ଏକ ବଡ଼ ସ୍କୋର୍କୁ ପିଛା କରି ଜିତିବାରେ ସବୁବେଳେ ଦୁଇଟି ଦିଗ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ପ୍ରଥମଟି ହେଲା ତୁମେ ଆରମ୍ଭରୁ ପ୍ରହାର କରି ପ୍ରତିପକ୍ଷ ବୋଲରଙ୍କୁ ଚାପରେ ରଖିବା। ଆଉ ଦ୍ୱିତୀୟଟି ହେଲା ମ୍ୟାଚ୍ ସାରା ଆବଶ୍ୟକ ରନ୍ ରେଟ୍ର ପାଖାପାଖି ରହିବା। ଯାହାକି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍ରେ ପ୍ରମାଣିତ କରିଛି। ଧୋନିଙ୍କ ଆଦର୍ଶରେ ଅନୁପ୍ରାଣିତ ଚେନ୍ନାଇ ଦଳ ଗତ ଦୁଇଟି ମ୍ୟାଚ୍କୁ ପରାଜୟ ସ୍ଥିତିରୁ ବିଜୟକୁ ଟାଣି ନେବାରେ ସମର୍ଥ ହୋଇଛି। ଉଭୟ ମ୍ୟାଚ୍ରେ ଯଥାକ୍ରମେ ଡେ୍ଵନ୍ ବ୍ରାଭୋ ଓ ସାମ୍ ବିଲିଙ୍ଗ୍ସଙ୍କ ବିସ୍ଫୋରକ ପାଳି ପାଇଁ ଚେନ୍ନାଇ ପରାଜୟ ଆଶଙ୍କାରୁ ବର୍ତ୍ତି ଯାଇଛି। ଅବଶ୍ୟ ଧୋନିଙ୍କ ରଣକୌଶଳ କିଛି ସମୟରେ ଦଳକୁ କଷ୍ଟକର ସ୍ଥିତିରେ ପକାଇଛି। ହେଲେ ସେଭଳି କରିବା ଦ୍ୱାରା ପ୍ରତିପକ୍ଷ ବୋଲରଙ୍କୁ ଚାପରେ ପକାଇହେବ ବୋଲି ଧୋନି ବିଶ୍ୱାସ ରଖିଛନ୍ତି। ପୁଣି ଶେଷ କିଛି ଓଭରରେ ଉଚ୍ଚମାନର ବ୍ୟାଟିଂ କରିବା ହିଁ ଶେଷ କିଛି ଓଭରର ବୋଲିଂ ତୁଳନାରେ ମୂଲ୍ୟବାନ ବୋଲି ମୋର ମତ। ଏହାଯୋଗୁଁ ଯେତେବଡ଼ ସ୍କୋର୍ ତୁମ ଆଗରେ ଥାଉ ନା କାହିଁକି ତାକୁ ପିଛା କରିବା ଅସମ୍ଭବ ହେବ ନାହିଁ। ଯାହାକି ମୁମ୍ବାଇ ଓ କୋଲ୍କାତାରେ ଉଭୟ ଘରୋଇ ଦଳ ବିପକ୍ଷରେ ଚେନ୍ନାଇ କରି ଦେଖାଇଦେଲା। ମୋର କହିବା କଥା ହେଲା, ହାତରେ ଓ୍ଵିକେଟ୍ ରଖି ବଡ଼ ସ୍କୋର୍ ନକରିପାରିବା ମୂଲ୍ୟହୀନ। ୫୦ ଓଭରିଆ ମ୍ୟାଚ୍ରେ ହୁଏତ ଏହା ମୂଲ୍ୟ ରଖେ। ହେଲେ ୨୦ ଓଭରିଆ ମ୍ୟାଚ୍ ୧୦ ଓ୍ଵିକେଟ୍ ଥିବାରୁ ଓ୍ଵିକେଟ୍ ବଞ୍ଚାଇବା ଅପେକ୍ଷା ରନ୍ ଗତି ତ୍ୱରାନ୍ଵିତ କରିବା ହିଁ ଶ୍ରେୟସ୍କର। ୨୦୧୪ରେ ଜର୍ଜ ବେଲିଙ୍କ ନେତୃତ୍ୱରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏଭଳି ଆଭିମୁଖ୍ୟ ଆପଣାଇ ସଫଳ ହୋଇଥିଲା। ଚେନ୍ନାଇରେ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରଣ ଯୋଗୁଁ କୋଲ୍କାତା ନାଇଟ୍ ରାଇଡର୍ସ ଶେଷ ୫ ଓଭରରେ ୭୯ ରନ୍ କରିଥିଲା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ୭ ଓଭରରେ ୯୧ ରନ୍ ଯୋଡ଼ି ମ୍ୟାଚ୍ରେ ରୋମାଞ୍ଚ ଭରିଦେଇଥିଲା। ଗତ ୪ ଦିନ ମଧ୍ୟରେ ଅବିଶ୍ୱସନୀୟ କ୍ରିକେଟ୍ ଦେଖିବାକୁ ମିଳିଥିଲା ବେଳେ ଆଗାମୀ ସପ୍ତାହ ମ୍ୟାଚ୍ଗୁଡ଼ିକ ଆହୁରି ଉପଭୋଗ୍ୟ ହେବ। (ଟିସିଏମ୍)