ଦିଲିପ ତିର୍କିଙ୍କୁ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଦୂରଦର୍ଶୀ ସମ୍ବାଦଭିତ୍ତିକ ପତ୍ରିକା ପକ୍ଷରୁ ‘ଦୂରଦର୍ଶୀ କ୍ରୀଡ଼ା ସମ୍ମାନ-୨୦୧୮’ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ମଙ୍ଗଳବାର ଇଡ୍‌କଲ୍‌ ଅଡିଟୋରିୟମରେ ଆୟୋଜିତ ହୋଇଯାଇଛି। ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ କ୍ରୀଡ଼ାରେ ପ୍ରତିଷ୍ଠା ଲାଭ କରିଥିବା ବିଶିଷ୍ଟ କ୍ରୀଡ଼ାବିତ୍‌, ସାମ୍ବାଦିକ ଓ ସମୀକ୍ଷକ, ପ୍ରଶିକ୍ଷକ ଏବଂ କ୍ରୀଡ଼ା ପୃଷ୍ଠପୋଷକମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଚଳିତ ବର୍ଷ ପଦ୍ମଶ୍ରୀ ଦିଲିପ ତିର୍କି, କ୍ରୀଡ଼ା ପ୍ରଶିକ୍ଷକ କିଶୋର ମଣିଆ, କ୍ରୀଡ଼ା ପୃଷ୍ଠପୋଷକ ଭାବେ ନାଲ୍‌କୋ, ଅନ୍ତର୍ଜାତୀୟ କ୍ରୀଡ଼ା ଘୋଷକ ଅମୀୟ କୁମାର ଚାନ୍ଦ, ନବରଂଜନ ପଟ୍ଟନାୟକ, ମନୋଜ କୁମାର ମାନସିଂହ, କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ କିଟ୍‌ ଓ କିସ୍‌, ଭାରତୀ ଭୂଷଣ ମିଶ୍ର, ପୃଥ୍ଵୀରାଜ ସାହୁ, କ୍ରୀଡ଼ା ସଂଗଠକ ଭାବେ ସହିଦ ସ୍ପୋର୍ଟିଂ କ୍ଲବ୍‌, ଆରୁଷୀ ଶ୍ରୀଚନ୍ଦନ, ଅନୁରାଧା ପାତ୍ର, ଦୀପ୍ତି ରଂଜନ ବେହେରା, ସ୍ପୋର୍ଟସ ଏମ୍ପୋରିୟମ, ତ୍ରିଲୋଚନ ଧଳ, କିଷନ ବରାଇ, ପ୍ରିୟଙ୍କା ମହାନ୍ତି ଏବଂ ଖୋର୍ଧା ପାଇକ ଆଖଡ଼ାକୁ ସପ୍ତମ ଦୂରଦର୍ଶୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଶକ୍ତି ସ୍ୱରୂପ ମିଶ୍ର ଏବଂ ନବରଂଜନ ପଟ୍ଟନାୟକ ଯୋଗଦେଇ ସମ୍ମାନୀତ କରିଥିଲେ। ଦୂରଦର୍ଶୀ ପତ୍ରିକାର ସମ୍ପାଦକ ଦୂର୍ଗା ପ୍ରସାଦ ସାମନ୍ତରାୟ ସଭା ପରିଚାଳନା କରିଥିଲା ବେଳେ ବ୍ୟୁରୋଚିଫ୍‌ ପ୍ରସନ୍ନ ବିଶୋୟୀ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ବିଶିଷ୍ଟ କ୍ରୀଡ଼ାବିତ୍‌ ତଥା ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ ହୋଇ ଆସୁଛି।

ସମ୍ବନ୍ଧିତ ଖବର