‘ହ୍ୟାଟ୍ରିକ୍‌ ବଲ୍‌ ୟର୍କର୍‌ ପକାଇବାକୁ ଧୋନି କହିଥିଲେ’

ସାଉଥାମ୍ପଟନ: ଆଫଗାନିସ୍ଥାନ ବିପକ୍ଷ ମ୍ୟାଚ୍‌ରେ ହ୍ୟାଟ୍ରିକ ବେଳେ ୟର୍କର ବଲ୍‌ ପାଇବାକୁ ମହମ୍ମଦ ସାମିଙ୍କୁ ମହେନ୍ଦ୍ର ସି˚ହ ଧୋନି ପରାମର୍ଶ ଦେଇଥିଲେ। ଯାହାଫଳରେ ସାମି ଦ୍ବିତୀୟ ଭାରତୀୟ ଭାବେ ବିଶ୍ବକପ୍‌ରେ ହ୍ୟାଟ୍ରିକ୍‌ ଵିକେଟ୍‌ ନେବାରେ ସଫଳ ହୋଇଥିଲେ। ଏଥି ପୂର୍ବରୁ ୧୯୮୭ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚେତନ ଶର୍ମା ହ୍ୟାଟ୍ରିକ୍‌ ଵିକେଟ୍‌ ନେଇଥିଲେ। ଶନିବାରର ହ୍ୟାଟ୍ରିକ୍‌ ଦିନିକିଆ ବିଶ୍ବକପ୍‌ର ଦଶକ ହ୍ୟାଟ୍ରିକ୍ ଥିଲା।

ସାମିଙ୍କ ମତରେ, ଆମର ଯୋଜନା ଅତି ସହଜ ଥିଲା। ୟର୍କର ବଲ୍‌ ପକାଇବା ପାଇଁ ଚିନ୍ତା କରୁଥିବା ବେଳେ ଧୋନି ମଧ୍ୟ ଏଥିପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ହ୍ୟାଟ୍ରିକ୍‌ର ସୁଯୋଗ ଥିବାରୁ ଆଉ କୌଣସି ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ। ଏହା ଏକ ବିରଳ ସୁଯୋଗ ଏବ˚ ତୁମେ ସମାନ ଧରଣର ବଲ୍‌ ପକାଅ। ତାଙ୍କ କହିବାନୁଯାୟୀ ମୁଁ ସେଭଳି ବଲ୍‌ ପକାଇଥିଲି ବୋଲି ସାମି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଭୁବନେଶ୍ବର କୁମାରଙ୍କ ବାମ ଜଙ୍ଘ ମା˚ସପେଶୀରେ ଆଘାତ ଲାଗିବା ସାମିଙ୍କ ପାଇଁ ବଡ଼ ସୁଯୋଗ ଭାବେ ଉଭା‌ ହୋଇଥିଲା। ବେଙ୍ଗଲର ଏହି ଦ୍ରୁତ ବୋଲର ମଧ୍ୟ ଏହି ଆହ୍ବାନକୁ ଗ୍ରହଣ କରି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପକ୍କା କରିପାରିଥିଲେ। ଏଥିପାଇଁ ସେ ନିଜକୁ ଭାଗ୍ୟବାନ ମନେ କରିଥିଲା ବେଳେ ସୁଯୋଗର ଭରପୁର ସଦୁପଯୋଗ କରିବାକୁ ମନସ୍ଥ କରିଥିବା କହିଥିଲେ। ତେବେ ହ୍ୟାଟ୍ରିକ୍‌ ପାଇବା ବିଶ୍ବକପ୍‌ରେ ବିରଳ ଘଟଣା ଓ ଏଥିରେ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି।

Image Courtesy: abplive.in

ସାମି କହିଥିଲେ ଯେ, ଶେଷ ଓଭରରେ ଭାବିବା ପାଇଁ ଆଉ ସମୟ ନଥାଏ। ପାଖରେ କିଛି ବିକଳ୍ପ ନଥିବାରୁ କେବଳ ନିଜର ଦକ୍ଷତା ଉପରେ ଭରସା କରିବାକୁ ପଡ଼ିଥିଲା। ଯଦି କିଛି ଭିନ୍ନତା ଆପଣାଇବାକୁ ଚେଷ୍ଟା କରାଯାଏ, ତାହେଲେ ଅଧିକ ରନ୍‌ ଖର୍ଚ ହୋଇଯିବା ଆଶଙ୍କା ରହୁଥିଲା। ତେଣୁ ବ୍ୟାଟ୍ସମ୍ୟାନଙ୍କ ଚନ୍ତାଧାରାକୁ ପଢ଼ିବା ଅପେକ୍ଷା, ମୁଁ ମୋ ଯୋଜନା ଅନୁସାରେ ଯିବାକୁ ଚାହିଁଥିଲି। ସାମିଙ୍କ ଅନୁସାରେ ସର୍ଟ ବଲ୍‌ ଏକ ଅସ୍ତ୍ର ଥିଲା। ଏବ˚ ତାହାକୁ ଠିକ୍‌ ଢଙ୍ଗରେ ବ୍ୟବହାର କରାଯାଇପାରିଥାନ୍ତା। ଏହାକୁ ଉଭୟ ସାମି ଓ ଯଶପ୍ରୀତ ବୁମ୍‌ରା ଆଫଗାନିସ୍ତାନ ବିପକ୍ଷରେ ପକାଇବାରେ ସଫଳ ହୋଇଥିଲେ। ବ୍ୟାଟ ପାଖକୁ ବଲ୍‌ ଆସିଯାଉଥିବାରୁ ଫୁଲର ଲେନ୍ଥ ବଲ୍‌ ପକାଇନଥିଲୁ। ଆମେ ମଧ୍ୟ ଜାଣିଥିଲୁ ଯେ, ସେମାନେ ସଟ୍‌ ବଲ୍‌କୁ ଭଲ ଖେଳିପାରନ୍ତି। ତେଣୁ ଆମର ରଣନୀତି ଅତି ସହଜ ଥିଲା। ଭିନ୍ନଭିନ୍ନ ଦୂରତାରୁ ସଟ୍‌ ବଲ୍‌ ପକାଇବାରୁ ଆମେ ସଫଳ ହୋଇଥିଲୁ।

ଅଲରାଉଣ୍ଡର ମହମ୍ମଦ ନବିଙ୍କ ବିଷୟରେ ସାମି କହିଛନ୍ତି ଯେ, ତାଙ୍କର ଅର୍ଧଶତକୀୟ ପାଳି ଆମକୁ ଚିଡ଼ଚିଡ଼ା କରିଦେଇଥିଲା। କିନ୍ତୁ ବ୍ୟାଟ୍ସମ୍ୟାନଙ୍କୁ ଆମର ଚିଡ଼ାପଣ ନଦେଖାଇ ଖେଳିଚାଲିଥିଲୁ। କାରଣ ବ୍ୟାଟ୍ସମ୍ୟାନ ଆମ ସ୍ବଭାବର ଫାଇଦା ଉଠାଇ ପାରିଥାନ୍ତେ। ନବି ଆଉଟ ହେଲେ ମ୍ୟାଚ୍‌ ଆମ ପଟକୁ ଢଳିଯିବ ବୋଲି ଆମେ ଜାଣିଥିଲୁ। ସେ ହିଁ କେବଳ ଜଣେ ମାତ୍ର ଖେଳାଳି ଯିଏକି ଆଫଗାନିସ୍ତାନ ପାଳିକୁ ଉଜ୍ଜୀବିତ ରଖିଥିଲେ। ଆହତ ସମସ୍ୟା ପରେ ଦଳକୁ ଫେରିବା ପାଇଁ ଦୁଇ ବର୍ଷ ସମୟ ଲାଗିଥିଲା। ଫଳରେ ଓଜନ ବଢ଼ିଯାଇଥିବା ଅନୁଭବ ହୋଇଥିଲା। ପ୍ରଥମ ସ୍ପେଲ ବୋଲି˚ କରିବା ପରେ ମୋତେ କ୍ଲାନ୍ତ ହେଲାଭଳି ଲାଗୁଥିଲା। ମୋର ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା। ଏଭଳି ପରିସ୍ଥିତିରେ ଯଦି ମୋତେ କ୍ରିକେଟ୍‌ ଖେଳ ଜାରି ରଖିବାକୁ ଥିଲା, ତେଣୁ କିଛି ଅଲଗା କରିବାକୁ ହେବ ବୋଲି ଚିନ୍ତା କରି ସେ ଖେଳିଥିଲେ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର