ଏଦୁଲଜୀ ନେବେନି ଜୀବନବ୍ୟାପୀ ସାଧନା ପୁରସ୍କାର

ନୂଆଦିଲ୍ଲୀ: ବିସିସିଆଇର ପରିଚାଳନା ଲାଗି ଉଚ୍ଚତମ ନ୍ୟାୟାଳୟ ଗଠନ କରିଥିବା ପ୍ରଶାସନିକ ସମିତି (ସିଓଏ)ର ସଦସ୍ୟ ତଥା ଭାରତୀୟ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟିକା ଡାଏନା ଏଦୁଲଜୀ ବିସିସିଆଇର ଜୀବନବ୍ୟାପୀ ସେବା ପୁରସ୍କାର ନେବେ ନାହିଁ ବୋଲି କହିଛନ୍ତି। ୬୨ ବର୍ଷୀୟା ଏଦୁଲଜୀଙ୍କ ଯୁକ୍ତି ହେଲା ‘ମୁଁ ବିସିିସିଆଇ ପରିଚାଳନା ସମିତିରେ ଥିବାରୁ ଏଭଳି ସମୟରେ ପୁରସ୍କାର ଗ୍ରହଣ କରିବା ଠିକ୍‌ ହେବ ନାହିଁ। ମୁଁ ଏ ସମ୍ପର୍କରେ ମୋ ପରିବାର, ବଂଧୁ ଓ ଶୁଭେଚ୍ଛୁଙ୍କ ସହ ଆଲୋଚନା କରିଛି। ସମସ୍ତେ ମୋ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଗତବର୍ଷ ମୋ ନାମ ସୁପାରିସ୍‌ ବେଳେ ମଧ୍ୟ ମୁଁ ମନା କରିଥିଲି। ତେବେ ମୋତେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରିଥିବାରୁ ମୁଁ ବିସିସିଆଇକୁ କୃତଜ୍ଞତା ଜଣାଉଛି।

ଗତବର୍ଷ ଏହି ପୁରସ୍କାର ଶାନ୍ତା ରଙ୍ଗାସ୍ୱାମୀ ପାଇଥିଲେ। ଏହି ପୁରସ୍କାର ପାଇବାରେ ସେ ପ୍ରଥମ ମହିଳା କ୍ରିକେଟର୍‌ ହୋଇଥିଲେ। ରଙ୍ଗାସ୍ୱାମୀଙ୍କୁ ବାଛିଥିବା ସମିତିର ଇଦୁଲଜୀ ଅନ୍ୟତମ ସଦସ୍ୟ ଥିଲେ। ଏଦୁଲଜୀ ବିଗତଦିନର ସବୁଠାରୁ ଶ୍ରେଷ୍ଠ ମହିଳା କ୍ରିକେଟର୍‌। ଭାରତ ପାଇଁ ଏଦୁଲଜୀ ଟେଷ୍ଟ୍‌ରେ ୪୦୦ ଏବଂ ଦିନିକିଆରେ ୨୧୧ ରନ୍‌ କରିଛନ୍ତି। ଇଦୁଲଜୀ ଟେଷ୍ଟରେ ୬୩ ଏବଂ ଦିନିକିଆରେ ୪୫ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ଅନ୍ୟପକ୍ଷରେ ଅଂଶୁମାନ କାଏକ୍ୱାଡ ଏବଂ ପଙ୍କଜ ରାୟଙ୍କୁ ଏଥର ସିକେ ନାୟୁଡୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିବ। ମହିଳା କ୍ରିକେଟର ଅନ୍ୟତମ ପୂର୍ବତନ ଅଧିନାୟିକା ତଥା ପ୍ରଶିକ୍ଷକ ସୁଧା ସାହାଙ୍କୁ ୨୦୧୭-୧୮ ପାଇଁ ମଧ୍ୟ ଜୀବନବ୍ୟାପୀ ସେବା ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର