ଦୀପକଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା, ବିଶ୍ବ କୁସ୍ତି ସ୍ବର୍ଣ୍ଣ ପାଇଁ ଲଢ଼ିବେ

ନୁର-ସୁଲତାନ (କାଜାକସ୍ତାନ): ଚଳିତ କୁସ୍ତି ବିଶ୍ବ ପ୍ରତିଯୋଗିତା ଅବସରରେ ଭାରତୀୟ ଯୋଦ୍ଧା ଦୀପକ ପୂନିଆ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାତେଇଛନ୍ତି। କନିଷ୍ଠ ବିଶ୍ବ ବିଜେତା ଦୀପକ ପ୍ରଥମ ଥର ଲାଗି ବରିଷ୍ଠ ବିଶ୍ବ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲା ବେଳେ ଉତ୍କଣ୍ଠାପୂର୍ଣ୍ଣ କ୍ବାର୍ଟର ଫାଇନାଲ୍‌ରେ କଲମ୍ବିଆର କାର୍ଲୋସ୍‌ ଅର୍ତୁରୋ ମେନ୍ଦେଜ୍‌ଙ୍କୁ ୭-୬ରେ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିବା ସହିତ ଅଲିମ୍ପିକ୍ସ ଟିକେଟ ହାସଲ କରିଥିଲେ। ୮୬ କେଜି ବର୍ଗର ଏହି ଲଢ଼େଇ ମାତ୍ର ଗୋଟିଏ ମିନିଟ୍‌ ବାକି ଥିଲା ବେଳେ ଦୀପକ ୩-୬ରେ ପଛୁଆ ରହିଥିଲେ। ହେଲେ ଅନ୍ତିମ କ୍ଷଣରେ ନିଜର ଦମ୍‌ ଦେଖାଇ ସେ ୭-୬ରେ ଲଢ଼େଇ ଜିତି ନେଇଥିଲେ। ଏଥି ସହିତ ଦୀପକ ଚତୁର୍ଥ ଭାରତୀୟ ଭାବେ କୁସ୍ତିରୁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାତେଇଛନ୍ତି। ତାଙ୍କ ପୂର୍ବରୁ ଭିନେଶ ଫୋଗତ୍‌, ବଜରଙ୍ଗ ପୂନିଆ ଓ ରବି ଦାହିୟା ଚଳିତ ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିସାରିଛନ୍ତି। ଏହାପରେ ଦୀପକ ଶନିବାର ସେମିଫାଇନାଲ୍‌ରେ ବି ବିଜୟ ଧାରା ଜାରି ରଖି ଫାଇନାଲ୍‌ ପହଞ୍ଚି ଯାଇଛନ୍ତି। ସେମିଫାଇନାଲ୍‌ରେ ସେ ସ୍ବିଜରଲାଣ୍ଡ୍‌ ଯୋଦ୍ଧା ଷ୍ଟିଫାନ ରିଚ୍‌ମୁଥଙ୍କୁ ୮-୨ରେ ପରାସ୍ତ କରିଦେଇଥିଲେ। ଫଳରେ ଦୀପକ ବରିଷ୍ଠ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ପାଇଁ ୨୦୧୬ ରିଓ ଅଲିମ୍ପିକ୍ସ ୭୪ କେଜି ସ୍ବର୍ଣ୍ଣ ପଦକ ବିଜେତା ଇରାନ୍‌ ଯୋଦ୍ଧା ହାସନ୍‌ ୟାଜ୍‌ଦାନିଚାରଟିଙ୍କ ସହ ରବିବାର ଲଢ଼ିବେ। ଦୀପକଙ୍କ ବ୍ୟତୀତ ଅନ୍ୟତମ ଭାରତୀୟ ରାହୁଲ ଆୱାରେ ସେମିଫାଇନାଲ୍‌ରେ ହାରି ଯାଇଥିଲେ ମଧ୍ୟ ପଦକ ଦୌଡ଼ରେ ତିଷ୍ଠି ରହିଛନ୍ତି। ୬୧ କେଜି ଅଣ ଅଲିମ୍ପିକ୍‌ ବର୍ଗ କ୍ବାର୍ଟର ଫାଇନାଲ୍‌ରେ ରାହୁଲ୍‌ ଅନ୍ୟତମ କାଜାକସ୍ତାନ ଯୋଦ୍ଧା ରାସୁଲ କାଲିୟେଭ୍‌ଙ୍କୁ ୧୦-୭ରେ ପରାସ୍ତ କରିଥିଲା ବେଳେ ଶନିବାର ସେମିଫାଇନାଲ୍‌ରେ ୟୁରୋପିଆନ୍‌ ଚାମ୍ପିଅନ୍‌ସିପ୍‌ର ରୌପ୍ୟ ବିଜେତା ଜର୍ଜିଆର ବେକା ଲାମ୍‌ତାଜେଙ୍କ ନିକଟରୁ ୬-୧୦ରେ ହାର୍‌ ମାନିଥିଲେ। ତେବେ ସେ ରବିବାର କାଂସ୍ୟ ପଦକ ପାଇଁ ଲଢ଼ିବେ। ତେବେ ଜିତେନ୍ଦର (୭୯ କେଜି) କ୍ବାର୍ଟର ଫାଇନାଲ୍‌ରେ ହାରି ଯାଇଥିଲା ବେଳେ ମୌସୁମ ଖତ୍ରି (୯୭ କେଜି) ନିଜର ପ୍ରଥମ ରାଉଣ୍ଡ୍‌ ଲଢ଼େଇ ହାରି ଯାଇଛନ୍ତି। ତଥାପି ଭାରତ ଚଳିତ ବିଶ୍ବ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୪ ପଦକ ପକ୍କା କରିସାରିଥିବାରୁ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ବଦେଶ ଫେରିବା ନିଶ୍ଚିତ କରିଛି। ଏହା ପୂର୍ବରୁ ୨୦୧୩ରେ ୩ ପଦକ ଭାରତ ପାଇଁ ବିଶ୍ବ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା।

ସମ୍ବନ୍ଧିତ ଖବର