ଭାରତରେ ବଢ଼ୁଛି ଡୋପିଂ ସମସ୍ୟା

ନୂଆଦିଲ୍ଲୀ: ୨୦୧୬ ମସିହାରେ ପାଖାପାଖି ୧୬୦୦ ଜଣ ନିଷିଦ୍ଧ ଡୋପିଂ ନିୟମ ଭାଙ୍ଗିଥିବା ନେଇ ବିଶ୍ୱ ନିଷିଦ୍ଧ ଡୋପିଂ ନିୟମ ସଂସ୍ଥା (ଓ୍ଵାଡା) ପକ୍ଷରୁ ଗୁରୁବାର ତଥ୍ୟ ପ୍ରକାଶ କରାଯାଇଛି। ଏଥିରେ ୧୧୨ କ୍ରୀଡ଼ାରେ ୧୧୭ ଦେଶର କ୍ରୀଡ଼ାବିତ୍‌ ଏବଂ ସହଯୋଗୀ କର୍ମଚାରୀ ସାମିଲ ରହିଥିବା ନେଇ ଏହି ତଥ୍ୟରେ ଦର୍ଶାଇଛି। ୨୦୧୬ ମସିହାରେ ୨୨୯,୫୧୪ ନମୂନା ସଂଗ୍ରହ ହୋଇଥିଲା। ଏହି ସବୁ ନମୂନା ଓ୍ଵାଡା ସ୍ୱୀକୃତିପ୍ରାପ୍ତ ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା। ଏଥିରୁ ୧୫୯୫ ଡୋପିଂ ନିୟମ ଭାଙ୍ଗିଥିବା ନେଇ ଜଣା ପଡ଼ିଥିଲା। ଏଥିରେ ୧୦୪୬ ପୁରୁଷ କ୍ରୀଡ଼ାବିତ୍‌ ସାମିଲ ଥିଲା ବେଳେ ଅବଶିଷ୍ଟ ମହିଳା ଥିଲେ। ଦୌଡ଼କୁଦରେ ସର୍ବାଧିକ ୨୦୫ ଥିଲା ବେଳେ ସୁନ୍ଦରସ୍ୱାସ୍ଥ୍ୟରେ ୧୮୩, ସାଇକେଲ୍‌ ଚାଳନାରେ ୧୬୫, ଭାରୋତ୍ତୋଳନରେ ୧୧୬ ଏବଂ ଫୁଟ୍‌ବଲ୍‌ରେ ୭୯ ଜଣ ରହିଛନ୍ତି। ଏସବୁ କ୍ରୀଡ଼ା ବାଦ୍‌ ଶକ୍ତିଉତ୍ତୋଳନରେ ୭୦, କୁସ୍ତିରେ ୬୪, ରଗ୍‌ବିରେ ୫୬, ଜଳକ୍ରୀଡ଼ାରେ ୩୫ ଏବଂ ମୁଷ୍ଟିଯୁଦ୍ଧରେ ୩୫ ଜଣ ରହିଛନ୍ତି। ଦେଶ ମଧ୍ୟରେ ଇଟାଲି (୧୪୭) ଶୀର୍ଷରେ ରହିଥିଲା ବେଳେ ଏହା ପଛକୁ ଫ୍ରାନ୍ସ (୮୬), ଆମେରିକା (୭୬) ଏବଂ ଅଷ୍ଟ୍ରେଲିଆ (୭୫) ରହିଛନ୍ତି। ଭାରତ (୬୯) ଷଷ୍ଠ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର