ମୁମ୍ବାଇ ସିଟିକୁ ସଫା କରି କ୍ୱାର୍ଟରରେ ଇଷ୍ଟ୍‌ବେଙ୍ଗଲ

ଭୁବନେଶ୍ୱର: ଚଳିତ ସୁପରକପ୍‌ ଫୁଟବଲ୍‌ ପ୍ରତିଯୋଗିତାର ଗୁରୁବାର ପ୍ରି-କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ବିଜୟୀ ହୋଇ ବେଙ୍ଗଲର ଲୋକପ୍ରିୟ ଦଳ ଇଷ୍ଟ୍‌ବେଙ୍ଗଲ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଆଇଏସ୍‌ଏଲ୍‌ ଦଳ ମୁମ୍ବାଇ ସିଟି ଏଫସିକୁ ୨-୧ ଗୋଲ୍‌ରେ ହରାଇ ଇଷ୍ଟବେଙ୍ଗଲ ସପ୍ତମ ଦଳ ଭାବେ ଏହି ସଫଳତା ଲାଭ କରିଛି। ଶୁକ୍ରବାର ପ୍ରି-କ୍ୱାର୍ଟର ଫାଇନାଲ୍‌ର ଶେଷ ମୁକାବିଲା ନେରୋକା ଏବଂ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଖେଳାଯିବ। ଗରୁବାର ରାତିରେ ଇଷ୍ଟବେଙ୍ଗଲ ତରଫରୁ କାତସୁମି ୟୁସା (୨୬ ମିନିଟ୍‌) ଓ ମହମ୍ମଦ ଅଲ୍‌ ଅମନା (୭୩ ମିନିଟ୍‌) ଗୋଲ୍‌ ଦେଇଥିଲେ। ମୁମ୍ବାଇ ସିଟିର ଏକମାତ୍ର ଗୋଲ୍‌ ଆଚିଲେ ଏହଜିମ୍ବି ଦେଇଥିଲେ। ଅମନାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ରବିବାରର ପ୍ରଥମ କ୍ୱାର୍ଟର ଫାଇନାଲରେ ଇଷ୍ଟବେଙ୍ଗଲ ମିଜୋରାମର ସିଲଂ ଲାଜଙ୍ଗ ଦଳକୁ ଭେଟିବ।
ଇଷ୍ଟବେଙ୍ଗଲ ଦଳର ସମର୍ଥକଙ୍କ କୋଳାହଳ ମଧ୍ୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଧରେ ଉଭୟ ଦଳର ଶକ୍ତି ଓ ସାମର୍ଥ୍ୟ ପ୍ରାୟ ସମାନ ଥିଲା। ମୁମ୍ବାଇ ସିଟି ଏଫ୍‌ସି ଅବଶ୍ୟ ଟିକିଏ ବିପଜ୍ଜନକ ଫୁଟବଲ୍‌ ଖେଳିଥିଲା। ସେଥିପାଇଁ ପ୍ରଥମାର୍ଧର ପ୍ରଥମ ୨୦ ମିନିଟ୍‌ରେ ହିଁ ଏହି ଦଳର ଏକାଧିକ ଖେଳାଳି ରେଫରିଙ୍କଠାରୁ ହଳଦିଆ କାର୍ଡ ପାଇଥିଲେ। ହେଲେ ମ୍ୟାଚ୍‌ର ପ୍ରଥମ ଗୋଲ୍‌ ମଧ୍ୟ ଏହି ଦଳ ଦେଇଥିଲା। ୨୧ ମିନିଟ୍‌ ପର୍ଯ୍ୟନ୍ତ ବଳ କଷାକଷି ହେବା ପରେ ୨୨ ମିନିଟରେ ମୁମ୍ବାଇ ସିଟିର ଆଚିଲେ ଇମନା ଏଡଜିମ୍ବି ଗୋଲ୍‌ ଖାତା ଖୋଲିଥିଲେ। ମୁମ୍ବାଇ ଅଗ୍ରଭାଗ ଆକ୍ରମଣାତ୍ମକ ମୁଦ୍ରାରେ ଥିଲା ବେଳେ ଇଷ୍ଟ୍‌ବେଙ୍ଗଲ ଦଳ ଫାଉଲ କରିଥିଲା। ସାହିଲ ଟାଭୋରାଙ୍କୁ ଅଟକାଇ ମୁମ୍ବାଇକୁ ଏକ ଫ୍ରିକିକ୍‌ ଉପହାର ଦେଇଥିଲା। ଏହାକୁ ଇମନା ଏକ ଜବରଦସ୍ତ ସଟ୍‌ ବଳରେ ଗୋଲ୍‌ରେ ରୂପାନ୍ତର କରି ନେଇଥିଲେ। ଫଳରେ ମୁମ୍ବାଇ ସେହିଠାରେ ଆଗୁଆ ହୋଇ ଯାଇଥିଲା। ମୁମ୍ବାଇର ଖୁସି କିନ୍ତୁ ମାତ୍ର ୪ ମିନିଟ୍‌ ପରେ ଉଭେଇ ଯାଇଥିଲା। ଇଷ୍ଟ୍‌ବେଙ୍ଗଲ ପ୍ରତି ଆକ୍ରମଣରେ ଘାଇଲା ହୋଇ ୨୬ ମିନିଟ୍‌ରେ ହିଁ ମୁମ୍ବାଇ ଗୋଲ୍‌ ବରଣ କରିଥିଲା।

ଫଳରେ ସ୍ଥିତି ୧-୧ ହୋଇ ଯାଇଥିଲା। ଜାପାନୀ ଖେଳାଳି କାତସୁମି ୟୁସାଙ୍କଠାରୁ ପାଇଥିବା ପାସ୍‌କୁ ଗୋଲ୍‌ପୋଷ୍ଟର ଡାହାଣ ପଟ କୋଣକୁ ପଠାଇ ଲାଲଦନମାଓ୍ଵିୟା ରାଲ୍‌ଟେ ମ୍ୟାଚ୍‌କୁ ସମାନ ସ୍ତରକୁ ନେଇ ଆସିଥିଲେ। ବଳକା ୧୯ ମିନିଟ୍‌ରେ ଉଭୟ ଦଳ ଏକାଧିକ ସୁଯୋଗ ହାତଛଡ଼ା କରି ଆଗୁଆ ହେବାର ସୁଯୋଗ ହରାଇଥିଲେ। ଫଳରେ ପ୍ରଥମାର୍ଧ ସେହି ୧-୧ରେ ଶେଷ ହୋଇଥିଲା। ଦ୍ୱିତୀୟାର୍ଧର ପ୍ରଥମ ୨୮ ମିନିଟ୍‌ ଛକାପଞ୍ଝାରେ ଶେଷ ହୋଇଥିଲା। ହେଲେ ୭୩ ମିନିଟ୍‌ରେ ଇଷ୍ଟ୍‌ବେଙ୍ଗଲ ଲକ୍ଷ୍ୟ ଭେଦ କରିଥିଲା। ରାଲ୍‌ଟେଙ୍କ ସଟ୍‌ ମୁମ୍ବାଇ ଗୋଲ୍‌ରକ୍ଷକ ଅମରିନ୍ଦର ସିଂହଙ୍କ ଦେହରେ ବାଜି ଫେରି ଆସୁଥିଲା ବେଳେ ବକ୍ସ ଧାରରେ ପଇଁତରା ମାରୁଥିବା ମହମ୍ମଦ ଅଲ ଅମନା ଏହାକୁ ପୁଣି ଥରେ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ଇଷ୍ଟ୍‌ବେଙ୍ଗଲକୁ ପ୍ରଥମ ଥର ପାଇଁ ଆଗୁଆ କରି ଦେଇଥିଲେ। ପରବର୍ତୀ ୧୭ ମିନିଟ୍‌ ସହ ୪ ମିନିଟ୍‌ର ଆହତ ସମୟରେ ମଧ୍ୟ ମୁମ୍ବାଇ ଏହି ଗୋଲ୍‌ଟିକୁ ଶୁଝି ପାରି ନଥିଲା। ଫଳରେ ଇଷ୍ଟ୍‌ବେଙ୍ଗଲ ୨-୧ ଗୋଲ୍‌ରେ ବିଜୟୀ ହୋଇଥିଲା। ଇଷ୍ଟ୍‌ବେଙ୍ଗଲର ୬ ନମ୍ବର ଜର୍ସି ପରିହିତ ଖେଳାଳି ମହମ୍ମଦ ଅଲ୍‌ ଅମନା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ୨୫୦୦୦ ଟଙ୍କା ପାଇଥିଲେ। ପୂର୍ବତନ ଭାରତୀୟ ଫୁଟ୍‌ବଲର ସୁଭାଷ ଭୌମିକଙ୍କ ଉପସ୍ଥିତି ବେଙ୍ଗଲ ଦଳକୁ ଅଧିକ ଉତ୍ସାହିତ କରିଥିଲା।

ସମ୍ବନ୍ଧିତ ଖବର