ଦୋହାରେ ଦୂତି ଚମକ, ଜାତୀୟ କୀର୍ତ୍ତିମାନ ସହ ଏସୀୟ ଦୌଡ଼କୁଦ ସେମି ଟିକେଟ

ଭୁବନେଶ୍ବର: କାତାରର ଦୋହାରେ ରବିବାରଠାରୁ ଆରମ୍ଭ ହୋଇଥିବା ୨୩ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଆ ତାରକା ଦୂତି ଚାନ୍ଦଙ୍କ ଚମକ ଦେଖିବାକୁ ମିଳିଛି। ମହିଳା ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ କୀର୍ତ୍ତିମାନ ସହ ଏହି ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଦୂତି। ସେ ମଧ୍ୟ ରବିବାରର ହିଟ୍ ପର୍ଯ୍ୟାୟରେ ଦ୍ରୁତତମ ଧାବିକା ଭାବେ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଦୂତି ଗତବର୍ଷ ଆସାମର ଗୌହାଟୀଠାରେ ଅନୁଷ୍ଠିତ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ସେତେବେଳେ ସେ ୧୦୦ ମିଟର ଦୌଡ଼କୁ ୧୧.୨୯ ସେକେଣ୍ଡରେ ଶେଷ କରିଥିଲେ। ରବିବାର ୧୧.୨୮ ‌ସେକେଣ୍ଡ ସମୟ ନେଇ ‌ଦୂତି ନିଜ ପ୍ରଦର୍ଶନକୁ ହିଁ ଟପିଛନ୍ତି। ଖଲିଫା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆୟୋଜିତ ଦୌଡ଼ରେ ଦୂତି ନିଜ ଗ୍ରୁପ୍ ସହ ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହି ସେମିଫାଇନାଲ ଯାଇଥିବାରୁ ରବିବାର ଏହି ବର୍ଗରେ ସ୍ବର୍ଣ୍ଣ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ରବିବାର ଦୂତି ଉଭୟ ସେମିଫାଇନାଲ୍ ଓ ଫାଇନାଲରେ ଅବତୀର୍ଣ୍ଣ ହେବେ। ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୬୩ ଦେଶର ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି। ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ପୂର୍ବ ସଂସ୍କରଣ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା। ସେଥିରେ ମଧ୍ୟ ଦୂତି ଦୁଇଟି ପଦକ ଜିତିଥିଲେ। ୧୦୦ ମିଟରରେ ଏବଂ ୪ ଗୁଣା ୧୦୦ ମିଟର ରିଲେ ଦୌଡ଼ରେ ସେ ଏହି ସଫଳତା ଲାଭ କରିଥିଲେ। ଅନ୍ୟପକ୍ଷରେ ଭାରତ ୨୯ ପଦକ ଜିତି ଚୀନ୍‌ ଓ କାଜାଖସ୍ତାନ ଭଳି ଶକ୍ତିଶାଳୀ ଦେଶକୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଥିଲା। ମୋ ଟାଇମିଂ ବହୁତ ଭଲ ରହିଛି। ମୁଁ ମଧ୍ୟ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛି। ଫାଇନାଲ୍ ଲାଗି ମୋ ପାଇଁ ପ୍ରାର୍ଥନା କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ଆଶା କରୁଛି ଫାଇନାଲରେ ସ୍ବର୍ଣ୍ଣ ପଦକ ଜିତିବି ବୋଲି ଉଲ୍ଲସିତ ଦୂତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଅଧାରୁ ଓହରିଲେ ହିମା
ଭାରତୀୟ ଦଳକୁ କିନ୍ତୁ ପ୍ରଥମ ଦିନରେ ହିଁ ବଡ଼ ଝଟ୍‌କା ଲାଗିଛି। ବିଶ୍ବ କନିଷ୍ଠ ବିଜେତା ତଥା ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ହିମା ଦାସ ମହିଳା ୪୦୦ ମିଟର ରେସ୍‌କୁ ଶେଷ କରିବାକୁ ସକ୍ଷମ ହୋଇ ନଥିଲେ। ୧୯ ବର୍ଷୀୟା ହିମା ପିଠି ଯନ୍ତ୍ରଣା ପାଇଁ ଦୌଡ଼ ଅଧାରୁ ଓହରିବାକୁ ବାଧ୍ୟ ହୋଇଥିଲେ। ଗତବର୍ଷର ଜାକର୍ତା ଏସୀୟ କ୍ରୀଡ଼ାରେ ହିମା ୫୦.୭୯ ସେକେଣ୍ଡ ସମୟ ସହ ମହିଳା ୪୦୦ ମିଟରରେ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ପୁରୁଷ ୪୦୦ ମିଟରରେ ମହମ୍ମଦ ଆନସ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ପୁରୁଷ ୮୦୦ ମିଟରରେ ଜିନସନ ଜନସନ ସେମି ଓ ମହିଳାରେ ଗୌତମୀ ମାରିମୁଥୁ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ପ୍ରବୀଣ ଚିତ୍ରଭେଲ ପୁରୁଷ ଟ୍ରିପଲ୍ ଜମ୍ପର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ୫୧ ଜଣିଆ ଭାରତୀୟ ଦଳ ଅଂଶ ଗ୍ରହଣ କରୁଛି।

ସମ୍ବନ୍ଧିତ ଖବର