ଧୋନିଙ୍କ ୫ ସାହାସିକ ନିଷ୍ପତ୍ତି, ଯାହା ଭାରତୀୟ କ୍ରିକେଟ୍ ସହ କିଛି ଖେଳାଳିଙ୍କ ଭାଗ୍ୟ ବଦଳାଇ ଦେଇଥିଲା

ଯୋଗୀନ୍ଦର ଶର୍ମାଙ୍କ ସେହି ଶେଷ ଓଭର, ରୋହିତ ଶର୍ମାଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲି ସମ୍ଭବତଃ ଭାରତୀୟ କ୍ରିକେଟ୍ ଦଳକୁ ବିଦେଶରେ ବିଜୟୀ ହେବାର କଳା ଶିଖାଇଥିଲେ। ହେଲେ ମେହେନ୍ଦ୍ର ସିଂହ ଧୋନି ଭାରତକୁ ପୁଣି ଥରେ ବିଶ୍ବବିଜୟୀ ହେବାର ଆତ୍ମବିଶ୍ବାସ ଦେଇଥିଲେ। ତାଙ୍କ ସାହସିକ ତଥା ଅଭିନବ ନିଷ୍ପତ୍ତି ପାଇଁ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍ ସହ ଦ୍ବିତୀୟ ଥର ପାଇଁ ଦିନିକିଆ ବିଶ୍ବକପ୍ ଜିତିଥିଲା। ସେହିଭଳି ଦେଶ ବିଦେଶରେ ଅନେକ ମହତ୍ବପୂର୍ଣ୍ଣ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଥିଲା। ଭାରତ ବିଶ୍ବକପ୍ (୨୦୧୯) ସେମିଫାଇନାଲରୁ ବିଦାୟ ନେବା ପରେ କିନ୍ତୁ ଖୋଦ୍ ଧୋନିଙ୍କ ଖେଳ ଜୀବନ ନେଇ ସଂଶୟ ସୃଷ୍ଟି ହୋଇଛି। ଧୋନି ଏହାର ଠିକ୍ ପରେ ପରେ ଆତ୍ମଘୋଷିତ ନିର୍ବାସନକୁ ଚାଲି ଯାଇଥିଲେ। ଆଇପିଏଲ-୨୦୨୦ରେ ହିଁ ସେ କ୍ରିକେଟ୍‌କୁ ଫେରିବେ ବୋଲି ଚର୍ଚା ହେଉଥିଲା। ଧୋନି ମଧ୍ୟ ଏଥିପାଇଁ ଚେନ୍ନାଇରେ ଅଭ୍ୟାସ ଆରମ୍ଭ କରି ଦେଇଥିଲେ। ତେବେ କରୋନା ଆତଙ୍କ ପାଇଁ ଚଳିତ ବର୍ଷର ଆଇପିଏଲ୍ ଆୟୋଜନ ନେଇ ଆଶଙ୍କ ଦେଖାଦେଇଛି। ସେଥିପାଇଁ ଧୋନିଙ୍କ ଯୁଗ ଆପାତତଃ ଶେଷ ହୋଇଗଲା ଭଳି ଲାଗୁଛି। ଏଭଳି ସ୍ଥିତିରେ ଧୋନି ନେଇଥିବା ୫ ସାହସିକ ନିଷ୍ପତ୍ତି, ଯାହା ଭାରତୀୟ କ୍ରିକେଟ୍ ଓ କିଛି ଭାରତୀୟ ଖେଳାଳିଙ୍କ ଭାଗ୍ୟ ବଦଳାଇ ଦେଇଥିଲା, ତା ଉପରେ ଆସନ୍ତୁ ନଜର ପକାଇବା।

ଯୋଗୀନ୍ଦର ଶର୍ମାଙ୍କ ସେହି ଶେଷ ଓଭର
ଦକ୍ଷିଣ ଆଫ୍ରିକାରେ ୨୦୦୭ ମସିହାରେ ଆୟୋଜିତ ହୋଇଥିବା ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲରେ ଅଭିଜ୍ଞ ସ୍ପିନର ହରଭଜନ ସିଂହଙ୍କର ଆହୁରି ଗୋଟିଏ ଓଭର ବାକି ଥିଲା। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ଏହି ହାଇଭୋଲଟେଜ୍ ମୁକାବିଲାର ଶେଷ ଓଭର ବୋଲିଂ କରିବାକୁ ଧୋନି କିନ୍ତୁ ଅନଭିଜ୍ଞ ଅଲରାଉଣ୍ଡର୍‌ ଯୋଗୀନ୍ଦର ଶର୍ମାଙ୍କୁ ବଲ୍‌ ଦେଇଥିଲେ। ବିଶ୍ବ ବିଜେତା ହେବା ଲାଗି ପାକିସ୍ତାନକୁ ୧୩ ରନ୍‌ର ଦରକାର ଥିଲା। ଅନ୍ୟପକ୍ଷରେ ଭାରତକୁ ତାକୁ ଏହି ରନ୍ ତଳେ ଅଟକାଇବାର ଆବଶ୍ୟକତା ଥିଲା। ପାକିସ୍ତାନର ପଲ୍ଲା ଅବଶ୍ୟ ଟିକିଏ ଭାରୀ ଥିଲା। କାରଣ ଫର୍ମରେ ଥିବା ମିସବା-ଉଲ୍-ହକ୍ ସେତେବେଳେ କ୍ରିଜ୍‌ରେ ଥିଲେ। ସପ୍ତଦଶ ଓଭରରେ ହିଁ ଭଜିଙ୍କୁ ମିସ୍‌ବା ତିନିଟି ଛକା ମାରିଥିଲେ। ସେଥିପାଇଁ ସମ୍ଭବତଃ ଯୋଗୀନ୍ଦରଙ୍କ ପାଖକୁ ‌ଧୋନି ଯାଇଥିଲେ। ୧୨୦ କୋଟି ଭାରତୀୟଙ୍କ ସ୍ବପ୍ନକୁ କାନ୍ଧରେ ରଖି ବୋଲିଂ ଆରମ୍ଭ କରିଥିବା ଯୋଗୀନ୍ଦର ପ୍ରଥମ ବଲକୁ ୱାଇଡ୍ ପକାଇଲେ। ତେବେ ପ୍ରଥମ ଆଇନସମ୍ମତ ବଲରେ କୌଣସି ରନ୍ ନ ଦେଇ ଏହାର ଭରଣା କରି ନେଇଥିଲେ। ଦ୍ବିତୀୟ ବଲ୍‌କୁ ମିସ୍‌ବା ଛକା ମାରିବା ପରେ ତୃତୀୟ ବଲ୍‌ରେ ଯୋଗୀନ୍ଦର ତାଙ୍କୁ ଆଉଟ କରି ଦେଇଥିଲେ। ଏହା ପରେ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ ପାକିସ୍ତାନକୁ ହରାଇ ଜୋହାନେସବର୍ଗର ୱାଣ୍ଡରର୍ସ ଷ୍ଟାଡିୟମରେ ନୂଆ ଇତିହାସ ରଚିଥିଲା।

ରୋହିତ ଶର୍ମାଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ
ଧୋନିଙ୍କ ଖେଳ ଜୀବନରେ ୨୦୧୩ ମସିହା ସ୍ବତନ୍ତ୍ର ମହତ୍ବ ରଖେ। ଏହି ବର୍ଷ ‌ ଧୋନି ଏକମାତ୍ର ଅଧିନାୟକ ଭାବେ ଟ୍ବେଣ୍ଟି-୨୦ ବିଶ୍ବକପ୍, ୫୦ ଓଭରିଆ ବିଶ୍ବକପ୍ ଓ ଚାମ୍ପିଅନ୍ସ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଥିଲେ। ‌ ହେଲେ ଏହି ବର୍ଷ ଅସ୍ଥିର ପ୍ରଦର୍ଶନ ଦେବା ସହ ଭାରତୀୟ ଦଳରେ ନିଜ ସ୍ଥାନ ପକ୍କା କରିବା ଲାଗି ସଂଘର୍ଷ କରୁଥିବା ଜଣେ ଖେଳାଳିଙ୍କ ଭାଗ୍ୟ ବି ବଦଳି ଯାଇଥିଲା। ସେହି ଖେଳାଳି ଜଣକ ହେଲେ ରୋହିତ ଶର୍ମା। ୨୦୦୭ରୁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ରୋହିତ ନିଜ ଖେଳ ଜୀବନକୁ ନେଇ ଆଶଙ୍କାରେ ଥିଲେ। ଠିକ୍ ଏତିକି ବେଳେ ଧୋନି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। ୨୦୧୧ର ଦକ୍ଷିଣ ଆଫ୍ରିକା ଗସ୍ତରେ ଧୋନି ପ୍ରଥମେ ରୋହିତଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ଦେଇଥିଲେ। ହେଲେ ୩ ପାଳିରୁ ସେ ମାତ୍ର ୨୯ ରନ୍ କରି ପାରିଥିଲେ। ୨୦୧୩ ଜାନୁଆରିରେ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ଧୋନି ପୁଣି ଥରେ ତାଙ୍କୁ ଏହି ସୁଯୋଗ ଦେଇଥିଲେ। ‌ ମୋହାଲିରେ ୮୩ ରନ୍‌ର ପାଳି ଖେଳିବା ସହ ରୋହିତ ଆଉ ପଛକୁ ଫେରି ଚାହିଁ ନଥିଲେ। ଏବେ ସୁଦ୍ଧା ରୋହିତ ଦିନିକିଆ କ୍ରିକେଟରେ ଏକାଧିକ ଦ୍ବିଶତକ ଅର୍ଜନ କରିବା ସହ ଭାରତୀୟ କ୍ରିକେଟ୍ ଦଳର ମେରୁଦଣ୍ଡ ପାଲଟିଛନ୍ତି।

୨୦୧୧ ବିଶ୍ବକପ୍ ଫାଇନାଲରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବା
୨୦୧୧ ବିଶ୍ବକପ୍‌ ଫାଇନାଲରେ ଭାରତ ୨୭୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା। ବୀରେନ୍ଦ୍ର ସେହବାଗ, ସଚିନ ତେନ୍ଦୁଲକର ଓ ବିରାଟ କୋହଲି କିନ୍ତୁ ସଅଳ ପ୍ୟାଭିଲିୟନ ଫେରି ଯାଇଥିଲେ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଧୋନି ଚତୁର୍ଥ ସ୍ଥାନରେ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ। ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକଙ୍କ ସହ ଟେଲିଭିଜନ୍ ପରଦାରେ ମ୍ୟାଚ୍ ଦେଖୁଥିବା କୋଟି କୋଟି ଭାରତୀୟ କ୍ରିକେଟ୍ ପ୍ରେମୀ ଘୋର ଚିନ୍ତାରେ ଥିଲେ। ବଳିଷ୍ଠ ଅଧିନାୟକତ୍ବର ପରିଚୟ ଦେଇ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହଙ୍କ ପରିବର୍ତେ ଧୋନି ନିଜେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଭାରତ ବିଜୟରେ ମୁଣ୍ଡି ମାରିବା ପରେ ଯାଇ ଶାନ୍ତିର ନିଶ୍ବାସ ମାରିଥିଲେ। ଧୋନି ୯୧ ରନ୍‌ର ଅପରାଜିତ ପାଳି ଖେଳିବା ସହ ଭାରତ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଜିତିଥିଲା। ଗୌତମ ଗମ୍ଭୀରଙ୍କ ୯୭ ରନ୍‌ର ପାଳି ଭାରତକୁ ସଙ୍କଟରୁ ମୁକୁଳାଇଥିଲା। ହେଲେ ଧୋନିଙ୍କ ଅବିଶ୍ବସନୀୟ ପାଳି ଭାରତକୁ ବିଜୟୀ କରାଇଥିଲା। ସେଥିପାଇଁ ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ‌ ହୋଇଥିଲେ।

ସମ୍ବନ୍ଧିତ ଖବର