ଦୁବାଇ ସୁପର ସିରିଜ୍ ବ୍ୟାଡ୍ମିଣ୍ଟନ: ସେମିରେ ସିନ୍ଧୁ-ଚେନ୍ ମୁହାଁମୁହିଁ
ଦୁବାଇ: ଚଳିତ ଦୁବାଇ ସୁପର ସିରିଜ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ତାରକା ପିଭି ସିନ୍ଧୁ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିଛନ୍ତି। ପ୍ରଥମ ଦୁଇ ମ୍ୟାଚ୍ ଜିତି ସେମିଫାଇନାଲ୍ରେ ସ୍ଥାନ ପକ୍କା କରି ସାରିଥିବା ସିନ୍ଧୁ ଶୁକ୍ରବାର ମହିଳା ଏକକର ତୃତୀୟ ତଥା ଅନ୍ତିମ ଲିଗ୍ ମ୍ୟାଚ୍ରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ଜାପାନର ଅକାନେ ଆମାଗୁଚିଙ୍କୁ ୨୧-୯, ୨୧-୧୩ ସିଧାସଳଖ ଗେମ୍ରେ ହରାଇ ହ୍ୟାଟ୍ରିକ୍ (କ୍ରମାଗତ ତୃତୀୟ) ବିଜୟ ପାଇଥିଲେ। ଏହି ମ୍ୟାଚ୍ ଜିତିବା ପାଇଁ ବିଶ୍ୱ ମାନ୍ୟତାର ତୃତୀୟ ସିନ୍ଧୁ ମାତ୍ର ୩୬ ମିନିଟ୍ ସମୟ ନେଇଥିଲେ। ଏହି ମ୍ୟାଚ୍ ଜିତି ସିନ୍ଧୁ ମଧ୍ୟ ୟାମାଗୁଜିଙ୍କ ବିପକ୍ଷରେ ୭ ମୁହାଁମୁହିଁରୁ ପଞ୍ଚମ ବିଜୟ ପାଇଥିଲେ। ଏଥି ସହିତ ସିନ୍ଧୁ ମଧ୍ୟ ଗ୍ରୁପ୍-ଏର ଶୀର୍ଷ ସ୍ଥାନରେ ରହିଛନ୍ତି। ଆସନ୍ତାକାଲି (ଶନିବାର) ସେମିଫାଇନାଲ୍ରେ ସିନ୍ଧୁ ଚୀନ୍ର ଚେନ୍ ୟୁଫେଇଙ୍କୁ ଭେଟିବେ। ଗ୍ରୁପ୍-ବିରେ ସାମିଲ ଥିବା ଚେନ୍ ଶୁକ୍ରବାର ଅନ୍ତିମ ଲିଗ୍ ମ୍ୟାଚ୍ରେ ଥାଇଲାଣ୍ଡ୍ର ରାଚାନକ୍ ଇଣ୍ଟାନନ୍ଙ୍କୁ ୨୧-୧୮, ୧୩-୨୧ ଓ ୨୧-୧୮ରେ ପରାସ୍ତ କରିଦେଇଥିଲେ। ଚଳିତ ବର୍ଷ ଇଣ୍ଡିଆ ଓପନ୍ ଓ କୋରିଆ ଓପନ୍ ଜିତିବା ବ୍ୟତୀତ ଗ୍ଲାସ୍ଗୋ ବିଶ୍ୱ ପ୍ରତିଯୋଗିତାରେ ରୌପ୍ୟ ଏବଂ ହଂକଂ ଓପନ୍ରେ ଉପବିଜୟିନୀ ହୋଇଥିବା ସିନ୍ଧୁ ଆଉ ଏକ ଟ୍ରଫି ସହ ୨୦୧୭କୁ ସ୍ମରଣୀୟ କରିବା ଲକ୍ଷ୍ୟ ରଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଗୋଟିଏ ବର୍ଷ ୪ ସୁପର ସିରିଜ୍ (ଇଣ୍ଡୋନେସିଆ ଓପନ୍, ଅଷ୍ଟ୍ରେଲିଆ ଓପନ୍, ଡେନ୍ମାର୍କ ଓପନ୍ ଓ ଫ୍ରେଞ୍ଚ୍ ଓପନ୍) ଟ୍ରଫି ଜିତିବାର ବିରଳ କୀର୍ତିମାନ ନିଜ ନାମରେ କରିଥିବା କିଦାମ୍ବି ଶ୍ରୀକାନ୍ତ ପୁରୁଷ ଏକକରେ କ୍ରମାଗତ ତିନିଟିଯାକ ମ୍ୟାଚ୍ ହାରିଯାଇଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍ ହାରି ସେମି ଦୌଡ଼ରୁ ବାଦ୍ ପଡ଼ିଥିବା ଶ୍ରୀକାନ୍ତ ଶୁକ୍ରବାର ଗ୍ରୁପ୍-ବିରେ ତୃତୀୟ ମ୍ୟାଚ୍ରେ ୧୭-୨୧, ୨୧-୧୦ ଓ ୧୪-୨୧ରେ ଚୀନ୍ର ୟୁକି ସି’ଙ୍କ ନିକଟରୁ ହାରି ଯାଇଛନ୍ତି।