ଭାରତ ପାଇଁ କର ବା ମର

ଅକଲାଣ୍ଡ: ୱେଲିଂଟନ୍‌ରେ ସବୁଠାରୁ ବଡ଼ ଟ୍ବେଣ୍ଟି-୨୦ ପରାଜୟ (ରନ୍ ବ୍ୟବଧାନ) ବରଣ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ଶୁକ୍ରବାର ଅକ୍‌ଲାଣ୍ଡରେ ଶୃଙ୍ଖଳା ସମାନ ସ୍ତରକୁ ଆଣିବା ଲକ୍ଷ୍ୟରେ ଓହ୍ଲାଇବ। ତିନି ଟିକିଆ ଶୃଙ୍ଖଳାରେ ଏହି ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ହେବ। ଅକଲାଣ୍ଡରେ ନିଜ ପ୍ରଦର୍ଶନରେ ଉନ୍ନତି ଆଣି ନପାରିଲେ ଭାରତ ଶୃଙ୍ଖଳା ହାରିବ। ବିଜୟୀ ହେଲେ କିନ୍ତୁ ଶୃଙ୍ଖଳାକୁ ଜୀବୀତ ରଖିବାକୁ ସକ୍ଷମ ହେବ। ମହତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ମଧ୍ୟ ତା’ ଚୂଡ଼ାନ୍ତ ଏକାଦଶରେ କିଛିଟା ଅଦଳ ବଦଳ କରିବାର ସମ୍ଭାବନା ଅଧିକ। କାରଣ ୱେଲିଂଟନରେ ୮ଜଣ ବ୍ୟାଟ୍ସମ୍ୟାନ୍ ଖେଳାଇବା ନିଷ୍ପତ୍ତି ଫସର ଫାଟି ଯାଇଥିଲା। ଦଳରେ ଥିବା ତିନି ଜଣ ୱିକେଟ୍‌ ରକ୍ଷକ ଋଷବ ପନ୍ତ, ମହେନ୍ଦ୍ର ସିଂହ ଧୋନି ଓ ଦୀନେଶ କାର୍ତିକଙ୍କ ମଧ୍ୟରୁ ଜଣେ ବାଦ୍ ପଡ଼ି ପାରନ୍ତି। ସେହିଭଳି ଜଣେ ଅଲରାଉଣ୍ଡର ମଧ୍ୟ ବେଞ୍ଚରେ ବସିବାର ଆଶଙ୍କା ଅଧିକ। ଅକ୍‌ଲାଣ୍ଡରେ ଅଧିନାୟକ ରୋହିତ ଶର୍ମା ଦୁଇ ଜଣ ସ୍ପିନରକୁ ନେଇ ଖେଳିପାରନ୍ତି। ସେପଟେ ଦିନିକିଆ ଶୃଙ୍ଖଳାରେ ହାରିବା ପରେ ଘାଇଲା ବାଘ ଭଳି ମନେ ହେଉଥିବା ନ୍ୟୁଜିଲାଣ୍ଡ ଅକ୍‌ଲାଣ୍ଡ ବିଜୟ ସହ ଦିନିକିଆ ଶୃଙ୍ଖଳା ହାରିବା ପ୍ରତିଶୋଧ ନେବାର ଆଶାରେ ଓହ୍ଲାଇବ। ନ୍ୟୁଜିଲାଣ୍ଡ ଦଳରେ ପରିବର୍ତନର ସମ୍ଭାବନା କମ୍ ଥିଲେ ମଧ୍ୟ ସ୍କଟ୍ କୁଗେଲିନଙ୍କ ସ୍ଥାନରେ ଜେମ୍ସ ନିସାମଙ୍କୁ ଖେଳାଇବା ଘରୋଇ ଦଳ ପାଇଁ ଏକ ବିକଳ୍ପ ହୋଇପାରେ।

ଅକ୍‌ଲାଣ୍ଡ୍‌ରେ ପ୍ରଥମ ବ୍ୟାଟିଂ ଭଲ: ୱେଲିଂଟନ୍ ପିଚ୍ ଭଳି ଅକ୍‌ଲାଣ୍ଡର ଇଡେନ୍ ପାର୍କ ପିଚ୍‌କୁ ନେଇ ପୂର୍ବାନୁମାନ କରିବା ଅତ୍ୟନ୍ତ କଷ୍ଟକର। ତଥାପି ଏଠାରେ ପ୍ରଥମେ ବ୍ୟାଟିଂ କରିବା ଦଳର ବିଜୟ ପ୍ରତିଶତ ତୁଳନାତ୍ମକ ଭାବେ ଅଧିକ। ଗତବର୍ଷ ଅବଶ୍ୟ ଅଷ୍ଟ୍ରେଲିଆ ୨୪୪ ରନ୍‌ର ଲକ୍ଷ୍ୟକୁ ୭ ବଲ୍ ପୂର୍ବରୁ ହାସଲ କରି ନେଇଥିଲା। ହେଲେ ଏହା ପୂର୍ବରୁ ୧୪୩ ରନ୍‌ର ପିଛା କରି ନ୍ୟୁଜିଲାଣ୍ଡ ମାତ୍ର ୧୦ ଓଭରରେ ଅଲଆଉଟ୍ ହୋଇ ଯାଇଥିଲା। ଏଠାରେ ୯ ଦଳ ପ୍ରଥମେ ବ୍ୟାଟିଂ କରି ବିଜୟୀ ହୋଇଥିଲା ବେଳେ ୬ ଦଳ ଦ୍ବିତୀୟ ବ୍ୟାଟିଂ କରି ବିଜୟୀ ହୋଇଛନ୍ତି।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଶୁବମନ ଗିଲ୍/ବିଜୟ ଶଙ୍କର, ଋଷବ ପନ୍ତ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା/କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ/ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), ଟିମ୍ ସେଇଫର୍ଟ, କଲିନ୍ ମୁନ୍‌ରୋ, ରସ୍ ଟେଲର, ଡାରିଲ ମିଚେଲ, ଜେମ୍ସ ନିସାମ/କଲିନ୍ ଡି ଗ୍ରାଣ୍ଢୋମେ, ମିଚେଲ ସାଣ୍ଟନର, ସ୍କଟ୍ କୁଗେଲିନ, ଟିମ୍ ସାଉଦି, ଈଶ୍ ସୋଢ଼ୀ, ଲୋକି ଫର୍ଗୁସନ୍। ୫୦ରୁ ୫ ଦୂରରେ ଚହଲ: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଟ୍ବେଣ୍ଟି-୨୦ରେ ୫୦ ୱିକେଟ୍ ଅକ୍ତିଆର କରିବାଠାରୁ ୫ ୱିକେଟ୍ ପଛରେ ରହିଛନ୍ତି। ଚହଲ ସଂପ୍ରତି ୨୮ ମ୍ୟାଚ୍ ଖେଳି ୪୫ ୱିକେଟ୍ ଅକ୍ତିଆର କରିଛନ୍ତି। କେବଳ ଯଶ୍‌ପ୍ରୀତ ବୁମରା (୪୮) ଓ ରବିଚନ୍ଦ୍ରନ୍‌ ଅଶ୍ବିନ (୫୦) ଟ୍ବେଣ୍ଟି-୨୦ରେ ତାଙ୍କଠାରୁ ଅଧିକ ୱିକେଟ୍ ନେଇଛନ୍ତି। ହାର୍ଦିକ ପାଣ୍ଡ୍ୟା ୱେଲିଂଟନର ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ପୂର୍ବରୁ କେବେ ବି ୫୦ରୁ ଅଧିକ ରନ୍ ବ୍ୟୟ କରି ନଥିବା ପାଣ୍ଡ୍ୟା‌ ସେଠାରେ ନିଜ ୪ ଓଭରରେ ୫୧ ରନ୍ ଦେଇଥିଲେ। ଅକ୍‌ଲାଣ୍ଡରେ ସେ ନିଜ ପ୍ରଦର୍ଶନକୁ ସୁଧାରିବା ଲକ୍ଷ୍ୟରେ ରହିବେ। ତେବେ ସବୁ କିଛି ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଉପରେ ନିର୍ଭର କରିବ।

ଧୋନିଙ୍କ ଅଲୋଡା କୀର୍ତି
ୱେଲିଂଟନ୍‌: ୱେଲିଂଟନ୍‌ ଟ୍ବେଣ୍ଟି-୨୦ ମୁକାବିଲାରେ ବୁଧବାର ନ୍ୟୁଜିଲାଣ୍ଡ୍‌ ନିକଟରୁ ଭାରତ ୮୦ ରନ୍‌ରେ ହାରିଯାଇଥିଲା। ଏହି ମ୍ୟାଚ୍‌ରେ ୩୧ ବଲ୍‌ରୁ ୩୯ ରନ୍‌ କରିଥିବା ମହେନ୍ଦ୍ର ସିଂହ ଧୋନି ଭାରତ ପାଇଁ ସର୍ବାଧିକ ସ୍କୋରର୍‌ ଥିଲେ। ହେଲେ ୨୨୦ ରନ୍‌ ଲକ୍ଷ୍ୟକୁ ପିଛା କରିବା ଭାରତ ପାଇଁ ଧୋନିଙ୍କ ଅବଦାନ ଯଥେଷ୍ଟ ହୋଇନଥିଲା। ତେବେ ଧୋନି ଭାରତ ହାରିଥିବା ଏହି ମ୍ୟାଚ୍‌ରେ ଏକ ଅଲୋଡା କୀର୍ତି ପାଇଥିଲେ। ଏହି କୀର୍ତି ହେଲା, ପୁରୁଖା ୱିକେଟ୍‌ରକ୍ଷକ ଧୋନି ଭାରତ ପାଇଁ ଯେତେବେଳେ ବି ସର୍ବାଧିକ ସ୍କୋରର୍‌ ହୋଇଛନ୍ତି ସେତେବେଳେ ଭାରତ ସବୁ ମ୍ୟାଚ୍‌ ହାରିଛି। ୱେଲିଂଟନ୍‌ରେ ୮୦ ରନ୍‌ରେ ହାରିବା ମଧ୍ୟ ଭାରତର ସବୁଠୁ ବଡ଼ ପରାଜୟ ଥିଲା।

ସମ୍ବନ୍ଧିତ ଖବର