ବର୍ତିଗଲେ ସିଂହଳୀ

ଇଡେନ୍‌ ଟେଷ୍ଟ୍‍ର ରୋମାଞ୍ଚକର ସମାପ୍ତି: ଫଳ ଅମୀମାଂସିତ

କୋଲ୍‌କାତା : ପ୍ରଥମ ଦୁଇ ଦିନର ବର୍ଷା ଭିଜା ମାନ୍ଦା ଖେଳ ଶେଷ ଦିନର ରୋମାଞ୍ଚ ଭିତରେ ଶେଷ ହୋଇଛି। ମ୍ୟାଚ୍‌ରୁ ଫଳାଫଳ ବାହାରିନଥିଲେ ମଧ୍ୟ ଇଡେନ୍‌ ଗାର୍ଡେନ୍‌ ଟେଷ୍ଟ୍‍ ସୋମବାର ଉତ୍କଣ୍ଠା ପୂର୍ଣ୍ଣ ସ୍ଥିତିରେ ପହଞ୍ଚିଥିଲା। ବିରାଟ କୋହଲିଙ୍କ ୫୦ତମ ଅନ୍ତର୍ଜାତୟ ଶତକ ମ୍ୟାଚ୍‌ରେ ଜୀବନ ଓ ସାହସିକ ଘୋଷଣା ଏହି ଟେଷ୍ଟ୍‍ରେ ଜୀବନ ଭରିଥିଲା। ୨୩୧ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ଦଳ ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୭୫/୭ରେ ପହଞ୍ଚି ବର୍ତିଯାଇଥିଲା।

ଭାରତ ସୋମବାର ସକାଳେ ୧୭୧/୧ରୁ ଆରମ୍ଭ କଲା ବେଳେ ମାତ୍ର ୪୯ ରନ୍‌ ଆଗୁଆ ଥିବାରୁ ଏହି ଟେଷ୍ଟ୍‍ ଅମୀମାଂସିତ ହେବା ନିଶ୍ଚିତ ଥିଲା। ପୂର୍ବ ସଂଧ୍ୟାର ଦୁଇ ଅପରାଜିତ ବ୍ୟାଟସମ୍ୟାନ୍‌ ଲୋକେଶ ରାହୁଲ (୭୯) ଏବଂ ବ୍ୟାଟିଂ ପ୍ରାଚୀର ଚେତେଶ୍ୱର ପୂଜାରା (୨୨) ସଅଳ ପଳାଇଥିଲେ। ସୁରଙ୍ଗା ଲାକମଲ୍‌ ଉଭୟଙ୍କୁ ପ୍ୟାଭିଲିଅନ୍‌ ଫେରାଇ ଭାରତ ଉପରେ ଚାପ ପକାଇଥିଲେ। ଅଜିଙ୍କ୍ୟ ରାହାଣେ (୦)ଙ୍କୁ ଲେଗ୍‌ ବିଫୋର୍‌ ଓ୍ଵିକେଟ୍‌ କରାଇ ଲାକମଲ୍‌ ନିଜର ତୃତୀୟ ଓ୍ଵିକେଟ୍‌ ଦଖଲ କରିଥିଲେ। ରବୀନ୍ଦ୍ର ଜାଦେଜା (୯)ଙ୍କୁ ଦିଲରୁଓ୍ଵାନ ପେରେରା ଆଗକୁ ବଢ଼ିବାକୁ ଦେଇନଥିଲେ। ଅଧିନାୟକ ବିରାଟ କୋହଲି ଗୋଟିଏ ପଟ ସମ୍ଭାଳିଥିବାବେଳେ ଦାସୁନ ସଣକା ଲଗାତାର ଭାବେ ଆର୍‌ ଅଶ୍ୱିନ୍‌ (୭) ଓ ରିଦ୍ଧିମାନ ସାହା (୫)ଙ୍କୁ ଆଉଟ୍‌ କରିଥିଲେ। ଭୁବନେଶ୍ୱର କୁମାର (୮) ଗାମେଜ୍‌ଙ୍କ ଶିକାର ହୋଇଥିଲେ। ବିରାଟ କୋହଲି କିନ୍ତୁ ଏହି ସବୁ ସାଥୀ ଖେଳାଳିଙ୍କୁ ପାଇବା ଓ ହରାଇବା ଭିତରେ ନିଜ ବ୍ୟକ୍ତିଗତ ଅଭିଯାନକୁ ଆଗକୁ ନେଇ ଭାରତକୁ ସୁରକ୍ଷିତ କରାଇ ନେଇଥିଲେ।

ଛକାରେ ଶତକ ଓ ଘୋଷଣା

ଚା’ପାନ ବିରତିର ଅଧଘଣ୍ଟା ପୂର୍ବରୁ କୋହଲି ବ୍ୟକ୍ତିଗତ ଭାବେ ତାଙ୍କ ଶତକ ପୂର୍ଣ୍ଣ କରିବା ସହ ପାଳି ଘୋଷଣା କରି ଦେଇଥିଲେ। ଉଭୟ ପାଳିର ସଫଳ ବୋଲର ସୁରଙ୍ଗା ଲାକମଲଙ୍କୁ ଲଙ୍ଗ୍‌ ଅଫ୍‌ ଉପରେ ଛକା ମାରି ବ୍ୟକ୍ତିଗତ ଭାବେ ୯୮ରୁ ୧୦୪*ରେ ପହଞ୍ଚିଥିଲେ। ଉଲ୍ଲସିତ କୋହଲି ଉତ୍ସବ ମନାଇବା ସଙ୍ଗେ ସଙ୍ଗେ ପାଳି ଘୋଷଣା କରି ଦେଇଥିଲେ। ଇଡେନ୍‌ ଗାର୍ଡେନ୍‌ରେ କେବେ ବି ଅର୍ଧଶତକଟିଏ ମାରିନଥିବା କୋହଲି ଏବେ ଆକର୍ଷଣୀୟ ତଥା ଅପରାଜିତ ଶତକୀୟ (୧୦୪*, ୧୧୯ ବଲ୍‌, ୧୨ ଚୌକା, ୨ ଛକା) ପାଳିର ଛାପ ରଖିଗଲେ। କୋହଲିଙ୍କ ଘୋଷଣା ବେଳକୁ ଶ୍ରୀଲଙ୍କା ସମ୍ମୁଖରେ ୪୫ରୁ ଊର୍ଧ୍ୱ ଓଭର ସହିତ ୨୩୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।

ଭୁବି-ସାମି ବିସ୍ଫୋରଣ

କୋହଲିଙ୍କ ସାହସିକ ଘୋଷଣା ପରେ ଜୀବନ୍ତ ହୋଇଥିବା ଏହି ଟେଷ୍ଟ୍‍କୁ କିନ୍ତୁ ଭାରତ ସପକ୍ଷରେ ରଖିଥିଲେ ଦଳର ଦୁଇ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ମହମ୍ମଦ ସାମି। ପ୍ରଥମ ଓଭରରେ ସମରବିକ୍ରମା (୦)ଙ୍କୁ ବୋଲ୍‌ଡ କରି ଖାତା ଖୋଲିବାକୁ ଦେଇନଥିଲେ ଭୁବନେଶ୍ୱର କୁମାର। କରୁଣାରତ୍ନେ (୧)ଙ୍କୁ ସାମି ବୋଲ୍‌ଡ କରି ଦେଇଥିଲେ। ଶ୍ରୀଲଙ୍କା ୨/୨ରେ ପହଞ୍ଚିଥିଲା। ଲାହିରୁ ଥିରିମାନେ (୭)ଙ୍କୁ ଭୁବନେଶ୍ୱର କୁମାର ଦ୍ୱିତୀୟ ଶିକାର କରିଥିଲେ। ଦ୍ୱାଦଶ ଓଭରରେ ଉମେଶ ଯାଦବ ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସଙ୍କୁ ଏଲ୍‌ବିଡବ୍‌ଲ୍ୟୁ କରାଇଥିଲେ। ୧୨ ଓଭର ବେଳକୁ ଶ୍ରୀଲଙ୍କା ୨୨/୪ରେ ସଂଘର୍ଷ କରି ପରାଜୟ ଆଶଙ୍କା ଭିତରେ ପଡ଼ିଥିଲା। ଆଲୋକ କମି କମି ଯାଉଥିବାବେଳେ ଦୀନେଶ ଚାନ୍ଦିମାଳ (୨୦)ଙ୍କୁ ମହମ୍ମଦ ସାମି ଏବଂ ନିରୋଶାନ ଡିକ୍‌େଓ୍ଵଲା (୨୭), ଦିଲରୁଓ୍ଵାନ ପେରେରା (୦)ଙ୍କୁ ଭୁବନେଶ୍ୱର କୁମାର ଆଉଟ୍‌ କରିଦେଇଥିଲେ। ୭୫ ରନ୍‌ରେ ଶ୍ରୀଲଙ୍କା ୭ ଓ୍ଵିକେଟ୍‌ ହରାଇ ଦେଇଥିଲା। କିନ୍ତୁ ସମୟ ସରିଯିବାରୁ ସିଂହଳୀ ଦଳ ପରାଜୟରୁ ବର୍ତିଯାଇଥିଲା। ପ୍ରଥମ ପାଳିରେ ମିଳିତ ଭାବେ ୧୦ ଓ୍ଵିକେଟ୍‌ ନେଇଥିବା ପେସ୍‌ ତ୍ରିମୂର୍ତି ଭୁବି,ସାମି, ଯାଦବ ଦ୍ୱିତୀୟ ପାଳିର ପତନ ହୋଇଥିବା ୭ ଓ୍ଵିକେଟ୍‌କୁ ମଧ୍ୟ ଦଖଲ କରି ଏହି ଟେଷ୍ଟ୍‍ରେ ସ୍ପିନରଙ୍କୁ ସୁଯୋଗ ଦେଇନଥିଲେ। ଦ୍ୱିତୀୟ ପାଳିରେ ୧୧-୮-୮-୪ ବୋଲିଂ ଚିତ୍ର ସହ ମ୍ୟାଚ୍‌ରେ ମୋଟ ୮ ଓ୍ଵିକେଟ୍‌ ନେଇଥିବା ଭୁବନେଶ୍ୱର କୁମାର ଶ୍ରେଷ୍ଠ ଖେଳାଳି ପୁରସ୍କାର୍‌ ପାଇଥିଲେ।

କୋହଲିଙ୍କ ଶତକ ନମ୍ବର ୫୦

କୋଲ୍‌କାତା ଟେଷ୍ଟ୍‍ରେ ଏକାଧିକ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୫୦ତମ ଶତକ ଅର୍ଜନ କରିଛନ୍ତି ବିରାଟ। ପୂର୍ବରୁ ଦିନିକିଆରେ ୩୨ ଶତକ ମାରିଥିବା କୋହଲି ସୋମବାର ଟେଷ୍ଟ୍‍ରେ ନିଜର ୧୮ତମ ଶତକ ସହିତ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏ କ୍ଷେତ୍ରରେ କୋହଲି ହେଉଛନ୍ତି ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଭାରତୀୟ ଏବଂ ବିଶ୍ୱର ଅଷ୍ଟମ ବ୍ୟାଟ୍‌ସମ୍ୟାନ୍‌। କୋଲ୍‌କାତାର ନିଜର ୩୪୮ତମ ଅନ୍ତର୍ଜାତୀୟ ପାଳିରେ କୋହଲି ଏହା ଅତିକ୍ରମ କରି ଦକ୍ଷିଣ ଆଫ୍ରିକାର ହାସିମ୍‌ ଆମଲାଙ୍କ ଦ୍ରୁତତମ ଅନ୍ତର୍ଜାତୀୟ ଶତକର ସମକକ୍ଷ ହୋଇଛନ୍ତି। ମ୍ୟାଚ୍‌ର ତୃତୀୟ ପାଳିରେ ଶତକ ମାରିବାରେ କୋହଲି ମଧ୍ୟ ଦ୍ୱିତୀୟ ଥର ସଫଳ ହୋଇଛନ୍ତି। ଚଳିତ ବର୍ଷ ଗଲ୍‌ ଟେଷ୍ଟ୍‍ରେ ସେ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ୧୦୩* ରନ୍‌ କରିଥିଲେ।

ଭାରତ ପାଇଁ ତୃତୀୟ ପାଳିରେ ଶତକ ମାରିବାର ଶେଷ ଅଧିନାୟକ ଥିଲେ ସଚିନ ତେନ୍ଦୁଲକର। ୧୯୯୯ରେ ମୋହାଲିରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷର ସଚିନ ଶତକ ଜମାଇଥିଲେ। ଇଡେନ୍‌ରେ କୋହଲିଙ୍କ ନିରାଶା ମଧ୍ୟ ଦୂର ହୋଇଛି। ଏଠାରେ ପୂର୍ବ ୬ ପାଳିରେ ସେ ମୋଟ ୮୩ ରନ୍‌ କରିଥିଲେ। ଦିନିକିଆରେ କିନ୍ତୁ ସେ ଏଠାରେ ସମାନ ୬ ପାଳିରୁ ୧ ଶତକ ଓ ୩ ଅର୍ଧଶତକ ମାରିଛନ୍ତି। କୋହଲି ମଧ୍ୟ ସୋମବାର ନିଜର ଦ୍ରୁତତମ ଟେଷ୍ଟ ଶତକ ହାସଲ କରିଥିଲେ। ୧୧୯ ବଲ୍‌ରୁ ତିନି ଅଙ୍କ ଛୁଇଁବା ତାଙ୍କର ସମସ୍ତ ୧୮ ଶତକ ମଧ୍ୟରୁ ଦ୍ରୁତତମ ଥିଲା।

ଚଳିତ ବର୍ଷ କୋହଲି ସବୁ ଶ୍ରେଣୀୟ କି୍ରକେଟ୍‌ରେ ୯ ଶତକ ଜମାଇ ଗୋଟିଏ କ୍ୟାଲେଣ୍ଡର ବର୍ଷର ସର୍ବାଧିକ ବ୍ୟକ୍ତିଗତ କୀର୍ତିମାନ କରିଛନ୍ତି। ୨୦୧୨ ଏବଂ ୨୦୧୪ରେ ସେ ୮ ଲେଖାଏଁ ଶତକ ମାରିଥିଲେ। ଚଳିତ ବର୍ଷ ବିଶ୍ୱର ଅନ୍ୟ କୌଣସି ଅଧିନାୟକ କୋହଲିଙ୍କଠାରୁ ଅଧିକ ଅନ୍ତର୍ଜାତୀୟ ଶତକ ମଧ୍ୟ ମାରିନାହାନ୍ତି। ରିକି ପଣ୍ଟିଂ (୨୦୦୫ ଓ ୨୦୦୬) ଏବଂ ଗ୍ରେମ୍‌ ସ୍ମିଥ୍‌ (୨୦୦୬) ମଧ୍ୟ ୯ ଲେଖାଏଁ ଶତକ ହାସଲ କରିଥିଲେ। କୋହଲିଙ୍କ ହାତରେ ଆଉ ୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଥିବାରୁ ଏ କ୍ଷେତ୍ରରେ ସେ ନୂଆ କୀର୍ତିମାନ କରିବାର ସୁଯୋଗ ରହିଛି। କୋହଲି ମଧ୍ୟ ପ୍ରଥମ ଅଧିନାୟକ ଭାବେ ଗୋଟିଏ ଟେଷ୍ଟ୍‍ରେ ଉଭୟ ଶୂନ ଓ ଶତକ ପାଇଲେ। ଏ କ୍ଷେତ୍ରରେ ସେ କିନ୍ତୁ ବିଶ୍ୱର ୧୮ତମ ଅଧିନାୟକ। ଶେଷ ଭାରତୀୟ ଖେଳାଳିଭାବେ ଚେତେଶ୍ୱର ପୂଜାରା ୨୦୧୫ରେ କଲମ୍ବୋ ଟେଷ୍ଟ୍‍ରେ ଏଭଳି କରିଥିଲେ। ସେହିଭଳି ଘରୋଇ ମାଟିରେ ଶେଷ ଭରତୀୟ ଭାବେ ରାହୁଲ ଦ୍ରାବିଡ଼ ୨୦୦୮ରେ ମୋହଲିରେ ଇଂଲଣ୍ଡ ବିପକ୍ଷରେ ସମାନ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର