ଦୂତିଙ୍କୁ ୧୦୦ ମିଟର ଏସୀୟ ଯୋଗ୍ୟତା, ଜାତୀୟ ଦୌଡ଼କୁଦ

କଟକ: ୨୦୦ ମିଟର ପରେ ଓଡ଼ିଆ ଧାବିକା ଦୂତି ଚାନ୍ଦ ଏବେ ୧୦୦ ମିଟର ଦୌଡ଼ ପାଇଁ ଏସୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନ କରିଛନ୍ତି। ଗୁରୁବାର ଗୌହାଟୀରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦର ୧୦୦ ମିଟର ହିଟ୍ସରେ ଦୂତି ୧୧.୪୨ ସେକେଣ୍ଡ ସମୟ ନେଇ ଏହି ଯୋଗ୍ୟତା ପାଇଥିଲେ। ଏହି ଇଭେଣ୍ଟ ପାଇଁ ଏସୀୟ ଯୋଗ୍ୟତା ମାନଦଣ୍ଡ ୧୧.୬୭ ସେକେଣ୍ଡ ରହିଥିଲା। ଅନ୍ୟପକ୍ଷରେ ଶ୍ରାବଣୀ ନନ୍ଦ ୧୧.୯୬ ସେକେଣ୍ଡ ସମୟ ନେଇ ହିଟ୍ସରେ ଦ୍ୱିତୀୟ ସ୍ଥାନରେ ରହିବାରୁ ଶୁକ୍ରବାର ଦୂତିଙ୍କ ସହ ସେମିଫାଇନାଲ୍‌ରେ ଦୌଡ଼ିବେ। ଶୁକ୍ରବାର ମହିଳା ୧୦୦ ମିଟରର ସେମି ଫାଇନାଲ୍‌ ଓ ଫାଇନାଲ୍‌ ଖେଳାଯିବ। ଅନ୍ୟପକ୍ଷରେ ୪୦୦ ମିଟର ଦୌଡ଼ ଫାଇନାଲ୍‌ରେ ଓଡ଼ିଆ ଝିଅ ଜଉନା ମୁର୍ମୁ ପ୍ରବେଶ କରିଛନ୍ତି। ଗୁରୁବାର ହିଟ୍ସରେ ଜଉନା ୫୩.୪୨ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଶୁକ୍ରବାର ଫାଇନାଲ୍‌ ଅନୁଷ୍ଠିତ ହେବ। ତେବେ ପୁରୁଷ ୧୦୦ ମିଟରରେ ଅଧିକ ଧ୍ୟାନ ଦେବା ପାଇଁ ୨୦୦ ମିଟରରୁ ଓହରି ଯାଇଥିବା ଅମୀୟ ମଲ୍ଲିକ ପୁଣିଥରେ ନିରାଶ କରିଛନ୍ତି। ୧୦୦ ମିଟର ଇଭେଣ୍ଟର ହିଟ୍ସ ପର୍ଯ୍ୟାୟ ମଧ୍ୟରେ ଅମୀୟ ସୀମିତ ରହିଯାଇଥିଲେ। ହିଟ୍ସରେ ୧୧.୫୩ ସେକେଣ୍ଡ ସମୟ ନେଇ ସେ ପଞ୍ଚମ ସ୍ଥାନରେ ରହିଥିଲେ। ଫଳରେ ଏଠାରୁ ତାଙ୍କର ଅଭିଯାନ ଶେଷ ହୋଇଯାଇଛି।

ସମ୍ବନ୍ଧିତ ଖବର