ଧୋନି ଖେଳିଲେ ୧୫୦ ମ୍ୟାଚ୍‌, ବ୍ରାଭୋଙ୍କୁ ଟପିଲେ ଅଶ୍ବିନ୍‌

ଚେନ୍ନାଇ: ମହେନ୍ଦ୍ର ସିଂହ ଧୋନି ଶନିବାର ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ପକ୍ଷରୁ ବ୍ୟକ୍ତିଗତ ଭାବେ ୧୫୦ତମ ମ୍ୟାଚ୍‌ ଖେଳିଛନ୍ତି। ଏହି ସଂଖ୍ୟା ଧୋନିଙ୍କ ପାଇଁ ସ୍ବତନ୍ତ୍ର ରହିଛି। ଏହି ମ୍ୟାଚ୍‌ରେ ମଧ୍ୟ ଧୋନି ଦର୍ଶକ ଏବଂ ଦଳକୁ ନିରାଶ କରିନଥିଲେ। ଏକ ସମୟରେ ଚେନ୍ନାଇ ୧୪ତମ ଓଭର ବେଳକୁ ୧୦୦ ରନ୍‌ରେ ୩ ୱିକେଟ୍‌ ହରାଇ ସଂଘର୍ଷ କରୁଥିଲା ବେଳେ ଅମ୍ବାତି ରାୟୁଡୁଙ୍କୁ ସାଥୀ କରି ଧୋନି ଅସମାପ୍ତ ଚତୁର୍ଥ ୱିକେଟ୍‌ରେ ୬୦ ରନ୍‌ ଯୋଡ଼ିଥିଲେ। ସେ ଏକ ଦାୟିତ୍ବବାନ ଅଧିନାୟକ ପାଳି ଖେଳି ୨୩ ବଲ୍‌ରୁ ୪ ‌ଚୌକା ଓ ୧ ଛକା ବଳରେ ୩୭ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କ ପାଳି ବଳରେ ମଧ୍ୟ ଚେନ୍ନାଇ ୧୬୦/୩ କରିନେଇଥିଲା। ଧୋନି ମଧ୍ୟ ଚେପକ୍‌ ଷ୍ଟାଡିୟମ୍‌ରେ ୫୦ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିଲେ। ‌ଶନିବାର ପୂର୍ବରୁ ଚେପକ୍‌ରେ ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ଖେଳିଥିବା ଶେଷ ୧୫ ମ୍ୟାଚ୍‌ ମଧ୍ୟରୁ ମାତ୍ର ଗୋଟିଏ ହାରିଥିଲା। ଅନ୍ୟପକ୍ଷରେ ଚେପକ୍‌ ଷ୍ଟାଡିୟମ୍‌ରେ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ସର୍ବାଧିକ ଆଇପିଏଲ୍‌ ୱିକେଟ୍‌ ଦଖଲକାରୀ ବୋଲର ହୋଇଛନ୍ତି। ସେ ଏକ୍ଷେତ୍ରରେ ଚେନ୍ନାଇ ସୁପର କିଙ୍ଗ୍‌ସର ୱେଷ୍ଟଇଣ୍ଡିଜ୍‌ ବୋଲର ଡ୍ବେନ୍‌ ବ୍ରାଭୋଙ୍କୁ ଟପି ଯାଇଛନ୍ତି। ଆହତ ଯୋଗୁଁ ପ୍ରାୟ ଦୁଇ ସପ୍ତାହ ପାଇଁ ଚଳିତ ଆଇପିଏଲ୍‌ ଖେଳିବାରୁ ବଞ୍ଚିତ ହୋଇଥିବା ବ୍ରାଭୋ ଚେପକ୍‌ରେ ଏପର୍ଯ୍ୟନ୍ତ ମୋଟ ୪୪ ୱିକେଟ୍‌ ନେଇ ଆଗରେ ଥିଲେ। ଏଠାରେ ଅଶ୍ବିନ୍‌ଙ୍କ ୱିକେଟ୍‌ ସଂଖ୍ୟା ୪୩ ଥିଲା। ହେଲେ ଶନିବାର ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ୩ ୱିକେଟ୍‌ ଅକ୍ତିଆର କରିବା ପରେ ଅଶ୍ବିନ୍‌ଙ୍କ ୱିକେଟ୍‌ ସଂଖ୍ୟା ୪୬ରେ ପହଞ୍ଚିଯାଇଛି। ଅଶ୍ବିନ୍‌ ଚଳିତ ଆଇପିଏଲ୍‌ରେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର ନେତୃତ୍ବ ନେଉଛନ୍ତି।

ସମ୍ବନ୍ଧିତ ଖବର