୨୦୦ ମିଟର ଫାଇନାଲରେ ଦୂତି, ସ୍ବପ୍ନାଙ୍କୁ ରୌପ୍ୟ, ପୂର୍ଣ୍ଣିମା‌ ପଞ୍ଚମ

ଭୁବନେଶ୍ବର: ଓଡ଼ିଆ ଧାବିକା ଦୂତି ଚାନ୍ଦ କାତାର ରାଜଧାନୀ ଦୋହାରେ ଚାଲିଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୨୦୦ ମିଟର ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଚଳିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ତାଙ୍କ ପଦକ ଜିତିବା ଆଶା ଉଜ୍ଜୀବିତ ରହିଛି। ସୋମବାର ମହିଳା ୧୦୦ ମିଟରରେ ଦୂତି ଦୁଇଟି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବା ସତ୍ତ୍ବେ ଫାଇନାଲରେ ଏହି ସଫଳତା ଦୋହରାଇ ନପାରି ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ୨୦୦ ମିଟରରେ ସେ ଏହି ଦୁଃଖ ଦୂର କରିବା ଲକ୍ଷ୍ୟରେ ରହିଛନ୍ତି। ମଙ୍ଗଳବାର ଦୂତି ୨୦୦ ମିଟର ସେମିଫାଇନାଲର ତୃତୀୟ ଦ୍ରୁତତମ ଧାବିକା ଭାବେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ତୃତୀୟ ହିଟ୍‌ରେ ଦୌଡ଼ିଥିବା ଦୂତି କିନ୍ତୁ ୨୩.୩୩ ସେକେଣ୍ଡ ସମୟ ନିଜ ଗ୍ରୁପର ପ୍ରଥମ ସ୍ଥାନରେ ରହିଥିଲେ। ତେବେ ମୋଟ ଉପରେ ତୃତୀୟ ସ୍ଥାନରେ ରହି ଫାଇନାଲ ଟିକେଟ ପାଇଥିଲେ। ସଂପ୍ରତି ତାଙ୍କ ଆଗରେ କେବଳ ବାହାରିନର ସାଲୱା ନାସେର ଓ କାଜାଖସ୍ଥାନର ଓଲଗା ସାଫ୍ରାନୋଭା ରହିଛନ୍ତି। ୨୨.୮୪ ସେକେଣ୍ଡ ସମୟ ସହ ନାସେର ମଙ୍ଗଳବାର ମଧ୍ୟ ନୂଆ ଏସୀୟ ଦୌଡ଼କୁଦ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଦୂତି ବୁଧବାର ରାତିରେ ୨୦୦ ମିଟର ଫାଇନାଲରେ ଅବତୀର୍ଣ୍ଣ ହେବେ। ମଙ୍ଗଳବାର ୨୦୦ ମିଟରର ମାତ୍ର କିଛି ଘଣ୍ଟା ପରେ ୪ ଗୁଣା ୧୦୦ରିଲେରେ ଅବତୀର୍ଣ୍ଣ ହୋଇଥିବା ‌ଦୂତି ସେଠାରେ ବ୍ୟକ୍ତିଗତ ଭାବେ ଚମତ୍କାର ପ୍ରଦର୍ଶନ କରିଥିଲେ। ଅର୍ଚନା ଏସ୍, ରେବତି, କେ ରଙ୍ଗା ଓ ଦୂତିଙ୍କୁ ନେଇ ଗଠିତ ଭାରତୀୟ ଦଳ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲା।

ଚଳିତ ଏସୀୟ ଦୌଡ଼କୁଦର ତୃତୀୟ ଦିନରେ ଭାରତକୁ ଆଉ ଏକ ପଦକ ମିଳିଛି। ସ୍ବପ୍ନା ବର୍ମନ ମହିଳା ହେପ୍ଟାଥଲନରେ ରୌପ୍ୟ ପଦକ ହାସଲ କରିଛନ୍ତି। ଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୧ରେ ପହଞ୍ଚିଛି। ସେଥିମଧ୍ୟରେ ରହିଛି ୨ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୫ କାଂସ୍ୟ। ଓଡ଼ିଆ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍ ଏହି ଇଭେଣ୍ଟର ପଞ୍ଚମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ସାତଟି ଖେଳ‌ର ସମାହାରରେ ଖେଳା ଯାଉଥିବା ହେପ୍ଟାଥଲନରେ ଉଜବେକିସ୍ତାନର ଏକାଟେରିନା ଭର୍ନିନା ୬୧୯୮ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ। ସେ ମଧ୍ୟ ନୂଆ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ସ୍ବପ୍ନା ୫୯୯୩ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ଚଳିତ ଋତୁରେ ଏହା ସ୍ବପ୍ନାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଚୀନର ୱାଙ୍ଗ କିଙ୍ଗଲିଙ୍ଗ (୫୮୨୯) ମଧ୍ୟ ଚଳିତ ଋତୁର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି କାଂସ୍ୟ ପଦକ କରାୟତ କରିଥିଲେ। ଜାପାନର ୟୁକି ୟାମାସାକି (୫୭୫୩) ଚତୁର୍ଥ ଏବଂ ପୂର୍ଣ୍ଣିମା (୫୫୨୮) ପଞ୍ଚମ ସ୍ଥାନରେ ରହିଥିଲେ। ପୂର୍ଣ୍ଣିମା ଗତବର୍ଷ ଭୁବନେଶ୍ବରରେ ଆୟୋଜିତ ୨୨ତମ ଏସୀୟ ଦୌଡ଼କୁଦର ମହିଳା ହେପ୍ଟାଥଲନରେ କାଂସ୍ୟ ପଦକ ପାଇଥିଲେ। ଅନ୍ୟପକ୍ଷରେ ସ୍ବପ୍ନା ସ୍ବର୍ଣ୍ଣ ପଦକ ଜିତିଥିଲେ। ମଙ୍ଗଳବାର ୩୦୦୦ ମିଟର ମହିଳା ଷ୍ଟିପଲଚେଜ୍ ଫାଇନାଲରେ ଭାରତର ପାରୁଲ ଚୌଧୁରୀ (୧୦:୦୩.୪୩) ପଞ୍ଚମ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର