ଦୁବାଇ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ୍‌: ଟ୍ରଫି ପାଇଁ ଲଢ଼ିବେ ସିନ୍ଧୁ-ଆମାଗୁଚି

ଦୁବାଇ: ଚଳିତ ଦୁବାଇ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ସହ ସେମିଫାଇନାଲ୍‌ରେ ପହଞ୍ଚିଥିବା ଭାରତୀୟ ଲଳନା ପିଭି ସିନ୍ଧୁ ବିଜୟ ଧାରା ଜାରି ରଖି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶନିବାର ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ବିଶ୍ୱ ମାନ୍ୟତାର ତୃତୀୟ ସିନ୍ଧୁ ୨୧-୧୫, ୨୧-୧୮ ସିଧାସଳଖ ଗେମ୍‌ରେ ଚୀନ୍‌ ପ୍ରତିଦ୍ୱନ୍ଦ୍ୱୀ ଚେନ୍‌ ୟୁଫେଇଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ସିନ୍ଧୁଙ୍କୁ ୫୯ ମିନିଟ୍‌ ଲାଗିଥିଲା। ରବିବାର ଟ୍ରଫି ମୁକାବିଲାରେ ସିନ୍ଧୁ ବିଶ୍ୱ ମାନ୍ୟତାର ଦ୍ୱିତୀୟରେ ଥିବା ଜାପାନର ଅକାନେ ଆମାଗୁଚିଙ୍କୁ ଭେଟିବେ। ଆମାଗୁଚି ଶନିବାରର ପ୍ରଥମ ସେମିଫାଇନାଲ୍‌ରେ ୧୭-୨୧, ୨୧-୧୨, ୨୧-୧୯ରେ ଥାାଇଲାଣ୍ଡ୍‌ର ରାଚାନାକ ଇଣ୍ଟାନନ୍‌ଙ୍କୁ ହରାଇଥିଲେ। ଲିଗ୍‌ ପର୍ଯ୍ୟାୟରେ ଆମାଗୁଚିଙ୍କୁ ସିନ୍ଧୁ ହରାଇବା ସହ ବିଜୟ ପରାଜୟ ବ୍ୟବଧାନ ୫-୨ ରହିଛି। ଫଳରେ ଚଳିତ ବର୍ଷ ଇଣ୍ଡିଆ ଓପନ୍‌ ଓ କୋରିଆ ଓପନ୍‌ ଜିତିବା ବ୍ୟତୀତ ଗ୍ଲାସ୍‌ଗୋ ବିଶ୍ୱ ପ୍ରତିଯୋଗିତାରେ ରୌପ୍ୟ ଏବଂ ହଂକଂ ଓପନ୍‌ରେ ଉପବିଜୟିନୀ ହୋଇଥିବା ସିନ୍ଧୁ ଆଉ ଏକ ଟ୍ରଫି ସହ ୨୦୧୭କୁ ସ୍ମରଣୀୟ କରିବାର ସୁଯୋଗ ପାଇଛନ୍ତି।

ସମ୍ବନ୍ଧିତ ଖବର