ପୂର୍ବାଞ୍ଚଳ ଦୃଷ୍ଟିହୀନ କ୍ରିକେଟ୍‌ରେ ବାଲେଶ୍ବର ବିଜେତା

ଭୁବନେଶ୍ବର: ବିହାରର ମୁଜାଫରପୁରଠାରେ ଆୟୋଜିତ ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶାର ରାଣିପାଟଣା, ବାଲେଶ୍ବର ଦୃଷ୍ଟିହୀନ ବିଦ୍ୟାଳୟ ଦଳ ବିଜେତା ହୋଇଛି। ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ଝାଡ଼ଖଣ୍ଡ ବିଦ୍ୟାଳୟ ଦଳକୁ ୯ ୱିକେଟ୍‌ରେ ହରାଇ ବାଲେଶ୍ବର ଏହି ସଫଳତା ଲାଭ କରିଛି। ଝଡ଼ଖଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ବିନିମୟରେ ୭୦ ରନ୍ କରିଥିଲା। ବାଲେଶ୍ବର ପକ୍ଷରୁ ସିଙ୍ଗରାଇ ମାଝୀ, ଅଞ୍ଜନ ସିଂହ ଓ ରମେଶ ହାଂସଦା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ବାଲେଶ୍ବର ଦଳ ସିଙ୍ଗରାଇଙ୍କ ୩୦* ଏବଂ ଅଞ୍ଜନଙ୍କ ୨୨* ରନ୍ ବଳରେ ମାତ୍ର ଗୋଟିଏ ୱିକେଟ୍ ବିନିୟମରେ ୭୧ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ସିଙ୍ଗରାଇ ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ବାଲେଶ୍ବର ସେମିଫାଇନାଲରେ ଲାଇଟ୍ ହାଉସ୍ ଆର୍‌କେଏମ୍ ବିଦ୍ୟାଳୟକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟ ବିଜେତା ହୋଇଥିଲା। ଏଣୁ ଗତ ଦୁଇ ବର୍ଷ ହେବ କୌଣସି ଓଡ଼ିଶା ଦଳ ହିଁ ଏଠାରେ ବିଜେତା ‌ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ସଫଳତା ଲାଗି ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘର ସଭାପତି ମହମ୍ମଦ ଜାଫର ଇକବାଲ ବାଲେଶ୍ବର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବାଲେଶ୍ବର ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିବାକର ସ’ ଓ ପ୍ରଶିକ୍ଷକ ସୁନୀଲ କୁମାର ବିଶ୍ବାଳଙ୍କୁ ସେମାନଙ୍କ ସହଯୋଗ ଓ ସମର୍ଥନ ଲାଗି ସେ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର