ପାକିସ୍ତାନକୁ ଯୁଗଳ ଝଟ୍‌କା, ଅଧିନାୟକ ବାଦ୍, ଅମ୍ମାଦ ନିଲମ୍ବିତ

ଭୁବନେଶ୍ବର: ହକି ବିଶ୍ବକପ୍‌ର ସବୁଠୁ ସଫଳ ଦେଶ ପାକିସ୍ତାନକୁ ଗୁରୁବାର ଯୁଗଳ ଝଟ୍‌କା ଲାଗିଛି। ଆଙ୍ଗୁଠିରେ ଆଘାତ ଲାଗିବାରୁ ଦଳର ବରିଷ୍ଠ ଖେଳାଳି ତଥା ଅଧିନାୟକ ମହମ୍ମଦ ରିଜୱାନ ସିନିଅର ବିଶ୍ବକପ୍‌ରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି। ଏତିକିରେ ବି ପାକିସ୍ତାନ ଦୁଃଖ ସୀମିତ ରହିନାହିଁ। ଦଳର ଅନ୍ୟତମ ବରିଷ୍ଠ ଖେଳାଳି ଅମ୍ମାଦ ବଟ୍ଟଙ୍କୁ ଗୋଟିଏ ମ୍ୟାଚ୍‌ରୁ ନିଲମ୍ବିତ କରାଯାଇଛି। ବୁଧବାର ମାଲେସିଆ ବିପକ୍ଷ ମ୍ୟାଚ୍‌ରେ ୪୦ତମ ମିନିଟ୍‌ରେ ସେ ଅଶୋଭନୀୟ ଆଚରଣ ଦେଖାଇଥିବାରୁ ଏଭଳି ଦଣ୍ଡ ଭୋଗିଛନ୍ତି। ଏହି ଦଣ୍ଡାଦେଶ ବିରୋଧରେ ପାକିସ୍ତାନ ମଧ୍ୟ ଅନ୍ତର୍ଜାତୀୟ ହକି ସଂଘ (ଏଫଆଇଏଚ୍‌) ବୈଷୟିକ ସମିତି ଆଗରେ ଆବେଦନ କରିଛି। ଶନିବାର ଏହାର ଚୂଡାନ୍ତ ଶୁଣାଣୀ ହେବ। ପାକିସ୍ତାନ ନିଜର ଶେଷ ପୁଲ୍ ମ୍ୟାଚ୍ ରବିବାର ନେଦରଲାଣ୍ଡ୍‌ ସହିତ ଖେଳିବ। ଅମ୍ମାଦଙ୍କ ଘଟଣା ମ୍ୟାଚ୍‌ ପରବର୍ତୀ ଚିନ୍ତାଧାରା ବୋଲି କହିଛନ୍ତି ଦଳର ପ୍ରବଂଧକ ସର୍ଦାର ହୋସେନ। ପ୍ରତି ମ୍ୟାଚ୍‌ ଲାଗି ୨୫ କ୍ୟାମେରା ଲାଗିଛି। ଅମ୍ମାଦଙ୍କ ଆଚରଣ କୌଣସି ପ୍ରକାର ନିୟମ ଉଲ୍ଲଂଘନ କରୁନାହିଁ। ଏପରିକି ଅମ୍ପାୟାର ଏଥିପାଇଁ କିଛି ବି କାର୍ଯ୍ୟାନୁଷ୍ଠାନ କି ସଙ୍କେତ ଦେଇନଥିଲେ। ଏହି ଦଣ୍ଡାଦେଶ ମାତ୍ରାଧିକ ଏବଂ ଆମେ ଏହା ବିରୋଧରେ ଆବେଦନ କରିଛୁ ବୋଲି ମଧ୍ୟ ଏକ ଭିଡିଓ ବିବୃତ୍ତିରେ ହାସନ ସର୍ଦାର ମତ ‌ରଖିଛନ୍ତି।

ସମ୍ବନ୍ଧିତ ଖବର