ମୀନର୍ଭା ଆସିଲାନି, ପୁନେକୁ ୱା‌କ୍‌ଓଭର

ଶନିବାର ମ୍ୟାଚ୍‌କୁ ନେଇ ବି ଆଶଙ୍କା

ଭୁବନେଶ୍ବର: ଆଇଲିଗ୍‌ ଓ ଆଇଏସ୍‌ଏଲ୍‌ର ଶୀର୍ଷ ୨୦ ଦଳକୁ ନେଇ ଶୁକ୍ରବାରଠୁ କଳିଙ୍ଗ ଷ୍ଟାଡିୟମ୍‌ରେ ସୁପର ଲିଗ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣ ଆରମ୍ଭ ହୋଇଛି। କିନ୍ତୁ ଆରମ୍ଭରୁ ଏହି ପ୍ରତିଯୋଗିତାକୁ ବଡ଼ ଝଟ୍‌କା ଲାଗିଛି। ଆଇଲିଗ୍‌ର ୭ ଦଳ ‌ଏହି ପ୍ରତିଯୋଗିତା ଖେଳିବା ନେଇ ମନା କରିଦେଇଛନ୍ତି। ପୂର୍ବ ନିଷ୍ପତ୍ତି ମୁତାବକ ଆଇଲିଗ୍‌ ଦଳ ମୀନର୍ଭା ପଞ୍ଜାବ ପ୍ରଥମ ମ୍ୟାଚ୍‌ରୁ ଓହରିଯାଇଛି। ଠିକ୍‌ ସମୟରେ ପଡ଼ିଆକୁ ମୀନର୍ଭା ନ ଆସିବାରୁ ମ୍ୟାଚ୍‌ କମିସନର ପୁନେ ସିଟିକୁ ୱାକ୍‌ଓଭର ଦେଇଛନ୍ତି। ଫଳରେ ପୁନ‌େ ସିଟି ସିଧାସଳଖ ମୁଖ୍ୟ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଏହି ଦଳ ଚଳିତ ମାସ ୩୧ ତାରିଖରେ ଚେନ୍ନାଇ ସିଟି ସହ ଖେଳିବ।

ସୁପର ଲିଗ୍‌ର ପ୍ରଥମ ମ୍ୟାଚ୍‌ ପରି ଶନିବାର ଖେଳାଯିବାକୁଥିବା ଦୁଇଟି ମ୍ୟାଚ୍‌କୁ ନେଇ ଆଶଙ୍କା ଦେଖା ଦେଇଛି। ଦିଲ୍ଲୀ ଡାଇନାମୋସ ଓ ଗୋକୁଳମ୍‌ କେରଳ ଏବଂ ଚେନ୍ନାଇନ୍‌ ଏଫ୍‌ସି ଓ ଆଇଜଲ ମଧ୍ୟରେ ଖେଳା ଯିବାକୁଥବା ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଆଇଲିଗ୍‌ର ଦୁଇ ଦଳ ଗୋକୁଳମ୍‌ କେରଳ ଏବଂ ଆଇଜଲ୍‌ ଦଳର ପ୍ରତିନିଧି ଅନୁପସ୍ଥିତ ଥିଲେ। କିନ୍ତୁ ଏହି ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଓ ଚେନ୍ନାଇନ୍‌ର ପ୍ରତିନିଧି ଉପସ୍ଥିତ ରହିବା ସହ ଶନିବାର ମ୍ୟାଚ୍‌କୁ ନେଇ ନିଜ ନିଜ ପ୍ରସ୍ତୁତି ବିଷୟରେ ଅବଗତ କରାଇଥିଲେ। ଯଦି କେରଳ ଓ ଆଇଜଲ୍‌ ଶନିବାର ନ ଖେଳନ୍ତ ତେବେ ଦିଲ୍ଲୀ ଓ ଚେନ୍ନାଇନ୍‌ ୱାକ୍‌ଓଭର ସହ ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଯିବେ। ଆଇଏସଏଲ୍‌ ପଏଣ୍ଟ୍‌ ତାଲିକାର ଅଷ୍ଟମ ସ୍ଥାନରେ ରହି ଯୋଗ୍ୟତା ମ୍ୟାଚ୍‌ ଖେଳିବାକୁ ଆସିଛି ଦିଲ୍ଲୀ। ଅଷ୍ଟମ ସ୍ଥାନରେ ଥିଲେ ମଧ୍ୟ ଶେଷ ୬ (୪ ବିଜୟ, ୨ ଅମୀମାଂସିତ) ମ୍ୟାଚ୍‌ରେ ଅପରାଜୟ ରହି ଏଠାକୁ ଦୃଢ଼ ମନୋବଳ ସହ ଆସିଛି ଏହି ଦଳ। ଶନିବାର ବିଜୟ ସହ ଅଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛି ଦିଲ୍ଲୀ। ଆମେ ଫାଇନାଲ୍‌ ଖେଳିବା ଲକ୍ଷ୍ୟରେ ରହିଛୁ। ଏବେ ପ୍ରଥମ ମ୍ୟାଚ୍‌ ଉପରେ ଆମର ଲକ୍ଷ୍ୟ। ଯଦି ଜିତିବୁ ରହିବୁ ନହେଲେ ବିଦା। ଏହି ପ୍ରତିଯୋଗିତାର ଏହା ବିଶେଷତ୍ବ ବୋଲି କହିଛନ୍ତି ଦଳର ସହ ପ୍ରଶିକ୍ଷକ ମୃଦୁଲ ବାନାର୍ଜୀ। ଏଠାରେ ଆମର ଅଭ୍ୟାସ ଭଲ ରହିଛି। ଆଇଏସ୍‌ଏଲ୍‌ରେ ଅଷ୍ଟମ ସ୍ଥାନରେ ରହିଥିଲୁ। କିନ୍ତୁ ଏଠାରେ କପ୍‌ ହାତେଇବା ଲାଗି ସବୁ ଉଦ୍ୟମ କରିବୁ ବୋଲି କହିଛନ୍ତି ବାନାର୍ଜୀ।

ଅନ୍ୟପକ୍ଷରେ ୨୦୧୭-୧୮ ଆଇଏସଏଲ୍‌ ବିଜେତା ଚେନ୍ନାଇନ୍‌ ଚଳିତ ବର୍ଷ ଭଲ କରିନାହିଁ। ପଏଣ୍ଟ୍‌ ତାଲିକାର ଦଶମ ସ୍ଥାନରେ ରହି ସୁପର କପ୍‌ ଯୋଗ୍ୟତା ପର୍ଯ୍ୟାୟ ଖେଳିବା ଲାଗି ଭୁବନେଶ୍ବରରେ ଅଛି ଦୁଇ ଥରର ଏହି ଆଇଏସଏଲ୍‌ ବିଜେତା। ଆଇଏସ୍‌ଏଲରେ ଆମ ଖରାପ ପ୍ରଦର୍ଶନ ଦେଇଛୁ। ଯାହା ପାଇଁ ଆମେ ଦୁଃଖିତ। ଏଠାରେ ଶ୍ରେଷ୍ଠ ଦେଇ କିଛି ପରିମାଣରେ ପୂର୍ବ ଗୌରବ ଫେରି ପାଇବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଜନ୍‌ ଗ୍ରିଗୋରି। ଗତ ସଂସ୍କରଣରେ ଚେନ୍ନାଇନ୍‌ ସୁପର କପ୍‌ର ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରୁ ବିଦା ହୋଇଥିଲା। ଏହି ମ୍ୟାଚ୍ ନିର୍ଧାରିତ ସମୟରେ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଟ୍ରାଇବ୍ରେକରରେ ଚେନ୍ନାଇନ୍‌କୁ ଆଇଜଲ୍‌ ହରାଇ ବିଦାୟ ରାସ୍ତା ଦେଖାଇଥିଲା। ଶନିବାର ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି। ହେଲେ ଆଇଜଲ୍‌ ଖେଳିବା ନେଇ ସନ୍ଦେହ ଥିବାରୁ ପ୍ରତିଶୋଧ ନନେଲେ ମଧ୍ୟ ଚେନ୍ନାଇନ୍‌ର ପରବର୍ତୀ ପର୍ଯ୍ୟା‌ୟ ଖେଳିବା ସ୍ପଷ୍ଟ ରହିବ।

ସମ୍ବନ୍ଧିତ ଖବର