ଦୂତି ପ୍ରଥମ, ପାର୍ବତୀ ଦ୍ୱିତୀୟ, ପୂର୍ଣ୍ଣିମା ତୃତୀୟ

ଭୁବନେଶ୍ୱର: ପାତିଆଲାରେ ମଙ୍ଗଳବାର ଆୟୋଜିତ ରନ୍‌ ଆଦାମ ଇଣ୍ଡିଆନ୍‌ ଗ୍ରାଁ ପ୍ରି ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ତାରକା ଦୂତି ଚାନ୍ଦ ମହିଳା ୧୦୦ ମିଟରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଘରୋଇ ଦୌଡ଼କୁଦ ଋତୁର ପ୍ରାରମ୍ଭରୁ ସଫଳ ପ୍ରଦର୍ଶନ କରି ସେ ଅଷ୍ଟ୍ରେଲିଆର ଗୋଲ୍‌ଡକୋଷ୍ଟଠାରେ ଚଳିତବର୍ଷ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିବା ଦିଗରେ ଏକ ବଡ଼ ପାଦ ବଢ଼ାଇଛନ୍ତି। ସେହିଭଳି ମାର୍ଚ ୫ରୁ ପାତିଆଲାରେ ଆୟୋଜିତ ହେବାକୁ ଥିବା ଫେଡେରେସନ୍‌ କପ୍‌ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଲାଗି ମଧ୍ୟ ଦୂତି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଦୂତି ଆଜି ୧୧.୫୭ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ। ଆସାମର ହିମା ଦାସ (୧୧.୭୪ ସେକେଣ୍ଡ) ଦ୍ୱିତୀୟ ଏବଂ କର୍ଣ୍ଣାଟକର ପ୍ରଜ୍ଞା ପ୍ରକାଶ (୧୧.୭୬ ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲେ। ଏହି ସଫଳତା ଲାଗି ଦୂତି କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ତାଙ୍କ ସମର୍ଥନ ଲାଗି ଧନ୍ୟବାଦ ଦେଇଛନ୍ତି।

ରାଜ୍ୟର ସଫଳ ହେପ୍ଟାଥଲେଟ୍‌ ପୂର୍ଣ୍ଣିମା ହେମ୍ବ୍ରମ୍‌ ଜାଭଲିନ୍‌ରେ ୪୩.୧୨ ମିଟର ସଫଳତା ସହ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପ୍ରଥମ ତିନି ସ୍ଥାନରେ ରହିବାରୁୁ ବଞ୍ଚିତ ହୋଇଥିଲେ। ହେଲେ ଲମ୍ବ ଡିଆଁରେ ୫.୯୯ ମିଟର ଦୂରତାକୁ ଡେଇଁ ତୃତୀୟ ସ୍ଥାନ ଅଧିକାର କରି ନେଇଥିଲେ। ଏହି ବର୍ଗରେ କେରଳର ନୟନା ଜେମ୍ସ (୬.୪୭ ମିଟର) ପ୍ରଥମ ଏବଂ ନିନା ପିଣ୍ଠୋ (୬.୪୧ ମିଟର) ଦ୍ୱିତୀୟରେ ରହି ଓ୍ଵାନ୍‌-ଟୁ ଫିନିସ୍‌ ପାଇଥିଲେ। ଦେଶର ଦ୍ରୁତତମ ଧାବକ ଅମିୟ କୁମାର ମଲ୍ଲିକ (୧୦.୯୬ ସେକେଣ୍ଡ) ଆଶାଜନକ ପ୍ରଦର୍ଶନ କରି ନପାରି ପୁରୁଷ ୧୦୦ ମିଟରର ପଞ୍ଚମ ସ୍ଥାନରେ ରହିଥିଲେ। କର୍ଣ୍ଣାଟକର ଏସ୍‌ ବିଦ୍ୟାସାଗର (୧୦.୬୫ ସେକେଣ୍ଡ), କେରଳର ଅନୁରୂପ ଜନ୍‌ (୧୦.୭୦ ସେକେଣ୍ଡ) ଏବଂ ତେଲେଙ୍ଗାନାର ଚିନ୍ତା ସୁଧାକର (୧୦.୭୧ ସେକେଣ୍ଡ) ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ। ସେହିଭଳି ମହିଳା ଡିସ୍‌କସ୍‌ରେ ପାର୍ବତୀ ସେଠୀ ଦ୍ୱିତୀୟ ସ୍ଥାନରେ ରହି ରାଜ୍ୟକୁ ଗର୍ବିତ କରିଥିଲେ। ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ବେଳେ ଏହି ବର୍ଗରେ ପଞ୍ଜାବର ନବନୀତ କୌର ଢିଲୋଁ (୫୯.୧୮ ମିଟର) ପ୍ରଥମ ସ୍ଥାନରେ ରହିଥିଲେ। ସୂଚନାଯୋଗ୍ୟ ଯେ ପୂର୍ବତନ କ୍ରୀଡ଼ାବିତ୍‌ ତଥା ଡାଏଟିସିଆନ୍‌ ବିଶ୍ୱେଶ୍ୱର କରଙ୍କ ତତ୍ତ୍ୱାବଧାନରେ ପାର୍ବତୀ ଅଭ୍ୟାସ କରୁଥିଲେ।

ସମ୍ବନ୍ଧିତ ଖବର