ପୂର୍ବାଂଚଳ କର୍ପୋରେଟ୍‌ ଗଲଫ୍‌ କପ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ୨୫ ସଂସ୍ଥାର ପ୍ରତିଯୋଗୀ

ଭୁବନେଶ୍ୱର: ଚତୁର୍ଦ୍ଦଶ ନବଯୁଗ ପୂର୍ବାଂଚଳ କର୍ପୋରେଟ୍‌ ଗଲଫ୍‌ କପ୍‌ ୨୦୧୯ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଗଲଫ୍‌ କ୍ଲବ୍‌ ତରଫରୁ ନବଯୁଗ ସହଭାଗୀତାରେ ସ୍ଥାନୀୟ ଗଲଫ୍‌ କ୍ଲବ୍‌ ଆନୁକୂଲ୍ୟରେ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଛି। ଓଡିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅସିତ ତ୍ରିପାଠୀଙ୍କ ଉପସ୍ଥିତିରେ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏହି ଦିନିକିଆ ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ।

ଉଦ୍‌ଘାଟନୀ ଅବସରରେ ମନ୍ତ୍ରୀ ବେହେରା, ବିସିଜି ପକ୍ଷରୁ ଓଡିଶାର ମନ୍ଦିରମାଳିନୀ ସହର ଭୁବନେଶ୍ୱର ଠାରେ ଏତାଦୃଶ ପ୍ରତିଯୋଗିତା ଆୟୋଜନ କରିବା ପାଇଁ କରାଯାଇଥିବା ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ। ପୂର୍ବାଂଚଳ କ୍ଷେତ୍ରରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ସାରା ଓଡିଶାରେ ଖେଳକୁଦ ବାତାବରଣର ପ୍ରସାର କରିବା ନିମନ୍ତେ ପ୍ରେରଣା ପ୍ରଦାନ କରିଥିଲେ।

ପ୍ରତିଯୋଗୀମାନଙ୍କୁ ନିଜର ଅଭିଭାଷଣ ପ୍ରଦାନ ଅବସରରେ ତ୍ରିପାଠୀ କହିଥିଲେ, କ୍ରୀଡାକୁ ଓଡିଶାର ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟ କରିବା ନିମନ୍ତେ ଓଡିଶା ସରକାର ବହୁମୁଖୀ ଯୋଜନା ହାତକୁ ନେଉଛନ୍ତି। ହକି ବିଶ୍ୱକପ ୨୦୧୮କୁ ସଫଳତାର ସହିତ ଆୟୋଜନ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଦେଶର ୨୫ଟି ସରକାରୀ ଏବଂ କର୍ପୋରେଟ୍‌ ସଂସ୍ଥାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଓଟିଡିସି, ଟିନେ୍‌ପ୍ଲଟ୍‌ କୋ ଲିମିଟେଡ୍‌, ଜେଡ୍‌ ଇଷ୍ଟେଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଟୟୋଟା, ଉତ୍କଳ ଅଟୋମୋବାଇଲସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଟାଟା ଷ୍ଟିଲ୍‌ ଲିମିଟେଡ୍‌, ଅର୍ଥ ମନ୍ତ୍ରଣାଳୟ (ଭାରତ ସରକାର), ଆଦାନୀ ଧାମରା ପୋର୍ଟ୍‌, ପୂର୍ବତଟ ରେଳପଥ, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ୍‌ ଆଦି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର