ବର୍ଷା ଯୋଗୁଁ ଗୋଟିଏ ବି ବଲ୍‌ ପଡ଼ି ପାରିଲାନି:ବାତିଲ ହୋଇପାରେ ଅନ୍ତଃଜିଲ୍ଲା କନିଷ୍ଠ କ୍ରିକେଟ୍‌

କଟକ: ସୋମବାର ଲଗାଣ ବର୍ଷା ଯୋଗୁଁ ୧୯ ବର୍ଷରୁ କମ୍‌ ଅନ୍ତଃ ଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାର ପ୍ରାରମ୍ଭିକ ଦିନରେ ଗୋଟିଏ ବି ମ୍ୟାଚ୍‌ ଖେଳାଯାଇପାରିନାହିଁ। ତେଣୁ ପ୍ରଥମ ଦିନର ମ୍ୟାଚ୍‌ଗୁଡ଼ିକୁ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଯଦି ମଙ୍ଗଳବାର ବି ବର୍ଷା ଲାଗିରୁହେ, ତାହେଲେ ପ୍ରତିଯୋଗିତା ବାତିଲ ହେବା ସମ୍ଭାବନା ରହିଥିବା ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ସୂଚନା ଦେଇଛନ୍ତି। ଜୁନ୍‌ ମଧ୍ୟଭାଗ ବେଳକୁ ବର୍ଷା ଆରମ୍ଭ ହେବବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ଏହାସତ୍ତ୍ୱେ ଯେକୌଣସିମତେ ମାସ ଆରମ୍ଭରୁ କଳାହାଣ୍ଡି କପ୍‌ ଓ ୧୬ ବର୍ଷରୁ କମ୍‌ ଅନ୍ତଃ ଜିଲ୍ଲା ପ୍ରତିଯୋଗିତା ଶେଷ କରାଯାଇଥିଲା। ପୂର୍ବରୁ କେବଳ ଏହି ଦୁଇ ପ୍ରତିଯୋଗିତା ଆୟୋଜନ ପାଇଁ ପରିଚାଳନା ସମିତି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ଦୁଇ ପ୍ରତିଯୋଗିତା ସଫଳତାର ସହ ଶେଷ ହୋଇଯିବାରୁ ହଠାତ୍‌ କାହିଁକି ଅଣଋତୁରେ ୧୯ ବର୍ଷରୁ କମ୍‌ ପ୍ରତିଯୋଗିତା ଆୟୋଜନ ପାଇଁ ଓସିଏ କର୍ତ୍ତୃପକ୍ଷ ମନ ବଳାଇଲେ ତାହା ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି।
ଓସିଏ ଇତିହାସରେ ପ୍ରଥମ ଥର ପାଇଁ କଳାହାଣ୍ଡି କପ୍‌କୁ ୧୪ ଦିନ ଭିତରେ ଶେଷ କରାଯାଇଥିଲା। ଯଦିଓ ଏଥର କେବଳ ଦିନିକିଆ ଶୈଳୀରେ ମ୍ୟାଚ୍‌ଗୁଡ଼ିକ ଖେଳାଯାଇଥିଲା, କିନ୍ତୁ ଦୁଇ ବର୍ଷ ବ୍ୟବଧାନପରେ ପ୍ରତିଯୋଗିତା ଆୟୋଜନ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ। ସେହିପରି ୧୬ ବର୍ଷରୁ କମ୍‌ ପ୍ରତିଯୋଗିତାକୁ ମଧ୍ୟ ୧୭ ଦିନରେ ଶେଷ କରାଯାଇଥିଲା। ଏହି ଦୁଇ ପ୍ରତିଯୋଗିତା ପାଇଁ ମେ’ ୧୭ ତାରିଖରେ ଓସିଏ ପରିଚାଳନା ସମିତି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ୧୬ ବର୍ଷରୁ କମ୍‌ ପ୍ରତିଯୋଗିତା ଚାଲିଥିବାବେଳେ ହଠାତ୍‌ ଜୁନ୍‌ ୧୮ ତାରିଖରେ ୧୯ ବର୍ଷରୁ କମ୍‌ ପ୍ରତିଯୋଗିତା ଆୟୋଜନ ସଂକ୍ରାନ୍ତରେ ଓସିଏ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇଥିଲା। ହେଲେ ଦୁର ଦୃଷ୍ଟିର ଅଭବା ଯୋଗୁଁ ଏବେ ଏହି ପ୍ରତିଯୋଗିତା ଆୟୋଜନ ନେଇ ଆଶଙ୍କା ଦେଖାଦେଇଛି। ୧୬ ବର୍ଷରୁ କମ୍‌ ଦଳର ଅଧିକାଂଶ ଖେଳାଳି ୧୯ ବର୍ଷରୁ କମ୍‌ ଦଳରେ ଖେଳିବା ପାଇଁ କଟକରେ ପହଞ୍ଚିସାରିଛନ୍ତି। ହେଲେ ପ୍ରତିଯୋଗିତାକୁ ନେଇ ଖେଳାଳିମାନଙ୍କର ଯେଉଁ ଆଶା ରହିଥିଲା ତାହା ଏବେ ଭାଙ୍ଗିଯିବାକୁ ବସିଛି।
ସମୟକୁ ନେଇ ପ୍ରଶ୍ନ
କୌଣସି ରାଜ୍ୟ ଦଳ ଗଠନରେ ୧୯ ବର୍ଷରୁ କମ୍‌ ଖେଳାଳିମାନେ ହେଉଛନ୍ତି ମୁଖ୍ୟ ଶକ୍ତି। ଏମାନେ ହିଁ ଭବିଷ୍ୟତରେ ରଣଜୀ ଟ୍ରଫି ଓ ଅନ୍ୟାନ୍ୟ ଜାତୀୟ ପ୍ରତିଯୋଗିତାରେ ରାଜ୍ୟକୁ ଉପରକୁ ନେଇଥାନ୍ତି। ସେଥିପାଇଁ ୧୬ ବର୍ଷରୁ କମ୍‌ ପ୍ରତିଯୋଗିତା ଆୟୋଜନ ସମୟରେ ୧୯ ବର୍ଷରୁ କମ୍‌ ପ୍ରତିଯୋଗିତା କାହିଁକି ଆୟୋଜନ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଛି। ସେହିଭଳି ବର୍ଷା ଋତୁରେ ୧୯ ବର୍ଷରୁ କମ୍‌ ପ୍ରତିଯୋଗିତା ଆୟୋଜନ କେତେ ଦୂର ଠିକ୍‌ ସେ ନେଇ ମଧ୍ୟ ଚର୍ଚା ଆରମ୍ଭ ହୋଇଛି। ସେହିଭଳି ୧୬ ବର୍ଷରୁ କମ୍‌ ପ୍ରତିଯୋଗିତା ବେଳେ ଯଦି ୧୯ ବର୍ଷରୁ କମ୍‌ ପ୍ରତିଯୋଗିତା ଖେଳାଯାଇଥାନ୍ତା ତାହେଲେ ଚୟନକର୍ତ୍ତାଙ୍କୁ କିଛିଟା ସୁବିଧା ହୋଇଥାନ୍ତା ବୋଲି କୁହାଯାଉଛି। ଓସିଏର ଉକ୍ତ ତରବରିଆ ନିଷ୍ପତ୍ତିକୁ ସମାଲୋଚନା କରିବାକୁ ଯାଇ ପୂର୍ବତନ ଚୟନକର୍ତ୍ତା ପବନ ଅଗ୍ରଓ୍ଵାଲ କହିଛନ୍ତି ଯେ, ବର୍ଷା ଦିନରେ କୌଣସି ପ୍ରତିଯୋଗିତା ପାଇଁ ଯୋଜନା କରିବା ଠିକ୍‌ ନୁହେଁ। ଯଦି ୧୯ ବର୍ଷର କମ୍‌ ଖେଳାଳି ଓ ପ୍ରତିଯୋଗିତାକୁ ଗୁରୁତ୍ୱ ଦିଆନଯାଏ ତାହେଲେ ସଂପୂର୍ଣ୍ଣ କ୍ରିକେଟ୍‌ ବ୍ୟବସ୍ଥା ଫେଲ୍‌ ମାରିବ। ଏହି ବର୍ଗର ଖେଳାଳିମାନେ ରାଜ୍ୟ ଦଳର ପ୍ରମୁଖ ଆଧାର। ଯଦି ଓସିଏ କନିଷ୍ଠ ଖେଳାଳିଙ୍କୁ ଗୁରୁତ୍ୱ ଦେବେନି ତାହେଲେ ରାଜ୍ୟ ବାହାର ଖେଳାଳିମାନେ ଏଠାରେ ପ୍ରାଧାନ୍ୟ ବିସ୍ତାର କରିବେ। ତେଣୁ ବହୁ ଆଗରୁ ଯୋଜନାବଦ୍ଧ ଭାବେ ଏହାକୁ ଆୟୋଜନ କରାଯାଇଥିଲେ ଭଲ ହୋଇଥାନ୍ତା ବୋଲି ପବନ କହିଛନ୍ତି। ତେବେ ଦୀର୍ଘ ଦିନରୁ ବନ୍ଦ ହୋଇ ପଡ଼ିଥିବା ଅନ୍ତଃ ଜିଲ୍ଲା ପ୍ରତିଯୋଗିତାକୁ ଆରମ୍ଭ କରିବାକୁ ଜିଲ୍ଲା ସଂପାଦକମାନେ ଅନୁରୋଧ କରିବାରୁ ଏହି ରିସ୍କ ନିଆଯାଇଥିବା ପରିଚାଳନା ସମିତି ଅଧ୍ୟକ୍ଷ ଶ୍ରୀ ପଲେଇ କହିଛନ୍ତି। ଯଦି ବର୍ଷା ଲାଗିରହିଲା ତାହେଲେ ସେପ୍ଟେମ୍ବର ଆଡକୁ ପ୍ରତିଯୋଗିତା ଆୟୋଜନ କରାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର