ଫାଇନାଲ୍‌ରେ ଇଷ୍ଟ୍‌ବେଙ୍ଗଲ

ଭୁବନେଶ୍ୱର: ଏସିଆ ମହାଦେଶର ଅନ୍ୟତମ ପୂରାତନ ଫୁଟ୍‌ବଲ୍‌ କ୍ଲବ୍‌ ଇଷ୍ଟବେଙ୍ଗଲ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ସୁପରକପ୍‌ ଫୁଟବଲ୍‌ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ସୋମବାର ଅପରାହ୍ନରେ ଅନୁଷ୍ଠିତ ସେମିଫାଇନାଲରେ ୧-୦ ଗୋଲ୍‌ରେ ଗୋଆ ଏଫସିକୁ ହରାଇ ପ୍ରଥମ ଦଳ ଭାବେ ଇଷ୍ଟବେଙ୍ଗଲ ଏହି ୧୬ ଦଳୀୟ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଆଜି ନାଇଜେରିଆରୁ ଆସିଥିବା ଅଗ୍ରଭାଗ ଖେଳାଳି ଓମେଗବେମି ଡୁଡୁ ମ୍ୟାଚର ଏକମାତ୍ର ଗୋଲ୍‌ ଦେଇ ଇଷ୍ଟବେଙ୍ଗଲକୁ ଫାଇନାଲକୁ ନେଇଛନ୍ତି। ଶୁକ୍ରବାର ଖେଳା ଯିବାକୁ ଥିବା ଫାଇନାଲରେ ଇଷ୍ଟବେଙ୍ଗଲ ମଙ୍ଗଳବାର ମୋହନ ବାଗାନ ଏବଂ ବେଙ୍ଗାଲୁରୁ ଏଫସି ମଧ୍ୟରେ ଖେଳା ଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ।
ଗୋଆ-ଜାମସେଦପୁର କ୍ୱାର୍ଟର ଫାଇନାଲ ଭଳି ସୋମବାରର ଗୋଆ-ଇଷ୍ଟ ବେଙ୍ଗଲ ପ୍ରଥମ ସେମିଫାଇନାଲର ପ୍ରଥମାର୍ଧ ମଧ୍ୟ ବେଶ୍‌ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଏପରିକି ଉଭୟ ଦଳର ଖେଳାଳି ପଡ଼ିଆ ଭିତରେ ପରସ୍ପରକୁ ଠେଲା ପେଲା କରୁଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ଗୋଆ ଖେଳାଳିମାନେ ବିପ୍ପଜନକ ଖେଳ ଖେଳୁଥିବା ଲକ୍ଷ୍ୟ କରାଯାଇଥିଲା।

ତେବେ ରେଫରିଙ୍କ ସମୟ ଉପଯୋଗୀ ହସ୍ତକ୍ଷେପ ପରେ ଖେଳ ସୁରୁଖୁରୁରେ ଶେଷ ହୋଇଥିଲା। ଇଷ୍ଟବେଙ୍ଗଲ ଖେଳାଳିମାନେ ଅବଶ୍ୟ ଅଧିକ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ। ଅନ୍ୟ ପକ୍ଷରେ ବାସନ୍ଦାଦେଶ ପାଇଁ ପାଞ୍ଚ ଜଣ ପ୍ରମୁଖ ଖେଳାଳିଙ୍କ ବିନା ପଡ଼ିଆକୁ ଓହ୍ଲାଇଥିବା ଗୋଆ ତିନି ମିନିଟ୍‌ ଆହତ ସମୟର ଶେଷ କ୍ଷଣରେ ଗୋଲ୍‌ ଦେବାର ନିକଟତର ହୋଇଥିଲା। ହେଲେ ଇଷ୍ଟବେଙ୍ଗଲର ସଜାଗ ରକ୍ଷଣଭାଗ ଏବଂ ଗୋଲ୍‌ ରକ୍ଷକ ସିକେ ଉବୈଦ ଏହାକୁ ସଫଳତାର ସହ ପ୍ରତିହତ କରି ନେଇଥିଲେ। ସେହିଭଳି ଇଷ୍ଟବେଙ୍ଗଲ ପ୍ରଥମାର୍ଧର ନିର୍ଧାରିତ ୪୫ ମିନିଟ୍‌ ସହ ଆହତ ସମୟରେ ବି ସଫଳ ହୋଇ ନଥିଲା। ହେଲେ ଏହି ଦଳ ଅନ୍ୟୁନ ପାଞ୍ଚଟି ସୁଯୋଗ ସୃଷ୍ଟି କରି ପାରିଥିଲା। ଉଭୟ ଦଳ କୌଣସି ଗୋଲ୍‌ କରି ନ ପାରିବା ପରେ ପ୍ରଥମାର୍ଧ ୦-୦ରେ ଶେଷ ହୋଇଥିଲା। ଦ୍ୱିତୀୟାର୍ଧରେ ଗୋଆ ଅପେକ୍ଷାକୃତ ଉନ୍ନତ ଫୁଟବଲ୍‌ ଖେଳିଥିଲା। ହେଲେ ଏହି ଦଳର ଖେଳାଳିଙ୍କ ଅଶୋଭନୀୟ ଆଚରଣ ଜାରି ରହିଥିଲା। ୭୯ ମିନିଟରେ ଓମେଗବେମି ଡୁଡୁ ଏକ ସୁନ୍ଦର ଫିଲ୍ଡ ଗୋଲ୍‌ ଦେଇ ଗତିରୋଧ ଦୂର କରିବା ସହ ଇଷ୍ଟବେଙ୍ଗଲକୁ ଆଗୁଆ କରି ଦେଇଥିଲେ।

ଏହାର ମାତ୍ର ୩ ମିନିଟ୍‌ ପରେ ଗୋଆ ଅଧିନାୟକ ଏଡୁଓ୍ଵାର୍ଡୋ ବେଡିଆ ମ୍ୟାଚର ଦ୍ୱିତୀୟ ହଳଦିଆ କାର୍ଡ ପାଇ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଫଳରେ ବଳକା ୮ ମିିନିଟ୍‌ ସହ ୬ମିିନିଟର ଆହତ ସମୟରେ ଗୋଆ ୧୦ ଜଣରେ ଖେଳିବାକୁ ବାଧ୍ୟ ହୋଇଥିଲା। ଖେଳର ନବେ ମିନିଟ୍‌ ଏବଂ ଆହତ ସମୟର ତୃତୀୟ ମିନିଟରେ ଗୋଆର ନାରାୟଣ ଦାସ ଏବଂ ମନବୀର ସିଂହ ଦୁଇଟି ଭଲ ପ୍ରୟାସ କରିଥିଲେ। ଉଭୟ ଗୋଲ୍‌ ପୋଷ୍ଟ ଉପରେ ଜବରଦସ୍ତ ଆକ୍ରମଣ କରିଥିଲେ। ହେଲେ ଇଷ୍ଟବେଙ୍ଗଲ ଗୋଲ୍‌ ରକ୍ଷକ ଉବୈଦ ଏହାକୁ ବେକାର କରି ଦେଇଥିଲେ। ତେବେ ଇଷ୍ଟବେଙ୍ଗଲ ଅଗ୍ରଭାଗର ଅନ୍ୟୁନ ୬ ପ୍ରୟାସକୁ ନିଷ୍ଫଳ କରି ଦେଇଥିବା ଗୋଆ ଗୋଲ୍‌ ରକ୍ଷକ ଲକ୍ଷ୍ମୀକାନ୍ତ କାଟିମଣୀ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଦ୍ୱିତୀୟ ସେମିଫାଇନାଲରେ ମଙ୍ଗଳବାର ଭାରତର ସର୍ବ ପୂରତନ ଫୁଟବଲ୍‌ କ୍ଲବ୍‌ ମୋହନ ବାଗାନକୁ ଆଇଏସଏଲ୍‌ ଉପ ବିଜେତା ବେଙ୍ଗାଲୁରୁ ଏଫସି ଭେଟିବ। ମୋହନ ବାଗାନ ପ୍ରି-କ୍ୱାର୍ଟରରେ ଚର୍ଚିଲ ବ୍ରଦର୍ସକୁ ୨-୧ ଗୋଲରେ ହରାଇ କ୍ୱାର୍ଟରକୁ ଯାଇଥିଲା। ସେହିଭଳି କ୍ୱାର୍ଟରରେ ସିଲଙ୍ଗ ଲାଜଙ୍ଗକୁ ଏକତରଫା ଭାବେ ୩-୧ ଗୋଲ୍‌ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି।

ସମ୍ବନ୍ଧିତ ଖବର