ମୁକୁଟ ଆଶା ମଉଳିଲା

ସେମିରେ ଆର୍ଜେଣ୍ଟିନାଠୁ ହାରିଲା ଭାରତ

ରବିବାର କାଂସ୍ୟ ପାଇଁ ଖେଳିବ

ଭୁବନେଶ୍ୱର: ହକି ବିଶ୍ୱ ଲିଗ୍‌ର ତୃତୀୟ ତଥା ଶେଷ ସଂସ୍କରଣରେ ଭାରତର ବିଜେତା ହେବା ଆଶା ମଉଳି ଯାଇଛି। ଶୁକ୍ରବାର କୋହଲା ପାଗ ଏବଂ ଲଗାଣ ବର୍ଷାରେ ଖେଳିଥିବା ପ୍ରଥମ ସେମିଫାଇନାଲରେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନାକୁ ଟାଣୁଆ ଟକ୍କର ଦେବା ସତ୍ତ୍ୱେ ୦-୧ ଗୋଲ୍‌ରେ ହାରି ଭାରତ ଟ୍ରଫି ଦୌଡ଼ରୁ ବାଦ ପଡ଼ିଛି। ତା’ ସହ ରବିବାରର ମେଗା ଫାଇନାଲ୍‌ ଖେଳିବାରୁ ବି ବଞ୍ଚିତ ହୋଇଛି। ଭାରତକୁ ଆଜି ଆର୍ଜେଣ୍ଟିନା ଏବଂ ବର୍ଷା ମିଳିତ ଭାବେ ହରାଇଛନ୍ତି। ବର୍ଷା ପାଇଁ ଘରୋଇ ଖେଳାଳିଙ୍କ ଗତି କମି ଯିବା ସହ ଅଧିନାୟକ ମନପ୍ରୀତ ସିଂହ ଠିକଣା ସମୟରେ ହଳଦିଆ କାର୍ଡ ପାଇ ୧୦ ମିନିଟ୍‌ କାଳ ପଡ଼ିଆ ବାହାରେ ରହିବା ମଧ୍ୟ ଭାରତ ପରାଜୟର ଅନ୍ୟତମ କାରଣ ହୋଇଛି। ସେପଟେ ବିଜୟୀ ଆର୍ଜେଣ୍ଟିନା ପ୍ରଥମ ଥର ଟ୍ରଫି ତୋଳି ଧରିବାର ନିକଟତର ହୋଇଛି। ରବିବାର ଫାଇନାଲରେ ଏହି ଦଳ ଶନିବାର ଜର୍ମାନି ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ। ଅନ୍ୟ ପକ୍ଷରେ ରାଏପୁରରେ ୨୦୧୪ରେ ଆୟୋଜିତ ଗତ ସଂସ୍କରଣରେ ତୃତୀୟ ସ୍ଥାନ ଅଧିକାର କରିଥିବା ଭାରତ ଚଳିତ ଥର ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଶନିବାର ସେମିଫାଇନାଲ୍‌ ପରାଜିତ ଦଳକୁ ଭେଟିବ। ଏହି ମ୍ୟାଚ୍‌ ମଧ୍ୟ ରବିବାର ଖେଳାଯିବ। ୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଭାରତ ହାରିଥିଲା। ଶୁକ୍ରବାର ସେହି ଘଟଣାର ପୁନରାବୃତି ହୋଇଥିଲା। ଭାରତ ଆଉ ଥରେ ଏକ ବଡ଼ ପ୍ରତିଯୋଗିତାର ଫାଇନାଲକୁ ଯାଇ ପାରି ନଥିଲା। ଆଜି ମ୍ୟାଚ୍‌ରେ ଭାରତର ହରମନପ୍ରୀତ ସିଂହ ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଥିଲେ।

ମନପ୍ରୀତଙ୍କୁ ହଳଦିଆ କାର୍ଡ

ଗୋଞ୍ଜାଲୋ ଗୋଲ୍‌ କରିବାର ୪ ମିନିଟ୍‌ ପରେ ଭାରତୀୟ ଅଧିନାୟକ ମନପ୍ରୀତ ସିଂହଙ୍କୁ ବିପଜ୍ଜନକ ଖେଳ ପାଇଁ ଅମ୍ପାୟାର ହଳଦିଆ କାର୍ଡ ଦେଖାଇ ୧୦ ମିନିଟ୍‌ ପାଇଁ ପଡ଼ିଆ ବାହାରକୁ ପଠାଇବା ଭାରତ ପାଇଁ ଆଉ ଏକ ବଡ଼ ଝଟ୍‌କା ଥିଲା। ଭାରତ ପରବର୍ତୀ ୧୦ ମିନିଟ୍‌ ୧୦ ଜଣରେ ଖେଳିବାକୁ ବାଧ୍ୟ ହୋଇଥିଲା। ବର୍ଷା ପାଇଁ ବଲ୍‌ ଆଗକୁ ନେବା ଆଦୌ ସହଜ ନଥିଲା। ଏହାକୁ ଏକ ସୁଯୋଗ ଭାବେ ନେଇ ଆର୍ଜେଣ୍ଟିନା ଆକ୍ରମଣ କରିବା ପରିବର୍ତେ ରକ୍ଷଣାତ୍ମକ ହକି ଖେଳିଥିଲା। ଫଳରେ ପ୍ରଥମାର୍ଧ ସୁଦ୍ଧା ୧-୦ ଅଗ୍ରଣୀକୁ କାୟମ ରଖିଥିଲା। ମଧ୍ୟାନ୍ତରରେ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ଚିୟରଲିଡର ମଞ୍ଚକୁ ଆସି ଭାରତୀୟ ଖେଳାଳି ଏବଂ ପ୍ରବଳ ବର୍ଷାରେ ବସି ମ୍ୟାଚ୍‌ ଦେଖୁଥିବା ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ହେଲେ ଏହା କାମ ଦେଇ ନଥିଲା। ବରଂ ୩୨ ମିନିଟ୍‌ରେ ଯୁବ ତାରକା ହରମନପ୍ରୀତ ସିଂହଙ୍କ ଡାହାଣ ଆଣ୍ଠୁରେ ଷ୍ଟିକ୍‌ ବାଜିବା ଭାରତ ପାଇଁ ଆଉ ଏକ ଧକ୍କା ଥିଲା। ସେ ଏଥିଲାଗି କିଛି ସମୟ ପଡ଼ିଆ ବାହାରକୁ ଯାଇଥିଲେ ଏବଂ ଓଡ଼ିଆ ତାରକା ଦୀପସାନ ତିର୍କି ପ୍ରବେଶ କରିଥିଲେ। ୩୫ ମିନିଟ୍‌ରେ ଆକାଶଦୀପ ସିଂହ ଭାରତ ପାଇଁ ପ୍ରଥମ ପେନାଲ୍ଟି କର୍ନର ଅର୍ଜନ କରିଥିଲେ। ହେଲେ ରୂପୀନ୍ଦର ସିଂହ ଏଥିରୁ ଗୋଲ୍‌ କରି ପାରି ନଥିଲେ। ତାଙ୍କ ଷ୍ଟିକରେ ବାଜି ବଲ୍‌ ଉପରକୁ ଚାଲଯିବା ପରେ କିଛି କ୍ଷଣ ଭିତରେ ଭାରତ ଆଉ ଏକ ପେନାଲ୍ଟି କର୍ନର ପାଇଥିଲା। ସେଥିରେ ମଧ୍ୟ ବିଫଳ ହୋଇଥିଲା। ହେଲେ ପୂରା ତୃତୀୟ କ୍ୱାର୍ଟରରେ ଭାରତ ଆକ୍ରମଣରେ ଆଜେଣ୍ଟିନା ଘାଇଲା ହୋଇ ଯାଇଥିଲା। ମନପ୍ରୀତ ଫେରିବା ପରେ ପୂର୍ଣ୍ଣ ଶକ୍ତିରେ ଥିବା ଭାରତ ଦୁର୍ଭାଗ୍ୟଜନକ ଭାବେ ଗୋଲ୍‌ କରି ପାରି ନଥିଲା। ଫଳରେ ତୃତୀୟ କ୍ୱାର୍ଟର ସୁଦ୍ଧା ଭାରତ ସେହି ୦-୧ରେ ପଛୁଆ ରହିଥିଲା।

ବର୍ଷା ଭିଜା ମାହୋଲ

ଶୁକ୍ରବାର କଳିଙ୍ଗ ଦର୍ଶକ ଏକ ନିଆରା ଅନୁଭୂତି ପାଇଥିଲେ। ବର୍ଷାରେ ଭିଜି ଭିଜି ସେମାନେ ହକି ମଜା ନେଇଥିଲେ। ଖେଳାଳିମାନେ ବି କିଛି କମ୍‌ ନଥିଲେ। ଲଗାଣ ବର୍ଷାକୁ ବେଖାତିର କରି ସେମାନେ ମଧ୍ୟ ନିଜ ଦକ୍ଷତା ମୁତାବକ ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ବଲ୍‌ ବଏ’ମାନେ ବର୍ଷାରେ ଟର୍ଫକୁ ଶୁଖିଲା ରଖିବାର ଅଭିଜ୍ଞତା ପାଇଥିଲେ। ବିରତି ବେଳେ ଟର୍ଫକୁ ଶୁଖିଲା ରଖିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ସେମାନେ ଉଚ୍ଚ ପ୍ରଶଂସିତ ହୋଇଥଲେ। ଚିୟରଲିଡରମାନେ ବର୍ଷାତି’ ପିନ୍ଧି ବିଭିନ୍ନ ବଲିଉଡ୍‌ ଗୀତରେ ନୃତ୍ୟ କରିବା କଳିଙ୍ଗର କୋହଲା ପାଗରେ ଉଷ୍ମତା ଭରି ଦେଇଥିଲା। ହେଲେ ବର୍ଷାର ମାତ୍ରା ସମୟକ୍ରମେ ବଢ଼ି ଚାଲିଥିବାରୁ ଉଭୟ ଷ୍ଟାଣ୍ଡରେ ଦର୍ଶକ ସଂଖ୍ୟା ପୂର୍ବପେକ୍ଷା ଟିକିଏ କମ୍‌ ଥିଲା। ତେବେ ଛତା ଧରି ୧,୦୦୦ରୁ ଅଧିକ ପ୍ରଶଂସକ ସପ୍ତମ-ଅଷ୍ଟମ ସ୍ଥାନ ପାଇଁ ଇଂଲଣ୍ଡ ଓ ନେଦର୍‌ଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ର ମଜା ନେବା ଓଡ଼ିଶାରେ ହକି ପାଇଁ ଥିବା ଭଲ ପାଇବାକୁ ଦର୍ଶାଇଥିଲା। ଇଂଲଣ୍ଡ ଓ ନେଦର୍‌ଲାଣ୍ଡ ମ୍ୟାଚ୍‌ ବେଳେ ଥିବା ଦର୍ଶକଙ୍କ ସଂଖ୍ୟା ଭାରତ-ଆର୍ଜେଣ୍ଟିନା ମହାଲଢ଼େଇ ବେଳକୁ ଢେର ବଢ଼ି ଯାଇଥିଲା। ଓଦା ପୋଷାକ, ପାଣି ଜମିଥିବା ଟର୍ଫ ଏବଂ ଉପରୁ ପଡ଼ୁଥିବା ବଡ଼ ବଡ଼ ବର୍ଷା ଟୋପା ବି ଖେଳକୁ ରୋକି ପାରି ନଥିଲା। ଟର୍ଫକୁ ଖେଳ ଉପଯୋଗୀ କରିବା ଲାଗି ବଲ୍‌ ବଏ’ଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଶୁକ୍ରବାରର ଦୁଇଟି ଯାକ ମ୍ୟାଚ୍‌ ସମ୍ଭବ ହୋଇଥିଲା।

ପାନପୋଷ ଛାତ୍ରାବାସ ଅନ୍ତେବାସୀଙ୍କ କମାଲ

ଶୁକ୍ରବାର ସଂଧ୍ୟାର ଇଂଲଣ୍ଡ-ନେଦରଲାଣ୍ଡ ମ୍ୟାଚ୍‌ ଅପେକ୍ଷା ରାତିର ଭାରତ-ଆର୍ଜେଣ୍ଟିନା ମ୍ୟାଚ୍‌ରେ ବର୍ଷାର ମାତ୍ରା ଥିଲା ଢେର ଅଧିକ। ଏମିତିକି ଟର୍ଫରେ ମାତ୍ରାଧିକ ପାଣି ଜମି ଯାଇଥିବାରୁ ମ୍ୟାଚ୍‌ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏତିକି ବେଳେ ରାଉରକେଲାର ପାନପୋଷ କ୍ରୀଡ଼ା ଛାତ୍ରବାସରୁ ଆସିଥିବା ୨୦ ଜଣ ବଲ୍‌ ବଏ ବା ସ୍ୱେଚ୍ଛାସେବୀ ନିଜ କମାଲ ଦେଖାଇଥିଲେ। ନିୟମିତ ବ୍ୟବଧାନରେ ଟର୍ଫରୁ ମଣିଷ ଚାଳିତ ସୁପର ସୋକରରେ ଜଳ ନିଷ୍କାସନ କରି ଟର୍ଫକୁ ଖେଳ ଉପଯୋଗୀ କରିଥିଲେ। କହିବାକୁ ଗଲେ ସେମାନେ ହିଁ ଶୁକ୍ରବାର ମୁକାବିଲାର ଅସଲ ନାୟକ ଥିଲେ।

କାଂସ୍ୟ ଜିତିବାକୁ ଚେଷ୍ଟା କରିବୁ: ମାରିନ୍‌

ବର୍ଷା ପାଇଁ ଆମେ ହାରିଲୁ ବୋଲି କହି ପାରିବି ନାହିଁ। ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏଭଳି ବାହାନା ଚଳେନି। ହେଲେ ଖେଳାଳିଙ୍କ ପ୍ରଦର୍ଶନରେ ମୁଁ ଖୁସି ଅଛି। ଚତୁର୍ଥ କ୍ୱାର୍ଟରରେ ସେମାନେ ଯେମିତି ଲଢ଼ିଲେ, ତାକୁ ନେଇ ଗର୍ବିତ। ଆର୍ଜେଣ୍ଟିନାର ଅଭିଜ୍ଞ ଖେଳାଳିମାନେ ଚତୁର ହକି ଖେଳିଲେ। ଆଗୁଆ ହେବା ପରେ ଉପରେ ଉପରେ ସଟ୍‌ ଖେଳି ସମୟ ଗଡ଼ାଇବାକୁ ଚେଷ୍ଟା କଲେ। ସେଥିପାଇଁ ହିଁ ସେମାନେ ବିଶ୍ୱର ଶ୍ରେଷ୍ଠ ଦଳ। ବଡ଼ କଥା ହେଲା ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନାକୁ ଆମେ ମାତ୍ର ଗୋଟିଏ ପେନାଲ୍ଟି କର୍ନର ଦେଇଥିଲୁ। ଯାହା ଏକ ବଡ଼ ସଫଳତା ବୋଲି ମୁଁ ଭାବୁଛି। ଆମକୁ ଏହି ନିରାଶାକୁ ଭୁଲି କାଂସ୍ୟ ପଦକ ମ୍ୟାଚ ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଭାରତୀୟ ପ୍ରଶିକ୍ଷକ ଜୋଏଡ୍‌ ମାରିନ୍‌ ମ୍ୟାଚ୍‌ ପରେ କହିଥିଲେ। ଶୁକ୍ରବାରର ସାମ୍ବାଦିକ ସମ୍ମିଳନୀରେ ମାରିନଙ୍କ ସହ ଥିବା ଭାରତୀୟ ଖେଳାଳି ଚିଙ୍ଗଲାସେନା ସିଂହ କହିଥିଲେ ଯେ ବର୍ଷା ପାଇଁ ଖେଳିବା ଟିକିଏ କଷ୍ଟକର ଥିଲା। କିଛିଟା ତ୍ରୁଟି ଆମେ କରିଛୁ ବୋଲି ମୁଁ ସ୍ୱୀକାର କରୁଛି। ଆମେ ଠିକ୍‌ ଭାବେ ଫିନିସିଂ କରିପାରିଲୁନି। ଯାହା ପରାଜୟର କାରଣ ହେଲା।

ଶେଷ କ୍ୱାର୍ଟରରେ ଟାଣୁଆ ଟକ୍କର

ପ୍ରଥମ ତିନି କ୍ୱାର୍ଟର ଅପେକ୍ଷା ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ଭାରତୀୟ ଖେଳାଳି ଅପେକ୍ଷାକୃତ ଭଲ ଖେଳିଥିଲେ। ଆର୍ଜେଣ୍ଟିନାକୁ ସେମାନେ ଟାଣୁଆ ଟକ୍କର ଦେଇଥିଲେ। ତେବେ ବର୍ଷା ପାଇଁ ଗତି ଏବଂ ତାଳମେଳରେ ସମସ୍ୟା ସୃଷ୍ଟି ହେବାରୁ ଗୋଲ୍‌ କରିବାରେ ବିଫଳ ହୋଇଥିଲେ। ଏପରିକି ଶେଷ ତିନି ମିନିଟରେ ଗୋଲ୍‌ ପୋଷ୍ଟ୍‌ ଛାଡ଼ି ଗୋଲ୍‌ ରକ୍ଷକ ଆର୍ଜେଣ୍ଟିନା ଉପରେ ଆକ୍ରମଣ କରିଥିଲେ। ତେବେ ସବୁ ଆକ୍ରମଣକୁ ଆର୍ଜେଣ୍ଟିନା ସଫଳତାର ସହ ପ୍ରତିହତ କରି ନେଇଥିଲା। ପାଗ ଖରାପ ହେବା ସହ ଭାରତ ପାଇଁ ଆଜି ବେଳା ବି ଭଲ ନଥିଲା। ସେଥିପାଇଁ ଏକାଧିକ ସୁବର୍ଣ୍ଣ ସୁଯୋଗରୁ ଭାରତ ଲାଭ ଉଠାଇ ପାରି ନଥିଲା।

ଗୋଞ୍ଜାଲୋଙ୍କ ବିଜୟ ସୂଚକ ଗୋଲ୍‌

ଶୁକ୍ରବାର ମୁକାବିଲାରେ ଆରମ୍ଭରୁ ଆକ୍ରମଣ କରି ଭାରତ ଭିଜା ଭିଜା ମାହୋଲରେ ଉଷ୍ମତା ଭରି ଦେଇଥିଲା। ଲାଗୁଥିଲା ଯେମିତି ଭାରତୀୟ ଖେଳାଳିମାନେ ବେଲଜିୟମ ମ୍ୟାଚ୍‌କୁ ଯେଉଁଠାରୁ ଛାଡ଼ିଥିଲେ ଆର୍ଜେଣ୍ଟିନା ଲଢ଼େଇକୁ ସେହିଠାରୁ ଆରମ୍ଭ କରିଥିଲେ। ପ୍ରଥମ ମିନିଟ୍‌ରେ ହିଁ ଭାରତୀୟ ଅଗ୍ରଭାଗ ଖେଳାଳିମାନେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନାର ଡି’ ଅଞ୍ଚଳରେ ପ୍ରବେଶ କରି ଯାଇଥିଲେ। ହେଲେ ସଜାଗ ଆର୍ଜେଣ୍ଟିନୀୟ ରକ୍ଷଣଭାଗ ଭାରତର ଏହି ଆକ୍ରମଣକୁ ପ୍ରତିହତ କରିଦେଇଥିଲା। ପ୍ରତିଆକ୍ରମଣ କରି ଆର୍ଜେଣ୍ଟିନା ତୃତୀୟ ମିନିଟ୍‌ରେ ପେନାଲ୍ଟି ଅର୍ଜନ କରିଥିଲା। ତେବେ ଭିଡିଓ ରେଫରାଲ ପରେ ଅମ୍ପାୟାର ଏହାକୁ ନାକଚ କରିବାକୁ ବାଧ୍ୟ ହୋଇଥିଲେ। ଚର୍ତୁଦଶ ମିନିଟ୍‌ରେ ଆକାଶଦୀପ ସିଂହଙ୍କ ମୁହଁରେ ଆର୍ଜେଣ୍ଟିନା ଖେଳାଳିଙ୍କ ଷ୍ଟିକ୍‌ ବାଜିବା ପରେ ସେ ସାମାନ୍ୟ ଆହତ ହୋଇଥିଲେ। ତା’ ସହ ଆଶା ଏବଂ ଆଶଙ୍କା ଭିତରେ ପ୍ରଥମ ୧୫ ମିନିଟର ଖେଳ ଶେଷ ହୋଇଥିଲା। ଏଥିରେ ଉଭୟ ଦଳ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ଦ୍ୱିତୀୟ କ୍ୱାର୍ଟର ଆରମ୍ଭ ହେବା ପରେ ଆର୍ଜେଣ୍ଟିନା ଡାହାଣ ପଟୁ ଘନ ଘନ ଆକ୍ରମଣ କରିଥିଲା। ସ୍ଥାନୀୟ ତାରକା ବୀରେନ୍ଦ୍ର ଲାକ୍ରା ଡି’ ଅଞ୍ଚଳରେ ଆର୍ଜେଣ୍ଟିନା ଖେଳାଳିଙ୍କୁ ଅବରୋଧ କରିବା ପରେ ରେଫରାଲ ପରେ ଅମ୍ପାୟାର ଆର୍ଜେଣ୍ଟିନାକୁ ମ୍ୟାଚ୍‌ର ପ୍ରଥମ ପେନାଲ୍ଟି କର୍ନର ଉପହାର ଦେଇଥିଲେ। ସପ୍ତଦଶ ମିନିଟରେ ମିଳିଥିବା ଏହି ପେନାଲ୍ଟି କର୍ନରକୁ ଦୁଇ ନମ୍ବର ଖେଳାଳି ପେଲେଟ୍‌ ଗୋଞ୍ଜାଲୋ ଗୋଲ୍‌ରେ ରୂପାନ୍ତର କରି ଆର୍ଜେଣ୍ଟିନାକୁ ଆଗୁଆ କରି ଦେଇଥିଲେ। ତାଙ୍କ ଅଣ୍ଟା ଉଞ୍ଚା ଫ୍ଲିକ୍‌ ଗୋଲ୍‌ ପୋଷ୍ଟର ଡାହାଣ ପଟ ଜାଲରେ ବାଜିବା ସହ କଳିଙ୍ଗ ଷ୍ଟାଡିୟମ୍‌ କିଛି ସମୟ ପାଇଁ ପୂରା ନୀରବ ହୋଇ ଯାଇଥିଲା। ଏହି ଗୋଲ୍‌ ହିଁ ଆର୍ଜେଣ୍ଟିନାକୁ ଫାଇନାଲ୍‌ ଟିକେଟ ଦେଇଥିଲା।

ଖେଳସୂଚୀକୁ ନେଇ କାର୍ଲୋସ ଖପ୍ପା

ଭାରତ ଏବଂ ପ୍ରତିକୂଳ ପାଗକୁ ପରାସ୍ତ କରିବାରେ ସକ୍ଷମ ହୋଇ ଆର୍ଜେଣ୍ଟିନା ଫାଇନାଲ୍‌ରେ ପ୍ରବେଶ କରିଥିଲେ ମଧ୍ୟ ହକି ବିଶ୍ୱ ଲିଗ୍‌ର ଖେଳସୂଚୀ ଓ ଫର୍ମାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏହାର ପ୍ରଶିକ୍ଷକ କାର୍ଲୋସ ରିତେଗୁ। ଶୁକ୍ରବାରର ସେମିଫାଇନାଲ୍‌ରେ ଆମେ କାହା ସହ ଖେଳିବୁ ଏବଂ କେତେବେଳେ ଖେଳିବୁ ଆମକୁ ଗୁରୁବାର ରାତି ୧୦ଟାରେ କୁହାଯାଇଥିଲା। ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ଆମେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମୁକାବିଲା ସୂଚୀ ପାଇଥିଲୁ। ଆମ ତୁଳନାରେ ଭାରତ ସେମିଫାଇନାଲ୍‌ ଖେଳିବାକୁ ଭଲ ସ୍ଥିତିରେ ଆସିଥିଲା। ଆମେ ଲଗାତାର ଦିବସରେ ଖେଳିଥିବାବେଳେ ଭାରତ ଗୋଟିଏ ସମ୍ପୂର୍ଣ୍ଣ ଦିନର ବିଶ୍ରାମ ପରେ ଖେଳିଥିଲା। ଏ ପ୍ରସଙ୍ଗକୁ ଆମେ ନିଶ୍ଚିତ ଅନ୍ତର୍ଜାତୀୟ ହକି ସଂଘ (ଏଫ୍‌ଆଇଏଚ୍‌) ସମ୍ମୁଖରେ ରଖିବା ଚିନ୍ତା କରୁଛୁ। ତଥାପି ଭାରତ ବିପକ୍ଷ ସେମିଫାଇନାଲ୍‌ ବର୍ଷା ପାଇଁ ସ୍ଥଗିତ ରହିବା ସପକ୍ଷରେ ଆମେ ନ ନଥିଲୁ। ସେହିଭଳି ଲିଗର ଫର୍ମାଟକୁ ମଧ୍ୟ କାର୍ଲୋସ୍‌ ସମାଲୋଚନା କରିଥିଲେ। ଲିଗରେ ଶୀର୍ଷରେ ରହୁଥିବା ଦଳ କ୍ୱାର୍ଟରଫାଇନାଲ୍‌ରେ ହାରି ପଦକ ଦୌଡ଼ରୁ ବାଦ୍‌ ପଡ଼ିବା ଅଯୌକ୍ତିକ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର