ୱିମ୍ବଲଡନ୍‌: ଟ୍ରଫି ବଜାୟ ରଖିଲେ ଜୋକୋଭିକ୍‌

ଲଣ୍ଡନ: ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ ୱିମ୍ବଲଡନ୍‌ ପୁରୁଷ ଏକକ ଟ୍ରଫି ବଜାୟ ରଖିଲେ। ବିଶ୍ବ ଟେନିସ୍‌ ମାନ୍ୟତାର ଦୁଇ ଶ୍ରେଷ୍ଠ ତାରକାଙ୍କ ମଧ୍ୟରେ ରବିବାରର ଫାଇନାଲ୍‌ ଲଢ଼େଇ ତୀବ୍ର ସଂଘର୍ଷପୂର୍ଣ୍ଣ ରହିଥିଲା। କେହି ବି କାହାରିକୁ ଟ୍ରଫି ଛାଡ଼ି ଦେଲା ଭଳି ମାନସିକତାରେ ନଥିଲେ। ଯାହା ଫଳରେ ଦୁଇ ରଥୀ ପାଖାପାଖି ୫ ଘଣ୍ଟା ଧରି ପ୍ରବଳ ଲଢ଼ିଥିଲେ। ଶେଷରେ ଗତଥରର ବିଜେତା ଏହି ସର୍ବିଆ ତାରକା ୫ ସେଟ୍‌ ସଂଘର୍ଷ କରିବା ପରେ ୭-୬, ୧-୬, ୭-୬, ୪-୬ ଓ ୧୩-୧୨ (୭-୩)ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସ୍ବିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ଙ୍କୁ ପରାସ୍ତ କରିଦେଇଥିଲେ। ଏଠାରେ ଷଷ୍ଠ ଥର ପାଇଁ ଫାଇନାଲ୍‌ ପ୍ରବେଶ କରିଥିବା ଜୋକୋଭିକ୍‌ଙ୍କୁ ସହଜରେ ବାଟ ଛାଡ଼ିନଥିଲେ ୨୦ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ଫେଡେରର୍‌। ପୂର୍ବରୁ ୪ ଥର ବିଜେତା ଜୋକୋଭିକ୍‌ଙ୍କୁ ପ୍ରଥମ ଓ ତୃତୀୟ ସେଟ୍‌ରେ କଡ଼ା ଟକ୍କର ଦେଇ ହାରିଥିବା ଫେଡେରର୍‌ ଦ୍ବିତୀୟ ଓ ଚତୁର୍ଥ ସେଟ୍‌କୁ ସହଜରେ ଜିତି ମ୍ୟାଚ୍‌କୁ ପଞ୍ଚମ ତଥା ନିର୍ଣ୍ଣାୟକ ସେଟ୍‌କୁ ଟାଣି ନେଇଥିଲେ। ନିର୍ଣ୍ଣାୟକ ସେଟ୍‌ରେ ମଧ୍ୟ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ହେଲେ ୮ ଥର ୱିମ୍ବଲଡନ୍‌ ପୁରୁଷ ଏକକ ଟ୍ରଫି ହାସଲ କରିସାରିଥିବା ୩୭ ବର୍ଷ ବୟସ୍କ ଫେଡେରର୍‌ଙ୍କ ନବମ ଥର ବିଜେତା ‌‌ହେବାର ଆଶା ଧୂଳିସାତ୍‌ ହୋଇଗଲା। ପଞ୍ଚମ ସେଟ୍‌ ସବୁଠୁ ଲମ୍ବା ସମୟ ଧରି ଚାଲିଥିଲା। ସେଥିରେ ଫେଡେରର୍‌ଙ୍କୁ ୧୩-୧୨ (୭-୩) ସୁପର ଟାଇ ବ୍ରେକର୍‌ରେ ପରାସ୍ତ କରି ଜୋକୋଭିକ୍‌ ୱିମ୍ବଲଡନ୍‌ରେ ବିଜୟ ବାନା ଉଡାଇଥିଲେ। ଅଭିଜ୍ଞ ଫେଡେରର୍‌ଙ୍କ ବିପକ୍ଷରେ ଅସୀମ ଧୈର୍ଯ୍ୟ ଓ ପରାକାଷ୍ଠାର ପ୍ରଦର୍ଶନ ଦେଖାଇ ଜୋକୋଭିକ୍‌ ତିନିଟି ଯାକ (ପ୍ରଥମ, ତୃତୀୟ ଓ ପଞ୍ଚମ) ସେଟ୍‌କୁ ଟାଇବ୍ରେକର୍‌ରେ ଜିତି ନେଇଥିଲେ। ଏଥି ସହିତ ଜୋ‌କୋଭିକ୍‌ ପଞ୍ଚମ ଥର ପାଇଁ ୱିମ୍ବଲଡନ୍‌ ଟ୍ରଫି ନିଜ ନାମରେ ରଖିଲେ। ସେ ମଧ୍ୟ ଜନ୍‌ ବର୍ଗଙ୍କ ୫ ଟ୍ରଫିର ସମକକ୍ଷ ହୋଇଥିଲେ। ଜୋକୋଭିକ୍‌ଙ୍କ ଜୀବନର ଏହା ଷୋଡ଼ଶ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି। ଏହା ପୂର୍ବରୁ ଗତ ୨୦୧୪ ଓ ୨୦୧୫ ସଂସ୍କରଣ ଫାଇନାଲ୍‌ରେ ମଧ୍ୟ ଫେଡେରର୍‌ଙ୍କୁ ଜୋକୋଭିକ୍‌ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର