‘ରିଓର ଅଧୁରା ସ୍ୱପ୍ନ ଟୋକିଓରେ ପୂରଣ କରିବି’

ବଡ଼ ଭଉଣୀ ମୋର ପ୍ରଥମ ଗୁରୁ: ଦୂତି

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାର ଚଳିତ ଅଷ୍ଟାଦଶ ସଂସ୍କରଣରେ ଉଦୀୟମାନ ଧାବିକା ଦୂତି ଚାନ୍ଦ ଅଦ୍ଭୁତପୂର୍ବ ସଫଳତା ହାସଲ କରି ଗୁରୁବାର ରାତିରେ ଜାକର୍ତାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିଥିଲେ। ଏହି କ୍ରୀଡ଼ାରେ ଦୂତି ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରୁ ଅମଳ କରିଥିଲେ ୨ ରୌପ୍ୟ ପଦକ। ଓଡ଼ିଶାର ଏହି ସୁନା ଝିଅକୁ ଶୁକ୍ରବାର ଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍‌ କ୍ଲବ୍‌ରେ କିସ୍‌ ଓ କିଟ୍‌ ପକ୍ଷରୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଧନା। କ୍ରୀଡ଼ା କ୍ଷେତ୍ରରେ ଦେଶ ଓ ନିଜ ରାଜ୍ୟ ଓଡ଼ିଶା ପାଇଁ ଗୌରବ ଆଣି ଦେଇଥିବା ଦୁତିଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇବା ସାଙ୍ଗକୁ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। ସମ୍ବର୍ଧନା ସମାରୋହରେ କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଦୁତିଙ୍କ ପ୍ରଶିକ୍ଷକ ନାଗପୁରୀ ରମେଶ ଉପସ୍ଥିତ ଥିଲେ। ଦେଶପାଇଁ ଦୂତି ଆଗକୁ ଆହୁରି ପଦକ ଜିତିବା ସହିତ ନୂଆ କୀର୍ତିମାନ ମଧ୍ୟ ପ୍ରତିଷ୍ଠା କରିବେ ବୋଲି ଉଭୟେ ଆଶା ପ୍ରକଟ କରିଥିଲେ। ଏହି ଅବସରରେ ‘ସମ୍ବାଦ’ ପକ୍ଷରୁ ଦୂତିଙ୍କୁ ଭେଟିଥିଲେ ଆମ ନୂଆଦିଲ୍ଲୀ ପ୍ରତିନିଧି ନଇମ୍‌ ଅଖ୍‌ତର।

ପ୍ରଶ୍ନ: ପ୍ରଥମ ଥର ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଓ ଦୁଇଟି ବର୍ଗରେ ପଦକ ଜିତିବାର ସୁଖଦ ଅନୁଭୂତି କିପରି ବଖାଣିବେ?
ଉତ୍ତର: ଏସୀୟ କ୍ରୀଡ଼ାରେ ପ୍ରଥମ ଥର ଭାଗ ନେଇ ଦୁଇଟି ପଦକ ଜିତିବା ନିଶ୍ଚିତ ସୁଖଦ ଅନୁଭୂତି। ଜଣେ କ୍ରୀଡ଼ାବିତ୍‌ ପାଇଁ ଆନ୍ତର୍ଜାତିକ ସ୍ତରରେ ପଦକ ଜିତିବା କଷ୍ଟକର ବ୍ୟାପାର। ହେଲେ ଅସମ୍ଭବ ନୁହେଁ। ମୁଁ ଏସୀୟ କ୍ରୀଡ଼ା ପାଇଁ ଜାକର୍ତା ଯିବା ପୂର୍ବରୁ ପଦକ ଜିତିବାର ଆଶା ରଖିଥିଲି। ହେଲେ ଦୁଇଟି ବର୍ଗରେ ପଦକ ମିଳିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଟ୍ରାକ୍‌ରେ ସବୁବେଳେ ମୁଁ ଉନ୍ନତ ପ୍ରଦର୍ଶନ ଦେବାକୁ ପ୍ର୍ରୟାସ କରିଥାଏ। ଦୃଢତାର ସହ କହିବି, ଜାକର୍ତା କ୍ରୀଡ଼ାର ସଫଳତା ମୋତେ ଆଗକୁ ଦେଶ ପାଇଁ ପଦକ ଜିତିବାର ନିଶା ବଢାଇ ଦେଇଛି। ଅନେକ ଘାତପ୍ରତିଘାତର ସାମ୍‌ନା କରିବା ସତ୍ତ୍ୱେ ଲକ୍ଷ୍ୟ ପଥରୁ ଆଦୌ ହଟିନଥିଲି। ଯାହାର ଫଳ ପାଇଲି।

ପ୍ରଶ୍ନ: ୧୦୦ ମିଟରରେ ସ୍ୱର୍ଣ୍ଣ ନମିଳିବା କେତେ ମାତ୍ରାରେ ନିରାଶ କରିଥିଲା?
ଉତ୍ତର: ମାତ୍ର ୦.୦୨ ସେକେଣ୍ଡ ବ୍ୟବଧାନରେ ସ୍ୱର୍ଣ୍ଣ ପଦକ ହରାଇବା ନିଶ୍ଚିତ ଭାବେ ନିରାଶ କରିଥିଲା। ହେଲେ ନିଜ ପ୍ରଦର୍ଶନରେ ମୁଁ ବେଶ୍‌ ଖୁସୀ ଅଛି। ମହିଳା ୧୦୦ ମିଟରରେ ଭାରତ ପାଇଁ ୨୦ ବର୍ଷର ପଦକଶୂନ୍ୟ ଧାରା ଭାଙ୍ଗି ପାରିଥିବାରୁ ମୋ ମନ ଆନନ୍ଦରେ ଗଦ୍‌ଗଦ ହୋଇପଡ଼ିଥିଲା। ସ୍ୱର୍ଣ୍ଣ ମିଳିଥିଲେ ତାହା ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହୋଇଥାନ୍ତା। ଦୌଡ଼ରେ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ମୋର ପ୍ରଶିକ୍ଷକ ରମେଶ ସାର୍‌ଙ୍କ ପରାମର୍ଶ ମୋତେ ପ୍ରଭାବିତ କରିଥିଲା। ମୁଁ ମୋର ଲଢୁଆ ମନୋଭାବକୁ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇବାକୁ ସବୁବେଳେ ଚେଷ୍ଟା କରିଥାଏ।

ପ୍ରଶ୍ନ: ଦୁଇଟି ପଦକ ପାଇବାର ଆଶା ରଖିଥିଲେ?
ଉତ୍ତର: ୧୦୦ ମିଟର ପାଇଁ ପ୍ରସ୍ତୁତି ଜୋର୍‌ଦାର କରିଥିଲି। ସେଥିରେ ପଦକ ଅମଳ କରିବା ନିଶ୍ଚିତ ଥିଲି। ହେଲେ ୨୦୦ ମିଟରରେ ପଦକ ବୋନସ୍‌ ସଦୃଶ।

ପ୍ରଶ୍ନ: ପ୍ରଥମ ପଦକ ମିଳିବା ପରେ ଷ୍ଟାଡିୟମ୍‌ରେ ଅଭୂଲା ସ୍ମୃତି କ’ଣ ଥିଲା?
ଉତ୍ତର: ୧୦୦ ମିଟରରେ ପ୍ରଥମ ପଦକ ଜିତିବା ପରେ ମୋର ପ୍ରଶିକ୍ଷକ ରମେଶ ସାର୍‌ଙ୍କ ପାଖକୁ ଦୌଡ଼ି ଯାଇଥିଲି। ମୋର ପଦକ ତାଙ୍କୁ ପିନ୍ଧାଇ ଦେବା ସହିତ ଜାତୀୟ ପତାକାକୁ ମଧ୍ୟ ତାଙ୍କ ହାତରେ ଧରାଇ ଦେଇଥିଲି। ଏହା ମୋ ପାଇଁ ଅତ୍ୟନ୍ତ ଅଭୂଲା ସ୍ମୃତି ଥିଲା। ମୋର ସଫଳତାର ସବୁ ଶ୍ରେୟ ତାଙ୍କୁ ଯାଇଛି।

ପ୍ରଶ୍ନ: କମ୍‌ ଉଚ୍ଚତା ଯୋଗୁଁ ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିନପାରିବା ଅନେକ ବିଶେଷଜ୍ଞ ମତ ଦେଉଛନ୍ତି ? ଏହାକୁ ତୁମେ କିଭଳି ଗ୍ରହଣ କରୁଛ?
ଉତ୍ତର: ମୁଁ ଏଭଳି ମତକୁ ଗ୍ରହଣ କରୁନାହିଁ। ମୋର ଉଚ୍ଚତା କମ୍‌ ଥିଲେ ମଧ୍ୟ ଗତି ଯଥେଷ୍ଟ ଅଧିକ ରହିଛି। ଲଗାତାର ଭାବେ ମଧ୍ୟ ଏଥିରେ ଉନ୍ନତି ଆଣୁଛି। ହଁ ମୁଁ ଗୋଟିଏ କଥା କହିବି, ମୋତେ ଚେଷ୍ଟ ଫିନିସ୍‌ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଚେଷ୍ଟ ଫିନିସ୍‌ ଠିକ୍‌ ଭାବେ ହୋଇନପାରିବାରୁ ମାତ୍ର ଗୋଟିଏ ମାଇକ୍ରୋ ସେକେଣ୍ଡ୍‌ ବ୍ୟବଧାନରେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲି। କ୍ରମାଗତ କଠୋର ପ୍ରଶିକ୍ଷଣ ଗ୍ରେ ଏରିଆଗୁଡ଼ିକୁ ସୁଧାରିନେବ ବୋଲି ମୋର ବିଶ୍ୱାସ ରହିଛି।

ପ୍ରଶ୍ନ: ଚକଗୋପାଳପୁର ଗ୍ରାମରୁ ବିଶ୍ୱସ୍ତରୀୟ ଆଥ୍‌ଲେଟ୍‌ ହେବେ ବୋଲି ଭାବିଥିଲେ କି?
ଉତ୍ତର: ନା, କେବେ ମଧ୍ୟ ମୁଁ କ’ଣ ହେବି କିଛି ଭାବିନଥିଲି। ହେଲେ ମୋର ବଡ଼ ଭଉଣୀ ଧାବିକା ସରସ୍ୱତୀ ମୋତେ ଟ୍ରାକ୍‌କୁ ଓହ୍ଲାଇବାକୁ ପ୍ରେରଣା ଦେଇଥିଲେ। ସେ ହେଉଛନ୍ତି ମୋର ପ୍ରଥମ ଗୁରୁ। ବ୍ରାହ୍ମଣୀ ନଦୀ ବାଲି ପଠାରେ ଦୌଡ଼ି ଦୌଡ଼ି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଆସିପାରିଛି। ଉଚ୍ଚସ୍ତରରେ ଅଂଶ ଗ୍ରହଣର ଅନୁଭୂତି ମୋତେ ପ୍ରେରିତ କରିଛି। ମୁଁ ସବୁବେଳେ ଭାବେ, ପ୍ରତି ପ୍ରତିଯୋଗିତାରେ ପ୍ରଦର୍ଶନ ଉନ୍ନତ ହେଉ ଓ ଦେଶର ଟେକ ରହୁ। ବେକରେ ପଦକ ଓ ହାତରେ ତ୍ରିରଙ୍ଗା, ଏହା ହିଁ ଜଣେ ଭାରତୀୟ କ୍ରୀଡ଼ାବିତ୍‌ର ସମ୍ପତ୍ତି। ଏଥିପାଇଁ ମୁଁ ଆଜି ଖୁବ୍‌ ଗର୍ବିତ।

ପ୍ରଶ୍ନ: ଜାକର୍ତା ଏସିଆଡ୍‌ର ସଫଳତା କାହାକୁ ସମର୍ପିତ କରିବେ?
ଉତ୍ତର: ୧୦୦ ମିଟର ସଫଳତାର ଶ୍ରେୟ ମୋର ପରିବାରବର୍ଗ, ପ୍ରଶିକ୍ଷକ ନାଗପୁରୀ ରମେଶ ସାର୍‌, କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହିତ ରାଜ୍ୟ ସରକାରଙ୍କୁ ଦେଉଛି। ଆଉ ୨୦୦ ମିଟର ସଫଳତା ପୂରା ଭାରତବାସୀଙ୍କୁ ସମର୍ପିତ କରୁଛି।

ପ୍ରଶ୍ନ: ଗାଁ ଝିଅ ଦୁତିଙ୍କ ଆନ୍ତର୍ଜାତିକ ଜାତୀୟ କ୍ରୀଡ଼ାରେ ପ୍ରତିଦ୍ୱନ୍ଦ୍ୱିତା ମାନ ବୃଦ୍ଧି କରିବ କି?
ଉତ୍ତର: ଦେଶରେ ଆଥ୍‌ଲେଟ୍‌ଙ୍କ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ଜଣେ ଦୁଇଜଣଙ୍କ ସଫଳତାକୁ ଭିତ୍ତିି କରି ଏହାକୁ ଆକଳନ କରିବା ଉଚିତ ନୁହେଁ। ଏହାକୁ ସାମଗ୍ରିକ ଭାବେ ଦେଖିବାକୁ ପଡ଼ିବ। ମୋ ମତରେ ଦେଶର କୋଣଅନୁକୋଣରେ ଲୁକାୟିତ ପ୍ରତିଭା ଭରି ରହିଛନ୍ତି। ଦେଶରେ କ୍ରୀଡ଼ା ସାଙ୍ଗକୁ ଆଧୁନିକ କଳାକୌଶଳର ବିକାଶ ହୋଇଚାଲିଛି। ଖେଳାଳିମାନଙ୍କୁ ଉଚିତ ପ୍ରଶିକ୍ଷଣ ଏବଂ ଆର୍ଥିକ ବ୍ୟବସ୍ଥା କରାଗଲେ ଆଗକୁ ଦେଶପାଇଁ ଅନେକ ପଦକ ଆଶା କରାଯାଇପାରିବ।

ପ୍ରଶ୍ନ: ରାଜ୍ୟ ସରକାର ଘୋଷଣା କରିଥିବା ୩ କୋଟି ପୁରସ୍କାର ରାଶିରେ ସନ୍ତୁଷ୍ଟ କି?
ଉତ୍ତର: ନିଶ୍ଚିତ ଭାବେ। ରାଜ୍ୟ ସରକାର କେବଳ ୩ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିନାହାନ୍ତି, ବରଂ ଅଲିମ୍ପିକ୍ସର ସ୍ୱପ୍ନ ପୂରଣ କରିବା ପାଇଁ ସବୁ ପ୍ରକାର ସହାୟତା ଓ ସହଯୋଗର ହାତ ବଢ଼ାଇଛନ୍ତି। ତାହା ସ୍ୱାଗତଯୋଗ୍ୟ।

ପ୍ରଶ୍ନ: ଆଗକୁ ଲକ୍ଷ୍ୟ?
ଉତ୍ତର: ବିନା ଦ୍ୱିଧାରେ କହିବି ଅଲିମ୍ପିକ୍ସ। ରିଓରେ ଅଧୁରା ସ୍ୱପ୍ନକୁ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପୂରଣ କରିବି। କଠିନ ପ୍ରଶିକ୍ଷଣ ସହ ଅଲିମ୍ପିକ୍ସରେ କିପରି ପଦକ ଜିତିବି ଏବଂ ସାରା ଦେଶକୁ ଗୌରବାନ୍ଵିତ କରିବି ତାହା ହିଁ ମୋର ଏବେ ପରବର୍ତୀ ତଥା ଏକମାତ୍ର ଲକ୍ଷ୍ୟ।

ସମ୍ବନ୍ଧିତ ଖବର