିକ୍‌ ପାଣ୍ଡ୍ୟା ଓ ଜସ୍‌ପ୍ରିତ୍‌ ବୁମ୍‌ରାଙ୍କୁ, ଦିଲ୍ଲୀ ଡେୟାର ଡେଭିଲ୍‌ସ ଋଷଭ ପନ୍ଥ୍‌, ଶ୍ରେୟସ ଆୟର ଓ ଦକ୍ଷିଣ ଆଫ୍ରିକୀୟ ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସ୍‌ଙ୍କୁ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରାଟ କୋହଲି, ଏବି ଡିଭିଲିୟର୍ସ ଓ ସର୍ଫରାଜ ଖାନ୍‌ଙ୍କୁ, କୋଲ୍‌କାତା ନାଇଟ୍‌ ରାଇଡର୍ସ ସୁନିଲ ନରିନ୍‌ ଓ ଆନ୍ଦ୍ରେ ରସେଲଙ୍କୁ, ସନ୍‌ରାଇଜର୍ସ ହାଇଦ୍ରାବାଦ ଡେଭିଡ୍‌ ଓ୍ଵର୍ନର ଓ ଭୁବନେଶ୍ୱର କୁମାରଙ୍କୁ, ରାଜସ୍ଥାନ ରୟାଲ୍‌ସ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଏବଂ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଅକ୍ଷର ପଟେଲଙ୍କୁ ଦଳରେ ବଜାୟ ରଖିଛି। ତେବେ ସୁବୁଠୁ ବଡ଼ ଖରାପ ଖବର ଗୌତମ ଗମ୍ଭୀରଙ୍କୁ ମିଳିଛି। କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ଦୁଇ ଥର ଆଇପିଏଲ୍‌ ଟ୍ରଫି ଭେଟି ଦେଇଥିବା ଗମ୍ଭୀର ଦଳର ଅଧିନାୟକ ଥିଲା ବେଳେ ଏଥର ତାଙ୍କୁ ନିଲାମ ବାଟ ଦେଇ ଯିବାକୁ ପଡ଼ିବ। ଖେଳାଳି ବଜାୟ ରଖିବା ତାଲିକା ସ୍ପଷ୍ଟ ହୋଇଯିବା ସାଙ୍ଗକୁ ନିଲାମ ପୂର୍ବରୁ ଫ୍ରାଞ୍ଚାଇଜ୍‌ମାନେ ପ୍ରଥମ ସୋପାନ ଅତିକ୍ରମ କରିଛନ୍ତି। ସର୍ବାଧିକ ୫ ଲେଖାଏଁ ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍‌ ନିଜ ନିଜ ପାଖରେ ରଖିବାର ନିୟମ ଥିଲା ବେଳେ ଅବଶିଷ୍ଟ ଖେଳାଳି ନିଲାମକୁ ଚାଲିଯାଇଛନ୍ତି। ଖେଳାଳି ନିଲାମ ଚଳିତ ମାସ ଶେଷରେ ବେଙ୍ଗାଲୁରୁରେ ହେବ। ୨୦୧୮ ସଂସ୍କରଣର ନିଲାମ ବେଳେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଦଳ ଗଠନ ପାଇଁ ଆଇପିଏଲ୍‌ ୮୦ କୋଟି ଟଙ୍କା ଧାର୍ଯ୍ୟ କରିଛି। ସେମାନଙ୍କ ମଧ୍ୟରୁ ଦଳରେ ବଜାୟ ରଖିଥିବା ପ୍ରଥମ ତିନି ଖେଳାଳିଙ୍କ ବାବଦରେ ଫ୍ରାଞ୍ଚାଇଜ୍‌ ମୋଟ ୮୦ କୋଟିରୁ ୩୩ କୋଟି ହରାଇବ। ବଜାୟ ରଖିଥିବା ପ୍ରଥମ ଖେଳାଳିଙ୍କ ଦରମା ୧୫ କୋଟି ଧାର୍ଯ୍ୟ ହୋଇଥିଲା ବେଳେ ଦ୍ୱିତୀୟ ଓ ତୃତୀୟ ଖେଳାଳି ପାଇଁ ଯଥାକ୍ରମେ ୧୧ ଓ ୭ କୋଟି ଦରମା ରହିବ। ଯଦି ୨ ଜଣଙ୍କୁ ଦଳରେ ବଜାୟ ରଖିବ ତେବେ ଫ୍ରାଞ୍ଚାଇଜ୍‌କୁ ୨୧ କୋଟି ବ୍ୟୟ କରିବାକୁ ପଡ଼ିବ। ଅବଶିଷ୍ଟ ୨/୩ ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍‌ ଆର୍‌ଟିଏମ୍‌ (ରାଇଟ୍‌ ଟୁ ମ୍ୟାଚ୍‌) କାର୍ଡ ଜରିଆରେ ଦଳକୁ ଆଣିପାରିବ। ପୁଣି ନବାଗତ ଭାରତୀୟ ଖେଳାଳିଙ୍କ ପାଇଁ ମଧ୍ୟ ଆଇପିଏଲ୍‌ ୩ କୋଟି ଟଙ୍କାର ଦରମା ଧାର୍ଯ୍ୟ କରିଛି। ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ନିଜ ନିଜ ଦଳରେ ଅତି ବେଶିରେ ୩ ଜଣ ନବାଗତ ଭାରତୀୟ ଖେଳାଳିଙ୍କୁ ବଜାୟ ରଖିପାରିବେ।

ବିସିସିଆଇର ସର୍ବୋଚ୍ଚ ଚୁକ୍ତିରୁ ବଞ୍ଚିତ ହେବେ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିିସିସିଆଇ) ପରିଚାଳନା ଲଗି ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଗଠିତ ପ୍ରଶାସନିକ ସମିତି (ସିଓଏ) ବୋର୍ଡ ଏବଂ ଖେଳାଳିଙ୍କ ମଧ୍ୟରେ ହେଉଥିବା ଚୁକ୍ତିରେ ପରିବର୍ତନ କରିବାକୁ ଅଭାସ ଦେଇଛି। ବୋର୍ଡ ପୂର୍ବରୁ ଖେଳାଳିମାନଙ୍କୁ ୩ ବର୍ଗ (ଏ, ବି, ସି)ରେ ଭାଗ କରିଥିଲା ବେଳେ ସଂପ୍ରତି ସିଓଏ ଏହାକୁ ୪ ବର୍ଗ (ଏ+. ଏ, ବି, ସି) କରିବାକୁ ଚିନ୍ତା କରୁଛି। ନୂଆ ଢାଞ୍ଚା ଅନୁଯାୟୀ କ୍ରିକେଟ୍‌ର ସବୁ ଫର୍ମାଟ୍‌ (ଟେଷ୍ଟ୍‍, ଦିନିକିଆ, ଟେ୍ଵଣ୍ଟି-୨୦)ରେ ଖେଳୁଥିବା କ୍ରିକେଟର୍‌ଙ୍କୁ ‘ଏ+’ ଶ୍ରେଣୀଭୁକ୍ତ କରିବାକୁ ଚିନ୍ତା କରିଛି। ଯଦି ଏହି ନିୟମ କାର୍ଯ୍ୟକାରୀ ହୁଏ ତେବେ ଟେଷ୍ଟ୍‍ କ୍ରିକେଟରୁ ଅବସର ନେଇଥିବା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ‘ଏ+’ରେ ରହିବାରୁ ନିଶ୍ଚିତ ବଞ୍ଚିତ ହେବେ। ତେବେ ସୀମିତ ଓଭର ଫର୍ମାଟ୍‌ରେ ସଂପ୍ରତି ନିୟମିତ ସଦସ୍ୟ ହୋଇପାରୁନଥିବା ଦୁଇ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଏବଂ ରବୀନ୍ଦ୍ର ଜାଦେଜାଙ୍କୁ ସେମାନଙ୍କ ଆଇସିସି ମାନ୍ୟତାକୁ ବିଚାରକୁ ନେଇ ସର୍ବୋଚ୍ଚ ଚୁକ୍ତି (ଏ+)ରେ ସାମିଲ କରାଯାଇପାରେ ବୋଲି ଜଣାପଡ଼ିଛି। ସଂପ୍ରତି ୭ ଜଣ ଖେଳାଳି ‘ଏ’ ଶ୍ରେଣୀଭୁକ୍ତ ରହିଛନ୍ତି ଏବଂ ସେମାନେ ୨ କୋଟି ଲେଖାଏଁ ପାଉଣା ପାଉଛନ୍ତି। ତେବେ ‘ବି’ ଏବଂ ‘ସି’ ଶ୍ରେଣୀଭୁକ୍ତ ଖେଳାଳିମାନେ ଯଥାକ୍ରମେ ୧ କୋଟି ଓ ୫୦ ଲକ୍ଷ ଟଙ୍କା ଲେଖାଏଁ ବାର୍ଷିକ ପାଉଣା ପାଉଛନ୍ତି। ସୂଚନାଯୋଗ୍ୟ, ଗତ ନଭେମ୍ବରରେ ବିରାଟ କୋହଲି, ରବି ଶାସ୍ତ୍ରୀ ଏବଂ ଧୋନି ନୂଆଦିଲ୍ଲୀରେ ସିଓଏ ବିନୋଦ ରାଏଙ୍କୁ ଭେଟି ପାଉଣା ବୃଦ୍ଧି ନିମନ୍ତେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର