ଗୋଲାପି ଇତିହାସ ଅପେକ୍ଷାରେ ଇଡେନ୍‌, ଭାରତ-ପାକିସ୍ତାନ ବିଶ୍ବକପ୍‌ ମ୍ୟାଚ୍‌ ସହ ତୁଳନା କଲେ ବିରାଟ

କୋଲକାତା: କୋଲକାତା ଏବେ ଗୋଲାପି ମୟ। ସମସ୍ତେ ଯେମିତି ଗୋଲାପି କ୍ରିକେଟ୍ ପାଇଁ ପାଗଳ। ଗୋଲାପି ବଲ୍‌ରେ ଖେଳାଯିବାକୁ ଥିବା ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ୍‌ ଏବେ ସହରରେ ମୁଖ୍ୟ ଚର୍ଚାର ବିଷୟ। କୁନି କ୍ରିକେଟରଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ଗୋଲାପି ବଲ୍ କେମିତି ବ୍ୟବହାର କରିବ, କିଭଳି ସୁଇଂ ଦେବ, ରଙ୍ଗ କେ‌ତେ ଓଭର ପର୍ଯ୍ୟନ୍ତ ତିଷ୍ଠି ରହିବ, ସେ ସବୁ ପ୍ରଶ୍ନକୁ ନେଇ ସମସ୍ତେ ଉଲ୍ଲସିତ। ଇଡେନ୍ ପଡ଼ିଆ ଉପରେ ଉଡ଼ୁଥିବା ବିଶାଳ ଗୋଲାପି ବଲ୍ ଏବଂ ଷ୍ଟାଡିୟମର କାନ୍ଥରେ ଶୋଭା ପାଉଥିବା‌ ଅନେକ ଭିତି ଚିତ୍ର କୋଲକାତା କ୍ରିକେଟ୍ ପ୍ରେମୀଙ୍କ ମନରେ ଭରି ଦେଇଛି ନୂଆ ଉତ୍ସାହ ଓ ଉନ୍ମାଦ। ବିଳମ୍ବରେ ହେଲେ ମଧ୍ୟ ଭାରତୀୟ କ୍ରିକେଟ୍ ଦଳ ଟେଷ୍ଟ୍‌ କ୍ରିକେଟ୍‌ର ଗୋଲାପି ଆନ୍ଦୋଳନରେ ସାମିଲ ହୋଇଛି। ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍‌ର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି ସେଥିପାଇଁ ବ୍ୟକ୍ତିଗତ ଭାବେ ଏହି ପ୍ରତୀକ୍ଷିତ ମ୍ୟାଚ୍ ଆୟୋଜନର ତଦାରଖରେ ଲାଗି ପଡ଼ିଛନ୍ତି। ମ୍ୟାଚ୍‌ ଶୁକ୍ରବାରରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ଉଲ୍ଲସିତ ସିଟି ଅଫ୍ ଜୟ
ଐତିହାସିକ ଇଡେନ୍ ଗାର୍ଡେନ୍ସ ପଡ଼ିଆରେ ଶୁକ୍ରବାରଠାରୁ ଖେଳାଯିବ ଭାରତର ପ୍ରଥମ ଦିବା ରାତ୍ର ଟେଷ୍ଟ୍‌। ବିଶ୍ବ ଟେଷ୍ଟ୍‌ ମାନ୍ୟତାର ଏକ ନମ୍ବର ଦଳ ଭାରତ ଏବଂ ନବମ ସ୍ଥାନରେ ଥିବା ବାଂଲାଦେଶ ମୁହାଁମୁହିଁ ହେବେ। ପାରମ୍ପରିକ ଲାଲ୍ ବଲ୍ ପରିବର୍ତେ ଗୋଲାପି ବଲ୍‌ରେ ଖେଳାଯିବ ଏହି ମାଇଲଖୁଣ୍ଟ ମ୍ୟାଚ୍। ଗୋଲାପି ‌ଟେଷ୍ଟ୍‌ର ମାନ୍ୟତା ଲାଭ କରିଥିବା ଏହି ପ୍ରତୀକ୍ଷିତ ମୁକାବିଲା ଭାରତୀୟ କ୍ରିକେଟ୍‌ରେ ନୂଆ ମୋଡ଼ ଆଣିବ ବୋଲି ଆଶା କରାଯାଉଛି। ଉଭୟ ଭାରତ ଏବଂ ବାଂଲାଦେଶ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ଗୋଲାପି ବଲ୍‌ରେ ଟେଷ୍ଟ୍‌ ଖେଳିବାକୁ ଯାଉଛନ୍ତି। ସେଥିପାଇଁ ଦୁଇଟି ଯାକ ଦେଶରେ ଏହାକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ‘ସିଟି ଅଫ୍ ଜୟ’ କୋଲ୍‌କାତା ଏବେ ଗୋଲାପି କ୍ରିକେଟ୍‌ ରଙ୍ଗରେ ରଙ୍ଗାୟିତ। ଶୁକ୍ରବାର ଗୋଲାପି କ୍ରିକେଟ୍ ଆୟୋଜନରେ ଏହା ଦେଶର ପ୍ରଥମ ସହର ହେବାର ଗୌରବ ମଣ୍ଡନ କରିବ। ଇଡେନ ବି ନୂଆ ଇତିହାସ ରଚିବ। ଖେଳ ଅପରାହ୍ନ ଗୋଟାଏରୁ ଆରମ୍ଭ ହେବ। ୨୦୧୫ ନଭେମ୍ବର ମାସରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିବା ରାତ୍ର ଟେଷ୍ଟ୍ ଖେଳାଯିବା ପରେ ୧୧ଟି ଏଭଳି ମ୍ୟାଚ୍ ଖେଳାଯାଇଛି। କୋଲ୍‌କାତାର ଭାରତ-ବାଂଲାଦେଶ ମ୍ୟାଚ୍ ଏହି କ୍ରମରେ ଦ୍ବାଦଶ ମୁକାବିଲା ହେବ। ଦିବା ରାତ୍ର ଟେଷ୍ଟ୍‌ର ୪ ବର୍ଷର ଛୋଟିଆ ଇତିହାସ ମଧ୍ୟରେ ମାତ୍ର ୬ ଦେଶ ଟେଷ୍ଟ୍ କ୍ରିକେଟ୍‌ର ଏହି ନିଆରା ରୂପକୁ ଆୟୋଜନ କରିପାରିଛନ୍ତି। ଭାରତ ଏହି ତାଲିକାରେ ସପ୍ତମ ସ୍ଥାନ ଅଧିକାର କରିବ। ଗୋଲାପି କ୍ରିକେଟ୍‌ର ଗୋଟିଏ ପାଳିରେ ସର୍ବାଧିକ ଦଳଗତ ‌ସ୍କୋରର କୀର୍ତ୍ତିମାନ ପାକିସ୍ତାନ ନାଁରେ ରହିଛି। ଗୋଟିଏ ପାଳିରେ ସର୍ବନିମ୍ନ ‌ଦଳଗତ ସ୍କୋରର ଅଲୋଡ଼ା କୀର୍ତ୍ତିମାନ ଇଂଲଣ୍ଡ ଖାତାକୁ ଯାଇଛି। ସେହିଭଳି ପାକିସ୍ତାନର ଆଝାର ଅଲ୍ଲୀଙ୍କ ନାଁରେ ସର୍ବାଧିକ ବ୍ୟକ୍ତିଗତ ରନ୍ ଏବଂ ଗୋଟିଏ ପାଳିରେ ସର୍ବଶ୍ରେଷ୍ଠ ବୋଲିଂ କରିବାର କୀର୍ତ୍ତିମାନ ୱେଷ୍ଟଇଣ୍ଡିଜର ଦେବେନ୍ଦ୍ର ବିଶୁ (୮/୪୯)ଙ୍କ ନାଁରେ ରହିଛି।

ଚାପରେ ବାଂଲାଦେଶ ପ୍ରାରମ୍ଭିକ ଯୋଡ଼ି
ଇନ୍ଦୋର ଟେଷ୍ଟ୍‌ରେ ବାଂଲାଦେଶର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଦୁଇଟି ଯାକ ପାଳିରେ ୬ ରନ୍‌ ଆଗକୁ ବଢ଼ି ନଥିଲେ। କୋଲ୍‌କାତାରେ ସେମାନଙ୍କ କାର୍ଯ୍ୟ ଆହୁରି କଷ୍ଟକର ହେବ। ସଂରକ୍ଷିତ ଖେଳାଳି ସୈଫ ଇସଲାମ ଆହତ ହେବା ବାଂଲାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଚିନ୍ତାକୁ ବହୁଗୁଣ ବଢ଼ାଇ ଦେଇଛି। ସେପଟେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ମଧ୍ୟ ନଜରରେ ରହିବେ। ଭାରତ ବିଜୟରେ ସେ ନିର୍ଣ୍ଣାୟକ ଭୂମିକା ନେବେ। ଭାରତ ଅପରିବର୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇପାରେ। ତାଇଜୁଲ ଇସଲାମ ଓ ଇବାଦତ ହୁସନେଙ୍କ ସ୍ଥାନରେ ବାଂଲାଦେଶ ମୁସ୍ତାଫିଜୁର ରହେମାନ ଏବଂ ଅଲ ଅମିନ ହୁସେନଙ୍କୁ ଦଳରେ ସ୍ଥାନ ଦେଇପାରେ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଦେଜା, ଋଦ୍ଧିମାନ ଶାହ, ରବିଚନ୍ଦ୍ରନ୍‌ ଅଶ୍ବିନ, ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସାମି।

ସମ୍ଭାବ୍ୟ ବାଂଲା‌ଦେଶ: ସଦମନ ଇସଲାମ, ଇମ୍ରୁଲ କେସ୍, ମୋମିନୁଲ ହକ୍ (ଅଧିନାୟକ), ମହମ୍ମଦ ମିଥୁନ, ଲିଟନ ଦାସ, ମେହିଦି ହାସନ ମିରାଜ, ତାଇଜୁଲ ଇସଲାମ/ମୁସ୍ତାଫିଜୁର ରହେମାନ, ଅବୁ ଜାୟେଦ, ଇବାଦତ ହୁସେନ/ଅଲ ଅମିନ ହୁସେନ।

ସବୁଜ ଓ ଘାସୁଆ ପିଚ୍
ପାରମ୍ପରିକ ଲାଲ ବଲ୍ ତୁଳନାରେ ଗୋଲାପି ବଲ୍ ଅଧିକ ନମନୀୟ ଏବଂ କୋମଳ ହୋଇଥାଏ। ସେଥିପାଇଁ ଇଡେନ୍ ଗାର୍ଡେନ୍ସ ପିଚ୍‌କୁ କ୍ୟୁରେଟର ଘାସୁଆ ଏବଂ ସବୁଜ ରଖିଛନ୍ତି। ନଚେତ ଏହାର ରଙ୍ଗ ଫିକା ପଡ଼ିଯିବା ସହ ବ୍ୟାଟ୍ସମ୍ୟାନ୍ ବଲ୍‌କୁ ଦେଖିବା କଷ୍ଟକର ହେବାର ଆଶଙ୍କା ଅଧିକ ରହିଛି। ସେଥିପାଇଁ ଗୋଲାପି କ୍ରିକେଟ୍‌ରେ ଦ୍ରୁତ ବୋଲରମାନେ ସ୍ପିନରଙ୍କଠାରୁ ଅଧିକ ସଫଳ। ଆଜି ପର୍ଯ୍ୟନ୍ତ ଖେଳାଯାଇଥିବା ୧୧ ଗୋଲାପି ଟେଷ୍ଟ୍‌ରେ ଦ୍ରୁତ ବୋଲରମାନେ ଦୁଇ ଭାଗ ବୋଲିଂ କରିଥିଲା ବେଳେ ସ୍ପିନର ଗୋଟିଏ ଭାଗ ବୋଲିଂ କରିଛନ୍ତି। ଦ୍ରୁତ ବୋଲରମାନେ ଟେଷ୍ଟ୍‌ କ୍ରିକେଟ୍‌ର ଏହି ରୂପରେ ସ୍ପିନରଙ୍କଠାରୁ ତିନି ଗୁଣ ୱିକେଟ୍ କରାୟତ କରିଛନ୍ତି। କୋଲ୍‌କାତା ପାଗ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଅନୁକୁଳ ରହିବାର ପୂର୍ବାନୁମାନ ଥିବାରୁ ଖେଳରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା ପ୍ରାୟ ନାହିଁ।

ଭାରତ-ପାକିସ୍ତାନ ବିଶ୍ବକପ୍‌ ମ୍ୟାଚ୍‌ ସହ ତୁଳନା କଲେ ବିରାଟ
ଭାରତୀୟ ଅଧିନାୟକ ବିରାଟ କୋହଲି ଭାରତ-ବାଂଲାଦେଶ ଦିବା-ରାତ୍ର ଟେଷ୍ଟ୍‌କୁ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପାକିସ୍ତାନ ବିପକ୍ଷ ମ୍ୟାଚ୍ ସହ ତୁଳନା କରିଛନ୍ତି। ଗୋଲାପି ବଲ୍ ଟେଷ୍ଟ୍‌ ପାଇଁ ଆମେ ବହୁତ ଉତ୍ସାହିତ ଅଛୁ, ଏହା ଆମକୁ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଡେନ୍‌ରେ ଖେଳିଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଭଳି ଲାଗୁଛି, ବଡ଼ ବଡ଼ ଖେଳାଳି ମ୍ୟାଚ୍‌ ଦେଖିବାକୁ ଆସିବେ ଏବଂ ଆହୁରି ଅନେକ କଥା ଏହି ମ୍ୟାଚ୍‌ ପାଇଁ ଆୟୋଜନ କରାଯାଇଛି। ଷ୍ଟାଡିୟମରେ କ୍ରୀଡ଼ାପ୍ରେମୀଙ୍କ ବିଶାଳ ଉପସ୍ଥିତି ସବୁ ଖେଳାଳିଙ୍କୁ ଉତ୍ସାହିତ କରିବ। ଭାରତରେ ପ୍ରଥମ ଦିବା-ରାତ୍ର ଟେଷ୍ଟ୍ ମ୍ୟାଚ୍ ଖେଳୁଥିବାରୁ ଆମେ ବହୁତ ଭାଗ୍ୟବାନ ବୋଲି କୋହଲି କହିଛନ୍ତି। ତେବେ ମ୍ୟାଚ୍‌ ସମୟରେ କାକର ଉଭୟ ଦଳ ପାଇଁ ସବୁଠାରୁ ବଡ଼ ଆହ୍ବାନ ହେବା ସହିତ କ୍ଷେତ୍ରରକ୍ଷଣ ସବୁଠାରୁ ଆହ୍ବାନଭରା କାର୍ଯ୍ୟ ହେବ ବୋଲି ସେ କହିଛନ୍ତି। ଟେଷ୍ଟ କ୍ରିକେଟ୍‌କୁ ଆନନ୍ଦଦାୟକ କରାଯାଇପାରେ ମାତ୍ର ଟେଷ୍ଟ୍‌ର ବିଶୁଦ୍ଧ ରୂପକୁ ଆପଣ ମନୋରଞ୍ଜନ ଆଧାରରେ ତିଆରି କରିପାରିବେ ନାହିଁ। ଦିବା-ରାତ୍ର ଫର୍ମାଟ୍‌କୁ ଟେଷ୍ଟ୍‌ ଖେଳିବାର ଏକମାତ୍ର ବିକଳ୍ପ କରାନଯାଉ। ଏହା ଦ୍ବାରା ଆମେ ପ୍ରଥମ ସତ୍ର (ଅଧିବେଶନ)ର ଅଧୀରତାକୁ ହରାଉଛେ ବୋଲି କୋହଲି କହିଛନ୍ତି। ସେହିଭଳି ଗୋଲାପି ବଲ୍ ଓଜନିଆ ହକି ବଲ୍ ଭଳି ଲାଗୁଛି ବୋଲି କୋହଲି ମତବ୍ୟକ୍ତ କରିଛନ୍ତି। ସବୁବେଳେ ଗୋଲାପି ଟେଷ୍ଟ୍‌ ନଖେଳି ସୌଖିନ ଭାବେ କେବେ କେବେ ଏଭଳି କ୍ରିକେଟ୍ ଖେଳିବାକୁ ସେ ଅଧିକ ପସନ୍ଦ କରିଛନ୍ତି। ଗୋଲାପି ଟେଷ୍ଟ୍‌ରେ ନେତୃତ୍ବ ନେବାରେ ବିରାଟ କୋହଲି ପ୍ରଥମ ଭାରତୀୟ ଅଧିନାୟକ ହେବେ।

ବଦଳିବ ବିରତି ସମୟ
ପାରମ୍ପରିକ ଟେଷ୍ଟ୍‌ ମ୍ୟାଚ୍ ଭଳି ଦିବା ରାତ୍ର ଟେଷ୍ଟ୍‌ ମଧ୍ୟ ତିନିଟି ଅଧିବେଶନରେ ଖେଳାଯିବ। ହେଲେ ପ୍ରତି ଅଧିବେଶନ ମଧ୍ୟରେ ଯେଉଁ ବିରତି ସମୟ ଥାଏ, ସେଥିରେ ଅଦଳ ବଦଳ କରାଯିବ। ପାରମ୍ପରିକ ଟେଷ୍ଟ୍‌ରେ ପ୍ରଥମେ ମଧ୍ୟାହ୍ନ ଭୋଜନ ବିରତି ହୋଇଥାଏ, ତାପରେ ଚା’ପାନ ବିରତି କରଯାଇଥାଏ। ହେଲେ ଦିବା ରାତ୍ର ଟେଷ୍ଟ୍‌ରେ ପ୍ରଥମ ଅଧିନେଶନ‌ ପରେ ପ୍ରଥମେ ଚା’ ପାନ ବିରତି ହେବ। ଅର୍ଥାତ୍ ଦୁଇ ଘଣ୍ଟାର ପ୍ରଥମ ଅଧିବେଶନ ପରେ ୨୦ ମିନିଟ୍‌ର ଚା’ ପାନ ବିରତି ହେବ। ପୁଣି ପରବର୍ତୀ ଦୁଇ ଘଣ୍ଟାର ଖେଳ ପରେ ରାତ୍ର ଭୋଜନ ପାଇଁ ୪୦ ମିନିଟ୍‌ର ବିରତି ମିଳିବ। ଏହା ପରେ ଶେଷ ଅଧିବେଶନର ଦୁଇ ଘଣ୍ଟିଆ ଖେଳ ହେବ।

କେବଳ ଗୋଟିଏ ଅଧିବେଶନରେ ଫ୍ଲଡ୍‌ଲାଇଟ୍
ଦିବା ରାତ୍ର ଟେଷ୍ଟ୍‌ରେ ଦୁଇଟି ଅଧିବେଶନ ସୂର୍ଯ୍ୟକିରଣରେ ଖେଳାଯିବ। ମାତ୍ର ଗୋଟିଏ ଅଧିବେଶନ (ଶେଷ) ହିଁ ଫ୍ଲଡ୍‌ଲାଇଟରେ ଆୟୋଜିତ ହେବ। ସଂଧ୍ୟା ସମୟରେ ହିଁ ବ୍ୟାଟ୍ସମ୍ୟାନ୍ କଠୋର ପରୀକ୍ଷାର ସମ୍ମୁଖୀନ ହେବେ। ତେବେ ଫ୍ଲଡଲାଇଟ୍ ପୂରା ପଡ଼ିଲା ବେଳେ ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ଆଶା କରାଯାଉଛି। କିଛି ସମୟ ପରେ ସେମାନେ ଗୋଲାପି ବଲ୍‌କୁ ଦେଖିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ପୂର୍ବତନ କ୍ରିକେଟରଙ୍କ ମେଳା
ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟରେ ପୂର୍ବତନ କ୍ରିକେଟରଙ୍କ ମେଳା ଲାଗିବ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବ, ରାହୁଲ ଦ୍ରାବିଡ଼, ଅନୀଲ କୁମ୍ବଲେଙ୍କ ସହ ବହୁ ମହାନ କ୍ରିକେଟର ଗୋଲାପି ଟେଷ୍ଟ୍‌ର ପଦାର୍ପଣକୁ ଇଡେନ୍ ଗ୍ୟାଲେରିରୁ ଦେଖିବେ। ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ସହ ମ୍ୟାଚ୍ ପୂର୍ବରୁ ସମ୍ବର୍ଧନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏହି ଅବସରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମଧ୍ୟ ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର