ଅନ୍ତଃଜିଲ୍ଲା ସାହାଣୀ କପ୍‌ ଫୁଟ୍‌ବଲ୍‌:ସମ୍ବଲପୁର, ଝାରସୁଗୁଡ଼ା, ଢେଙ୍କାନାଳ, ‌ସୁନ୍ଦରଗଡ଼ ବିଜୟୀ

ସମ୍ବଲପୁର: ଅନ୍ତଃଜିଲ୍ଲା ସାହାଣୀ କପ୍ ରାଜ୍ୟ ଫୁଟବଲ୍ ପ୍ରତିଯୋଗିତାର ମଙ୍ଗଳବାର ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ ଓ ସୁନ୍ଦରଗଡ଼ ବିଜୟୀ ହୋଇଛନ୍ତି। କୁଚିଣ୍ଡାରେ ଝାରସୁଗୁଡ଼ା ୪-୧ ଗୋଲ୍‌ରେ କେନ୍ଦୁଝରକୁ ହରାଇଛି। ବିଜୟୀ ଦଳ ପକ୍ଷରୁ ମଳୟ ଚୌଧୁରୀ ୩ ଓ ୮୨ ମିନିଟ୍, ସରୋଜ ବେନିଆ ୨୫ ମିନିଟ୍ ଏବଂ ସିରୋଜ ଖାନ ୫୧ ମିନିଟ୍‌ରେ ଗୋଲ୍‌ କରିଥିବା ବେଳେ କେନ୍ଦୁଝର ପକ୍ଷରୁ ଦେବେନ୍ଦ୍ର ମାଝୀ ୧୩ ମିନିଟ୍‌ରେ ଏକମାତ୍ର ଗୋଲ୍‌ ଦେଇଥିଲେ। ଉପଜିଲ୍ଲାପାଳ ବିଶ୍ବରଞ୍ଜନ ନାଏକ, ଝାରସୁଗୁଡ଼ା ଜିଲ୍ଲା କ୍ରୀଡ଼ା ସଂଘ ଉପସଭାପତି ତାପସ ରାଏ ଚୌଧୁରୀ, ଜିତେନ୍ଦ୍ର ମହାପାତ୍ର, ଗଗନ ଶର୍ମା, କିଶୋର ନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ସମ୍ବଲପୁର ରେଳବାଇ ଷ୍ଟାଡିୟମରେ ଆୟୋଜକ ସମ୍ବଲପୁର ୨-୦ ଗୋଲ୍‌ରେ ପୁରୀକୁ ପରାସ୍ତ କରିଥିଲା। ବିଜୟୀ ଦଳର ପ୍ରଶାନ୍ତ ଓରାମ ୧୫ ଓ ୬୬ ମିନିଟ୍‌ରେ ଦୁଇଟି ଗୋଲ୍‌ ଦେଇଥିଲେ। ବିଶ୍ବମ୍ଭର ବହିଦାର, ଅକ୍ଷୟ ପ୍ରଧାନ, ଫୁଟବଲ ସଂପାଦକ ଅବଦୁଲ ଗଫର ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ନାକଟିଦେଉଳରେ ବିଶାଲ ଟିଗ୍‌ଗାଙ୍କ ୪୪ ମିନିଟ୍‌ରେ ଏକ ମାତ୍ର ଗୋଲ୍‌ ବଳରେ ‌‌ଢେଙ୍କାନାଳ ୧-୦ ଗୋଲ୍‌ରେ ମୟୂରଭଞ୍ଜକୁ ପରାସ୍ତ କରିଥିଲା। ହୀରାକୁଦ ସୁଭାଷ ମଇଦାନରେ ସୁନ୍ଦରଗଡ଼ ୪-୧ ‌‌ଗୋଲ୍‌ରେ କଳାହାଣ୍ଡିକୁ ହରାଇଥିଲା। ୧୧ ମିନିଟ୍‌ରେ ବିପିନ ବିହାରୀ ଦୁରିଆଙ୍କ ଗୋଲ ବଳରେ ଆ‌ଗୁଆ ହୋଇଥିବା ସୁନ୍ଦରଗଡ଼ ପକ୍ଷରୁ ସ୍ବାଧୀନ ବୋହେଇ ୩୧ ମିନିଟ୍‌, ମହେଶ ପ୍ରଧାନ ୩୩ ମିନିଟ୍‌, ଜମିର ଖାନ ୬୧ ମିନିଟ୍‌ ଏବଂ କିଶୋର ଖଡ଼ିଆ ୭୨ ମିନିଟ୍‌ରେ ଗୋଲ କରିଥିଲେ।। ମୁକେଶ ମିଞ୍ଜ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅତିଥି ଭାବେ ହିଣ୍ଡାଲ୍‌କୋର ବରିଷ୍ଠ ଅଧିକାରୀ ଅମିତ ସର, ସ୍ବରୂପ ପଟ୍ଟନାୟକ, ବିନୟ ପଟ୍ଟନାୟକ ଯୋଗ‌ ଦେଇଥିଲା ବେଳେ ହୀରାକୁଦ କ୍ରୀଡ଼ା ସଂଘ ସଭାପତି ଗଣେଶ ପୋଲେଇ, କାର୍ଯ୍ୟକାରୀ ସଭାପତି ସଚ୍ଚୀକାନ୍ତ ମିଶ୍ର, ସଂପାଦକ ପ୍ରତାପ ତାଣ୍ଡି, ଉପସଭାପତି ସୁନୀଲ ସାହୁ, ଫୁଟବଲ ସଂପାଦକ କ୍ଷୀରୋଦ ନାଏକ, ବାଳକୃଷ୍ଣ ତ୍ରିପାଠୀ,ବିଘ୍ନେଶ୍ବର ପାଣିଗ୍ରାହୀ, ରାଜୀବ ବିଶ୍ବାସ, ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର