ଡିଏସ୍‌ କପ୍‌ ଜିତିଲା ସଂଘର୍ଷ କ୍ଲବ୍‌

ବୌଦ୍ଧ/ବାଉଁଶୁଣି: ବାଉଁଶୁଣୀ ଖେଳ ପଡ଼ିଆରେ ବୌଦ୍ଧ ଜିଲ୍ଲା ଫୁଟ୍‌ବଲ୍‌୍‌ ସଂଘ ଆନୁକୂଲ୍ୟରେ ଆୟୋଜିତ ତ୍ରୟୋଦଶ ସର୍ବଭାରତୀୟ ଡିଏସ୍‌୍‌ କପ୍‌୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମୁକାବିଲାରେ ଓଡ଼ିଶା ପୁଲିସ (କଟକ) ଦଳକୁ ପରାସ୍ତ କରି ଭୁବନେଶ୍ୱରର ସଂଘର୍ଷ କ୍ଲବ୍‌ ବିଜେତା ହୋଇଛି। ନିର୍ଧାରିତ ସମୟ ଗୋଲଖ୍‌ ଶୂନ୍ୟ ରହିବା ପରେ ଟାଇବ୍ରେକରର ସହାୟତା ନିଆଯାଇଥିଲା। ଏଥିରେ ୩-୨ ଗୋଲ୍‌ରେ ସଂଘର୍ଷ କ୍ଲବ୍‌ ବିଜୟୀ ହୋଇଥିଲା। ବିଜେତା ସଂଘର୍ଷ କ୍ଲବକୁ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କା ଏବଂ ଉପବିଜେତା ଓଡ଼ିଶା ପୁଲିସ ଦଳକୁ ଟ୍ରଫି ସହ ନଗଦ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସଂଘର୍ଷ କ୍ଲବ୍‌ର ମୋରିସ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ସଂଘର୍ଷ କ୍ଲବ୍‌ର ସୌମ୍ୟରଂଜନ ଦାସ ଶ୍ରେଷ୍ଠ ଗୋଲ୍‌ରକ୍ଷକ, ଓଡ଼ିଶା ପୁଲିସ ଦଳର ମନୋଜ ଟୁଡୁ ଶ୍ରେଷ୍ଠ ରକ୍ଷଣଭାଗ, ଆଇତାସିଂ ଗୁରୁମଙ୍କୁ ପ୍ରତିଯୋଗିତାର ଶ୍ରେଷଠ ଖେଳାଳି ପୁରସ୍କାର ମିଳିଥିଲା।
ରାଜୁ ପଟ୍ଟନାୟକ, ସୁରେଶ ଦାସ ଓ ତରୁଣ ପ୍ରଧାନ ମ୍ୟାଚ୍‌ ପରିଚାଳନା କରିଥିଲେ। ଚତୁର୍ଥ ରେଫରି ଭାବେ ଜ୍ୟୋତି ସ୍ୱାଇଁ ଦାୟିତ୍ୱ ନିର୍ବାହ କରିଥିଲେ।

ସମ୍ବନ୍ଧିତ ଖବର