ଅମୀମାଂସିତ ମ୍ୟାଚ୍‌ରେ ଶୁଭ୍ରାଂଶୁ ଶ୍ରେଷ୍ଠ:ଓଡ଼ିଶା ସୁଯୋଗ ହାତଛଡ଼ା

କଟକ: ଭଦୋଦରା ରଣଜୀ ଟ୍ରଫିରେ ଓଡ଼ିଶା ବିପକ୍ଷରେ ଘରୋଇ ବରୋଦା ପ୍ରଥମ ପାଳି ଅଗ୍ରଣୀ ନେବାରେ ସଫଳ ହୋଇଛି। ଫଳରେ ଏହି ଅମୀମାଂସିତ ମ୍ୟାଚ୍‌ରେ ଶୁଭ୍ରାଂଶୁ ସେନାପତି (୧୭୩) ଓ ରାଜେଶ ଧୂପର (୮୬) ଙ୍କ ଲଢୁଆ ବ୍ୟାଟିଂ ବ୍ୟର୍ଥ ଯାଇଛି। ଯଦିଓ ବିପର୍ଯ୍ୟୟରେ ଥିବା ଓଡ଼ିଶା ଦଳକୁ ଶୁଭ୍ରାଂଶୁ ତାଙ୍କ ଖେଳଜୀବନର ଶ୍ରେଷ୍ଠ ରନ୍‌ କରି ଉଦ୍ଧାର କରିଥିଲେ, କିନ୍ତୁ ତାଙ୍କ ଓ୍ଵିକେଟ ଚାଲିଯିବା ପରେ ତାସ୍‌ ପତା ପରି ଦଳର ବ୍ୟାଟିଂକ୍ରମ ଭୁଶୁଡ଼ି ଯାଇଥିଲା। ଶେଷ ଦିନରେ ଓଡ଼ିଶା ପାଳି ଅଗ୍ରଣୀଠୁ ମାତ୍ର ୮୨ରନ୍‌ ଦୂରରେ ଥିବାବେଳେ ଶୁଭ୍ରାଂଶୁଙ୍କ ଓ୍ଵିକେଟ ହରାଇଥିଲା।

ତଥାପି ପିଚ୍‌ରେ ଧୂପର ଥିବାବେଳେ ଆହୁରି ୪ଜଣ ବ୍ୟାଟିଂ କରିବା ଅପେକ୍ଷାରେ ରହିଥିଲେ। କିନ୍ତୁ ସ୍ୱପ୍ନିଲ ସିଂହଙ୍କ ଯାଦୁଗରୀ ସ୍ପେଲ୍‌ ଯୋଗୁଁ ଓଡ଼ିଶା ୩ପଏଣ୍ଟ ପାଇବାରୁ ବଞ୍ଚିତ ହୋଇଥିଲା। ଶୁଭ୍ରାଂଶୁ ଆଉଟ ହେବାର ୮ଓଭର ମଧ୍ୟରେ ଆଲୋକ ସାହୁ (୦), ଧୂପର, ସୂର୍ଯ୍ୟକାନ୍ତ ପ୍ରଧାନ (୨) ଓ ଧୀରାଜ ସିଂହ (୦) ପାଭିଲିୟନ ଫେରିବାରୁୁ ଓଡ଼ିଶା ୪୪୫ରନ୍‌ରେ ପାଳି ଶେଷ କରିଥିଲା। ଶେଷ ଦିନରେ ଓଡ଼ିଶାର ସମସ୍ତ ୫ଓ୍ଵିକେଟ ସ୍ୱପ୍ନିଲଙ୍କ ଖାତାକୁ ଯାଇଥିଲା। ଅଗ୍ରଣୀ ପାଇବା ପରେ ଦ୍ୱିତୀୟ ପାଳି ଆରମ୍ଭ କରିଥିବା ବରୋଦା ପୁଣି ଥରେ ଶ୍ରେଷ୍ଠ ବ୍ୟାଟିଂର ପ୍ରମାଣ ଦେଇ ଖେଳ ବନ୍ଦ ହେବା ବେଳକୁ ୪୩.୫ ଓଭରରେ ୧ଓ୍ଵିକେଟ ହରାଇ ୨୫୯ ରନ୍‌ ସଂଗ୍ରହ କରିଥିଲା। ବିଷ୍ଣୁ ସୋଲାଙ୍କି ୫୩ରନ୍‌ କରି ଆଉଟ ହୋଇଥିଲାବେଳେ ଆଦିତ୍ୟ ଓ୍ଵାଘମୋଡ ୧୦୧* ଓ ଦୀପକ ହୁଦା ୧୦୦* ରନ୍‌ କରି ଅପରାଜିତ ରହିଥିଲେ।

ବ୍ୟକ୍ତିଗତ ଶ୍ରେଷ୍ଠ ପାଳି ଖେଳିଥିବା ଶୁଭ୍ରାଂଶୁଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିବା ନିରାଶ ଓଡ଼ିଶା ପାଇଁ ସାନ୍ତ୍ୱନା ହୋଇଥିଲା।
ତୃତୀୟ ଦିନର ଅସମାପ୍ତ ସ୍କୋର ୩୧୬/୫ରୁ ଓଡ଼ିଶା ସୋମବାର ଖେଳ ଆରମ୍ଭ କରିଥିଲା। ଶତକ ଅର୍ଜନ କରିସାରିଥିବା ଶୁଭ୍ରାଂଶୁ ପ୍ରଥମ ଘଣ୍ଟାରେ ୧୫୦ ଅତିକ୍ରମ କରିଥିଲାବେଳେ ଧୂପର ମଧ୍ୟ ଅର୍ଧଶତକ ହାସଲ କରିଥିଲେ। ମଧ୍ୟାହ୍ନ ବିରତି ପର୍ଯ୍ୟନ୍ତ ଓଡ଼ିଶା ଆଉ ଓ୍ଵିକେଟ୍‌ ନହରାଇ ୪୧୯ରନ୍‌ କରିନେଇଥିଲା। ଦୃଢସ୍ଥିତିରେ ଓଡ଼ିଶା ପହଞ୍ଚି ସାରିଥିବାରୁ ପାଳି ଅଗ୍ରଣୀ ମଧ୍ୟ ସମ୍ଭବ ହୋଇଯିବ ବୋଲି ଅନୁମାନ କରାଯାଉଥିଲା। କେବଳ ଏତିକି ନୁହେଁ ଶୁଭ୍ରାଂଶୁ ମଧ୍ୟ ତାଙ୍କର ପ୍ରଥମ ଦ୍ୱିଶତକ ଅର୍ଜନ କରିନେବା ସମ୍ଭାବନା ରହିଥିଲା। କିନ୍ତୁ ବିରତି ପରେ ଖେଳାଯାଇଥିବା ତୃତୀୟ ଓଭରରେ ଦଳୀୟ ରନ୍‌ ୪୨୨ ହୋଇଥିଲାବେଳେ ଶୁଭ୍ରାଂଶୁ, ସ୍ୱପ୍ନିଲ ସିଂହଙ୍କ ପ୍ରଥମ ଶିକାର ହୋଇଥିଲେ।

ତଥାପି ସେ ଆଉଟ ହେବା ବେଳକୁ ଧୂପରଙ୍କ ସହ ଷଷ୍ଠ ଓ୍ଵିକେଟରେ ୧୫୦ ରନ୍‌ର ଭାଗୀଦାରି କରିସାରିଥିଲେ। ଶୁଭ୍ରାଂଶୁ ୩୯୫ ବଲ୍‌ର ସମ୍ମୁଖୀନ ହୋଇ ୨୨ଚୌକା ସହାୟତାରେ ୧୭୩ ରନ୍‌ ସଂଗ୍ରହ କରିଥିଲେ। ତାମିଲନାଡୁ ବିପକ୍ଷରେ ଦ୍ରୁତ ଖେଳି ଓଡ଼ିଶାକୁ ଅଗ୍ରଣୀ ଦେବାରେ ଅନ୍ୟତମ ଭୂମିକା ନେଇଥିବା ଆଲୋକ ସାହୁ ସପ୍ତମ ଓ୍ଵିକେଟରେ ବ୍ୟାଟିଂ କରିବାକୁ ଆସିଥିଲେ ବି ଖାତା ଖୋଲିବା ପୂର୍ବରୁ ତାଙ୍କୁ ପାଭିଲିଅନ୍‌ ଫେରିବାକୁ ପଡ଼ିଥିଲା। ସେହିପରି ସୂର୍ଯ୍ୟକାନ୍ତ ମାତ୍ର ୨ ଓ ଧୀରଜ ସିଂହ ବିନା କୌଣସି ରନ୍‌ରେ ସ୍ୱପ୍ନିଲଙ୍କ ପରବର୍ତ୍ତୀ ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର