ସେମିଫାଇନାଲରେ ଦୂତି

ଜାକର୍ତା/ପାଲେମବାଙ୍ଗ: ଓଡ଼ିଆ ତାରକା ଦୂତି ଚାନ୍ଦ ଚଳିତ ଅଷ୍ଟାଦଶ ଏସୀୟ କ୍ରୀଡ଼ା ମହିଳା ୧୦୦ ମିଟର ଦୌଡ଼ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମଥର ଏସିଆଡ଼୍‍ ଖେଳୁଥିବା ଦୂତି ଶନିବାର ହିଟ୍‌-୨ରେ ଦୌଡ଼ି ୧୧.୩୮ ସେକେଣ୍ଡ ସମୟ ସହ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି। ୮ ଜଣ ଧାବିକାଙ୍କୁ ନେଇ ଆୟୋଜିତ ଯୋଗ୍ୟତା ପର୍ଯ୍ୟାୟରେ ଦୂତି ନିଜ ହିଟ୍‌ର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍‌ ଟିକେଟ ହାସଲ କରିଥିଲେ। ଏହି ହିଟ୍‌ରୁ କାଜାଖସ୍ତାନର ଓଲ୍‌ଗା ସାଫ୍ରାନୋଭା (୧୧.୪୬), ଉଜବେକିସ୍ତାନର ନିଗିନା ସାରିପୋଭା (୧୧.୫୯) ଓ ଫିଲିପାଇନ୍ସର କ୍ରିଷ୍ଟିନା ମାରି ନଟ୍‌ (୧୧.୭୪) ମଧ୍ୟ ସେମିଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ୩୨ ଜଣ ଧାବିକାଙ୍କୁ ନେଇ ଆୟୋଜିତ ଯୋଗ୍ୟତା ପର୍ଯ୍ୟାୟରୁ ଦୂତିଙ୍କ ସହ ୧୬ ଜଣ ସେମିଫାଇନାଲ ଯାଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ପ୍ରଦର୍ଶନ ଆଧାରରେ ଦୂତି ସଂପ୍ରତି ତୃତୀୟ ସ୍ଥାନରେ ଅଛନ୍ତି। ଚୀନ୍‌ର ୟଙ୍ଗଲି େଓ୍ଵଇ (୧୧.୩୨ ସେକେଣ୍ଡ) ଓ ବାହାରିନର ହଜର ଆଲଖାଲଦି (୧୧.୩୫ ସେକେଣ୍ଡ) ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେମିଫାଇନାଲ୍‌ ରବିବାର ଅପରାହ୍ନ ୫ଟାରେ ଏବଂ ଫାଇନାଲ୍‌ ରାତି ୭ଟା ୫୫ରେ ଅନୁଷ୍ଠିତ ହେବ। ସେହିଭଳି ମହିଳା ୪୦୦ ମିଟରରେ ଭାରତର ହୀମା ଦାସ ମଧ୍ୟ ନିଜ ହିଟ୍‌ର ପ୍ରଥମ ସ୍ଥାନରେ ରହି ସେମିଫାଇନାଲକୁ ଯାଇଛନ୍ତି। ହେଲେ ମହିଳା ୧୦,୦୦୦ ମିଟର ଫାଇନାଲରେ ସୁରୟା ଲୋଗନାଥନ ଏବଂ ସଂଜୀବନୀ ଯାଦବ ଯଥାକ୍ରମେ ଷଷ୍ଠ ଏବଂ ନବମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର