ଓ୍ଵାଇଡ୍‌ ପକାଇ ଶତକ କରାଇ ଦେଲେନି

ଜାମାଇକା: କ୍ରିକେଟ୍‌ରେ ଜଣେ ବ୍ୟାଟସମ୍ୟାନ୍‌ ୯୦ ରନ୍‌ରେ ଅପରାଜିତ ଥିବେ ଏବଂ ତାଙ୍କ ଦଳ ବିଜୟଠାରୁ ମାତ୍ର କିଛି ରନ୍‌ ଦୂରରେ ଥିଲେ ସମସ୍ତଙ୍କ ନଜର ସ୍ୱତଃ ଥାଏ ଶତକ ହାସଲ ଉପରେ। କିନ୍ତୁ ଅପରପକ୍ଷ ଖେଳାଳି ଯଦି ଉଦ୍ଦେଶ୍ୟମୂଳକ ଭାବେ ଅତିରିକ୍ତ ରନ୍‌ ବ୍ୟୟ କରିବେ ଏବଂ ଜାଣିଶୁଣି କ୍ଷେତ୍ରରକ୍ଷଣ ବେଳେ ବଲ୍‌ ଛାଡ଼ି ସମ୍ପୃକ୍ତ ଖେଳାଳିଙ୍କୁ ଶତକରୁ ବଞ୍ଚିତ ରଖିବେ ଦେବେ ତେବେ ଏହାକୁ ଅଣଖେଳୁଆଡ଼ ଆଚରଣ ହିଁ କୁହାଯିବ। ଏଭଳି ଏକ ଘଟଣା ଘଟିଛି ଗତ ମଙ୍ଗଳବାର ରାତିରେ। େଓ୍ଵଷ୍ଟଇଣ୍ଡିଜ୍‌ରେ ଚାଲିଥିବା ରେଜିଓନାଲ୍‌ ସୁପର୍‌୫୦ ପ୍ରତିଯୋଗିତାରେ ଲିଓ୍ଵାର୍ଡ ଆଇଲ୍ୟାଣ୍ଡ୍‌ ଓ କେଣ୍ଟ୍‌ ମ୍ୟାଚ୍‌ରେ ଏଭଳି ଘଟଣା ନଜରକୁ ଆସିଛି। ନର୍ଥ ସାଉଣ୍ଡ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କେଣ୍ଟ୍‌ ସମ୍ମୁଖରେ ଆଇଲ୍ୟାଣ୍ଡ ମାତ୍ର ୧୮୪ ରନ୍‌ ବିଜୟ ଲକ୍ଷ୍ୟ ରଖିଥିଲା। କେଣ୍ଟ୍‌ର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଜାକ୍‌ କ୍ରଲୀଙ୍କୁ କିନ୍ତୁ ଦୁର୍ଭାଗ୍ୟଜନକ ତଥା ବିବାଦୀୟ ପରିସ୍ଥିତିରେ ନିଜ ପ୍ରଥମ ଲିଷ୍ଟ୍‍-ଏ ଶତକରୁ ବଞ୍ଚିତ ହେବାକୁ ପଡ଼ିଛି। ୨୦ ବର୍ଷୀୟ କ୍ରଲୀ ବ୍ୟକ୍ତିିଗତ ଭାବେ ୯୮* ରନ୍‌ରେ ଥିବାବେଳେ ତାଙ୍କ ଦଳକୁ ବିଜୟ ପାଇଁ ୪ ରନ୍‌ ଆବଶ୍ୟକ ପଡୁଥିଲା। ପ୍ରତିପକ୍ଷ ଆଇଲ୍ୟାଣ୍ଡ୍‌ ସିମର୍‌ ସିନୋ ବ୍ରିଜ୍‌ ବୋଲିଂ କରିବାକୁ ଆସିବା ବେଳେ କେଣ୍ଟ୍‌ର ସ୍କୋର୍‌ ୧୮୦/୧ରେ ଥିଲା। ବ୍ରିଜ୍‌ କିନ୍ତୁ କ୍ରଲୀଙ୍କୁ ଶତକ କରାଇ ନ ଦେବା ଲକ୍ଷ୍ୟରେ ଜାଣିଶୁଣି ଅଫଷ୍ଟମ୍ପ୍‌ ବାହାରେ ଦୁଇଟି ଓ୍ଵାଇଡ୍‌ ପକାଇଥିଲେ। ତୃତୀୟଟି ମଧ୍ୟ ସେ ଓ୍ଵାଇଡ୍‌ ପକାଇବାକୁ ଚାହିଁଥିଲେ, କ୍ରଲୀ କିନ୍ତୁ ବ୍ୟାଟ୍‌ ସଂଯୋଗ କରାଇ ଏକ ରନ୍‌ ନେଇଥିଲେ। ପରବର୍ତୀ ବ୍ୟାଟସମ୍ୟାନ୍‌ ସିନ୍‌ ଡିକ୍‌ସନ୍‌ ମଧ୍ୟ ସାଥୀ ଖେଳାଳିଙ୍କୁ ଶତକ ସୁଯୋଗ ଦେବା ଚକ୍କରରେ ରନ୍‌ ନ ନେଇ ସମ୍ପୃକ୍ତ ଓଭରର ଅବଶିଷ୍ଟ ବଲ୍‌କୁ ରକ୍ଷଣାତ୍ମକ ଢ଼ଙ୍ଗରେ ଖେଳିଥିଲେ। ଓଭରର ଶେଷ ବଲ୍‌କୁ ସେ ମିଡ୍‌ଓ୍ଵିକେଟ୍‌ ଅଞ୍ଚଳକୁ ଖେଳିଥିଲେ। କ୍ରଲୀ ନିଜେ ଶତକ ପାଇଁ ବ୍ୟସ୍ତ ନ ହୋଇ ୧ ରନ୍‌ ନେବାକୁ ଚାହିଁଥିଲେ ମଧ୍ୟ ଡିକ୍‌ସନ୍‌ଙ୍କୁ ମନା କରି ଦେଇଥିଲେ। କିନ୍ତୁ ଏହା ବେକାର ଯାଇଥିଲା। ଆଇଲ୍ୟାଣ୍ଡ୍‌ କ୍ଷେତ୍ରରକ୍ଷକ ବଲ୍‌କୁ ସଂଗ୍ରହ ନ କରିବାରୁ ଏହା ସୀମାରେଖା ଅତିକ୍ରମ କରିଯାଇଥିଲା ଏବଂ କେଣ୍ଟ୍‌ ୯ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା। କ୍ରଲୀ କିନ୍ତୁ ନିଜର ପ୍ରଥମ ଶତକ (୯୯*)ରୁ ବଞ୍ଚିତ ହୋଇଥିଲେ। ଆଇଲ୍ୟାଣ୍ଡ୍‌ ଖେଳାଳିଙ୍କୁ କିନ୍ତୁ ଏଭଳି ବିବାଦୀୟ ତଥା ଅଣଖେଳୁଆଡ଼ ଆଚରଣ ପାଇଁ ନିନ୍ଦିତ ହେବାକୁ ପଡ଼ିଛି। ବିଭିନ୍ନ ଆଡ଼ୁ ଏହାକୁ ସମାଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର