ନୂଆଦିଲ୍ଲୀ: ରୁଷିଆରେ ଆୟୋଜିତ ଫିଫା ବିଶ୍ୱକପ୍ ସମ୍ପର୍କରେ କୌଣସି ପ୍ରକାର ପ୍ରସାରଣରେ ସମ୍ପୃକ୍ତ ନ ହେବାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ୧୬୦ ସଂସ୍ଥାକୁ ନିର୍ଦେଶ ଦେଇଛନ୍ତି। ଭାରତରେ ଏହାର ପ୍ରସାରଣ ଅଧିକାର କେବଳ ସୋନି ପିକ୍ସର୍ସ ନେଟ୍ଓ୍ଵାର୍କର୍ସ୍ ଡିଷ୍ଟ୍ରିବ୍ୟୁସନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ସୋନି) ପାଇଛି। ସୋନିର ଅନୁମତି ବିନା କୌଣସି େଓ୍ଵବ୍ସାଇଟ୍ସ, କେବୁଲ୍ ଅପରେଟର୍ସ ଏବଂ ଇଣ୍ଟର୍ନେଟ୍ ସେବା ଯୋଗାଣକାରୀ ସଂସ୍ଥା ସାଧାରଣ ଲୋକଙ୍କୁ କୌଣସି ପ୍ରକାର ପ୍ରସାରଣରେ ସମ୍ପୃକ୍ତ କରିପାରିବ ନାହିଁ ବୋଲି ବିଚାରପତି ପ୍ରତିଭା ଏମ୍ ସିଂହ ଏକ ଅନ୍ତରୀଣ ନିର୍ଦେଶରେ ଉଲ୍ଲେଖ କରିଛନ୍ତି। ଅଦାଲତ ମଧ୍ୟ ଏଥି ଲାଗି ବୈତ୍ୟୁତିକ ଏବଂ ସୂଚନା ଓ ବୈଷୟିକ ବିଭାଗ (ଡିଇଆଇଟି)କୁ ନିର୍ଦେଶ ଦେଇଛନ୍ତି। ସୋନିର ବିନା ଅନୁମତିରେ ରୁଷିଆ ଫିଫା ବିଶ୍ୱକପ୍ର ପ୍ରସାରଣକୁ ବେଆଇନ୍ ବିବେଚନା କରାଯିବ ବୋଲି ଅଦାଲତ ଦର୍ଶାଇଛନ୍ତି।