ହୋସ୍ ଉଡ଼ାଇଲେ ହୋପ୍-ହେଟ୍‌ମେୟର୍‌, ୱେଷ୍ଟଇଣ୍ଡିଜ୍ ୧-୦ରେ ଆଗୁଆ

ଯୁଗଳ ଶତକରେ ହାରିଲା ଭାରତ

ଚେନ୍ନାଇ: ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିବା ପରେ ଦିନିକିଆରେ ଭାରତ ସମସ୍ତଙ୍କର ପସନ୍ଦର ଦଳ ଥିଲା। ସେଥିପାଇଁ ଦିନିକିଆ ଅଭିଯାନକୁ ଭାରତ ବୃହତ୍ ବିଜୟରେ ଆରମ୍ଭ କରିବ ବୋଲି ଆଶା କରାଯାଉଥିଲା। ହେଲେ ୱେଷ୍ଟଇଣ୍ଡିଜ୍ ଉଭୟ ବଲ୍ ଏବଂ ବ୍ୟାଟ୍‌ରେ ଉନ୍ନତ କ୍ରିକେଟ୍ ‌ଖେଳି ଅପ୍ରତ୍ୟାଶିତ ବିଜୟ ହାସଲ କଲା। ଭ୍ରମଣକାରୀ ଦଳର ଦୁଇ ଯୁବ ତାରକା ସିମରନ୍ ହେଟମେୟର (୧୩୯) ଓ ସାଇ ହୋପ୍‌ (୧୦୨*)ଙ୍କ ଯୁଗଳ ଶତକ ସହ ଦୁର୍ବଳ ବୋଲିଂ ଓ କ୍ଷେତ୍ରରକ୍ଷଣ ଭାରତ ପାଇଁ କାଳ ହେଲା। ରବିବାର ଚେନ୍ନାଇ ଦିନିକିଆକୁ ଅତି ସହଜରେ ୮ ୱିକେଟ୍‌ରେ ଜିତି ‌ନେଇ ଇଣ୍ଡିଜ୍ କେବଳ କୋହଲି ବାହିନୀକୁ ଅଦିନିଆ ଝଟ୍‌କା ଦେଇ ନଥିଲା, ତିନି ଟିକିଆ ଶୃଙ୍ଖଳାରେ ମଧ୍ୟ ୧-୦ରେ ଆଗୁଆ ହୋଇ ଯାଇଥିଲା। ହେଟମେୟର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଭାରତୀୟ ବୋଲିଂ ପୁଣି ଫିକା
ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ସୁନୀଲ ଅମ୍ବ୍ରିସ (୯)ଙ୍କୁ ମାତ୍ର ୧୧ ରନ୍‌ରେ ହରାଇବା ପରେ ଭାରତ ଦେଇଥିବା ୨୮୮ ରନ୍‌ର ବିଜୟ ଲକ୍ଷ୍ୟ ୱେଷ୍ଟଇଣ୍ଡିଜ୍ ପାଇଁ କାଠିକର ପାଠ ହେବ ବୋଲି ଅନୁମାନ କରାଯାଉଥିଲା। ହେଲେ ହୋ‌ପ୍ ଓ ହେଟମେୟର ଭାରତୀୟ ବୋଲିଂ ବାହିନୀକୁ ସାହସର ସହ ମୁକାବିଲା କରିଥିଲେ। ହେଟମେୟର ଆରମ୍ଭରୁ ଆକ୍ରମଣ କରିଥିଲା ବେଳେ ହୋପ୍ କ୍ରିଜ୍‌ରେ ରହି ଇଣ୍ଡିଜ୍‌ ପାଇଁ ବିଜୟ ଆଶା ସୃଷ୍ଟି କରିଥିଲେ। ଉଭୟ ଅନେକ ଦର୍ଶନୀୟ ସଟ୍ ଖେଳି ୩୫ ଓଭର ସୁଦ୍ଧା ଇଣ୍ଡିଜ୍ ବିଜୟକୁ ଏକପ୍ରକାର ପକ୍କା କରି ନେଇଥିଲେ। ହେଟମେୟର-ହୋପ୍ ଦ୍ବିତୀୟ ୱିକେଟ୍‌ରେ ଅବିଶ୍ବସନୀୟ ଭାବେ ୨୧୮ ରନ୍ ଯୋଡ଼ିଥିଲେ। ହେଟମେୟର ନିଜ ପଞ୍ଚମ ଶତକ ପରେ ମହମ୍ମଦ ସାମିଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ସେତେବେଳକୁ କିନ୍ତୁ ଭାରତ ହାତରୁ ମ୍ୟାଚ୍ ଖସି ଯାଇଥିଲା। ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ହୋପ୍ ନିଜ ଅଷ୍ଟମ ଶତକ ହାସଲ କରିଥିଲେ। ଶିଭମ ଦୁବେଙ୍କୁ ୪୮ତମ ଓଭରରେ ତିନିଟି ଚୌକା ମାରି ୱେଷ୍ଟଇଣ୍ଡିଜ୍‌ର ଅନ୍ୟତମ ଯୁବ ତାରକା ନି‌କୋଲାସ ପୂରନ (୨୯*) ୧୩ ବଲ୍ ପୂର୍ବରୁ ନିଜ ଦଳକୁ ବିଜୟୀ କରାଇଥିଲେ। ପାଞ୍ଚଟି ଦିନିକିଆ ଶତକ ଅର୍ଜନ କରିବାରେ ହେଟମେୟର ୱେଷ୍ଟଇଣ୍ଡିଜ୍‌ର ଦ୍ରୁତତମ ଖେଳାଳି (୩୮ ପାଳି) ହୋଇଥିଲେ। ଏହି କ୍ରମରେ ସେ ସାଥୀ ଖେଳାଳି ହୋପ୍‌ (୪୬ ପାଳି)ଙ୍କୁ ଟପିଥିଲେ। ସେହିଭଳି ଚେନ୍ନାଇରେ ପଛୁଆ ବ୍ୟାଟିଂ କରି କୌଣସି ଦଳର ଏହା ସର୍ବବୃହତ୍ ବିଜୟ ଥିଲା।

ପନ୍ତଙ୍କ ପ୍ରଥମ ଅର୍ଧଶତକ ବେକାର
ୱେଷ୍ଟଇଣ୍ଡିଜ୍ ବୋଲର ସେଲଡନ୍ କଟ୍ରେଲ ୨୫ ରନ୍ ଭିତରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ (୬)ଙ୍କ ସହ ଅଧିନାୟକ ବିରାଟ କୋହଲି (୪) ଆଉଟ୍ କରି ୭ ଓଭର ଭିତରେ ଭାରତର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ବିସ୍ଫୋରକ ରୋହିତ ଶର୍ମା (୩୬) ଭଲ ଖେଳୁଥିଲେ ମଧ୍ୟ ଅପ୍ରତ୍ୟାଶିତ ଭାବେ ଅଲଜେରି ଯୋଶେଫଙ୍କ ଶିକାର ହୋଇଥିଲେ। ଭାରତ ୮୦ ରନ୍‌ରେ ତିନି ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଦୁର୍ବଳ ପ୍ରଦର୍ଶନ ପାଇଁ ନିୟମିତ ଭାବେ ସମାଲୋଚିତ ହୋଇ ଆସୁଥିବା ୱିକେଟ୍ ରକ୍ଷକ ଋଷବ ପନ୍ତ (୭୧) ଓ ଚାରି ନମ୍ବରରେ ଖେଳିଥିବା ଶ୍ରେୟସ୍ ଆୟର (୭୦) ଚତୁର୍ଥ ୱିକେଟ୍‌ରେ ୧୧୪ ରନ୍ ସଂଗ୍ରହ କରି ଭାରତର ସମ୍ମାନ ରଖିଥିଲେ। ଉଭୟ କିନ୍ତୁ ନିଜ ଅନଭିଜ୍ଞତାର ପରିଚୟ ଦେଇ ଶତକ ହାସଲର ଭଲ ସୁଯୋଗ ହାତଛଡ଼ା କରିଥିଲେ। ପ୍ରଥମ ୧୬ ବଲ୍‌ରୁ ମାତ୍ର ୬ ରନ୍ କରିଥିବା ପନ୍ତ ଆଗକୁ ରନ୍ ଗତି ବଢ଼ାଇ ୪୯ ବଲ୍‌ରୁ ଗୋଟିଏ ଛକା ଓ ପାଞ୍ଚଟି ଚୌକା ବଳରେ ନିଜ ପ୍ରଥମ ଦିନିକିଆ ଅର୍ଧଶତକ ପୂରଣ କରିଥିଲେ। ସେପଟେ ଶ୍ରେୟସ ୭୦ ବଲ୍‌ରୁ ୪ ଚୌକା ବଳରେ ପଞ୍ଚମ ଅର୍ଧଶତକ ପୂରଣ କରିଥିଲେ। ତେବେ ଏହି ଦୁଇ ଜଣ ୧୬ ରନ୍ ଭିତରେ ଆଉଟ୍ ହେବା ପରେ ଭାରତ ରନ୍ ସଂଗ୍ରହ ହାର ଆଶାଜନକ ଭାବେ ବଢ଼ାଇ ପାରି ନଥିଲା। କେଦାର ଯାଦବ ୪୦ ଓ ରବୀନ୍ଦ୍ର ଜାଦେଜା ୨୧ ରନ୍ କରିଥିଲେ। ଇଣ୍ଡିଜ୍ ବୋଲର ଚେପକ୍‌ ପିଚ୍‌ର ଠିକ୍ ଉପଯୋଗ କରି ଭାରତକୁ ୩୦୦ ରନ୍ ତଳେ ଅଟକାଇ ଦେଇଥିଲେ। ଜାଦେଜାଙ୍କୁ ଅମ୍ପାୟାର ନଟଆଉଟ୍ ‌ଘୋଷଣା କରିବା ପରେ ପଡ଼ିଆ ବାହାରୁ ସଙ୍କେତ ପାଇ ଇଣ୍ଡିଜ୍ ଅଧିନାୟକ କିରାଟ ପୋଲାର୍ଡ ତୃତୀୟ ଅମ୍ପାୟାରଙ୍କ ହସ୍ତକ୍ଷେପ ପାଇଁ ଜିଦ୍ ଧରିବା ଭାରତୀୟ ଖେଳାଳିଙ୍କୁ କ୍ଷୁବ୍ଧ କରିଥିଲା। ଜାଦେଜାଙ୍କୁ ଶେଷରେ ତୃତୀୟ ଅମ୍ପାୟାର ନାଟକୀୟ ଭାବେ ରନ୍ଆଉଟ୍ ଘୋଷଣା କରିଥିଲେ। ଭାରତ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା।

ସମ୍ବନ୍ଧିତ ଖବର