ଫରକ୍‌ ପକାଉଛି ଆତ୍ମଘାତୀ ଗୋଲ୍‌

ମସ୍କୋ: ଚଳିତ ଫିଫା ବିଶ୍ୱକପ୍‌ରେ ଦୁଇ ମହାନ୍‌ ତାରକା ଲିଓନେଲ୍‌ ମେସି କିମ୍ବା କ୍ରିଷ୍ଟିଆନ୍‌ ରୋନାଲ୍‌ଡୋ ନୁହଁନ୍ତି, ବରଂ ଆତ୍ମଘାତୀ ଗୋଲ୍‌ ହିଁ ଫରକ୍‌ ପକାଉଛି। ଏପରିକି ଏଭଳି ଗୋଲ୍‌ ଚଳିତ ବିଶ୍ୱକପ୍‌ରେ ଏକ ଧାରା ପାଲଟିଗଲାଣି। ଗତ ୨୦୧୪ ବ୍ରାଜିଲ୍‌ ବିଶ୍ୱକପ୍‌ରେ ମୋଟ ୪ ଆତ୍ମଘାତୀ ଗୋଲ୍‌ ଦେଖିବାକୁ ମିଳିଥିଲା ବେଳେ ଏଥର ମାତ୍ର ଗୋଟିଏ ସପ୍ତାହ ନପୂରୁଣୁ ୫ ଆତ୍ମଘାତୀ ଗୋଲ୍‌ ହୋଇସାରିଲାଣି। ତେଣୁ ଚଳିତ ବର୍ଷ ବିଶ୍ୱକପ୍‌ର ଆହୁରି ୪୭ ମ୍ୟାଚ୍‌ ବାକିଥିଲା ବେଳେ ଆତ୍ମଘାତୀ ଗୋଲ୍‌ ହେବାରେ ରୁଷିଆ ସଂସ୍କରଣ କୀର୍ତିମାନ ରଚିବାର ସମ୍ଭାବନା ରହିଛି। କୌଣସି ବିଶ୍ୱକପ୍‌ରେ ସର୍ବାଧିକ ଆତ୍ମଘାତୀ ଗୋଲ୍‌ ହେବାର ଅଲୋଡ଼ା କୀର୍ତିମାନ ୧୯୯୮ ଫ୍ରାନ୍‌ସ ସଂସ୍କରଣ ନାମରେ ରହିଛି। ୧୯୯୮ ବିଶ୍ୱକପ୍‌ରେ ସର୍ବାଧିକ ୬ ଆତ୍ମଘାତୀ ଗୋଲ୍‌ ଦେଖିବାକୁ ମିଳିଥିଲା। ଆସନ୍ତୁ ଏଥର ମଙ୍ଗଳବାର ପର୍ଯ୍ୟନ୍ତ ଶେଷ ହୋଇଥିବା ମୋଟ ୧୭ ମ୍ୟାଚ୍‌ ମଧ୍ୟରେ ଦେଖାଯାଇଥିବା ୫ ଆତ୍ମଘାତୀ ଗୋଲ୍‌ ଉପରେ ଦୃଷ୍ଟି ପକାଇବା

ଅଜିଜ୍‌ ବୋହାଦୁଜ୍‌ (ମରକ୍କୋ ବନାମ ଇରାନ୍‌ ମ୍ୟାଚ୍‌): ଗତ ୧୫ ତାରିଖରେ ଗ୍ରୁପ୍‌-ବିର ପ୍ରଥମ ମ୍ୟାଚ୍‌ ମରକ୍କୋ ଓ ଇରାନ୍‌ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଏସୀୟ ରାଷ୍ଟ୍ର ଇରାନ୍‌ ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ହେଲେ ବିଜୟୀ ଦଳ ପାଇଁ କେହି ଗୋଲ୍‌ କରିନଥିଲା ବେଳେ ମରକ୍କୋ ପକ୍ଷରୁ ବଦଳ ଖେଳାଳି ଅଜିଜ୍‌ ବୋହାଦୁଜ୍‌ ଅତିରିକ୍ତ ସମୟରେ ଦେଇଥିବା ଆତ୍ମଘାତୀ ଗୋଲ୍‌ ହିଁ ଇରାନ୍‌କୁ ବିଜୟ ଭେଟି ଦେଇଥିଲା। ଇରାନ୍‌ର ଲେଫ୍‌ଟ ବ୍ୟାକ୍‌ ଇସାନ୍‌ ହାସାଫି ଅତିରିକ୍ତ ସମୟର ୫ ମିନିଟ୍‌ ବେଳେ ଏକ ଫ୍ରିକିକ୍‌ ମାରିଥିଲେ। ହେଲେ ମରକ୍କୋର ଅଜିଜ୍‌ ଏହାକୁ ହେଡର୍‌ ଦ୍ୱାରା ଅଟକାଇବାକୁ ଯାଉଥିଲା ବେଳେ ବଲ୍‌ ନିଜ ଗୋଲ୍‌ରକ୍ଷକ ମୁନିର୍‌ ମହମେଦୀଙ୍କୁ ଚକ୍‌ମା ଦେଇ ପୋଷ୍ଟ ମଧ୍ୟକୁ ଚାଲିଯାଇଥିଲା। ମରକ୍କୋ ନିରାଶ ହୋଇଥିଲା ବେଳେ ଇରାନ୍‌ ଖେଳାଳି ଖୁସିରେ ମସ୍‌ଗୁଲ୍‌ ହୋଇଥିଲେ।

ଅଜିଜ୍‌ ବେହିକ୍‌ (ଅଷ୍ଟ୍ରେଲିଆ ବନାମ ଫ୍ରାନ୍‌ସ୍‌ ମ୍ୟାଚ୍‌): ଗତ ୧୬ ତାରିଖରେ ଗ୍ରୁପ୍‌-ସିର ଉଦ୍‌ଘାଟନୀ ମ୍ୟାଚ୍‌ରେ ଫ୍ରାନ୍‌ସ ୨-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଆଣ୍ଟୋନି ଗ୍ରିଜ୍‌ମ୍ୟାନ୍‌ଙ୍କ ଗୋଲ୍‌ ବଳରେ ଆଗୁଆ ଥିବା ଫ୍ରାନ୍‌ସକୁ କଡ଼ା ଟକ୍କର ଦେଇଥିଲା ଅଷ୍ଟ୍ରେଲିଆ। ଅଧିନାୟକ ମିଲେ ଜେଦିନାକ୍‌ଙ୍କ ଗୋଲ୍‌ ବଳରେ ଅଷ୍ଟ୍ରେଲିଆ ମଧ୍ୟ ସ୍ଥିତି ୧-୧ କରିଦେଇଥିଲା। ହେଲେ ୮୧ ମିନିଟ୍‌ରେ ଅଜିଜ୍‌ଙ୍କ ଆତ୍ମଘାତୀ ଗୋଲ୍‌ ହିଁ ଅଷ୍ଟ୍ରେଲିଆକୁ ପରାଜୟ ପାଇଁ ବାଧ୍ୟ କରିଥିଲା। ପୋଗ୍‌ବାଙ୍କ ଏକ ଶକ୍ତିଶଳୀ ସଟ୍‌କୁ ଅଟକାଇବାକୁ ଯାଉଥିଲା ବେଳେ ବଲ୍‌ ଅଜିଜ୍‌ଙ୍କ ନଳି ଗୋଡ଼ରେ ବାଜିବା ପରେ କ୍ରସ୍‌ବାର୍‌ରେ ବାଜି ଗୋଲ୍‌ ଭିତରକୁ ପଶି ପୁଣି ବାହାରି ଆସିଥିଲା। ଉରୁଗୁଏ ରେଫରି ଆନ୍ଦ୍ରେ କୁନା ନିଜ ଘଣ୍ଟାରେ ଗୋଲ୍‌ ଲାଇନ୍‌ ମନିଟର୍‌କୁ ଯାଞ୍ଚ୍‌ କରିବା ପରେ ଫ୍ରାନ୍‌ସ ସପକ୍ଷରେ ଗୋଲ୍‌ ଦେଇଥିଲେ।

ଓଘେନେକାର୍‌ ଇଟିବୋ (ନାଇଜେରିଆ ବନାମ କ୍ରୋଏସିଆ ମ୍ୟାଚ୍‌): ଗତ ଶନିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଗ୍ରୁପ୍‌-ଡିର ନାଇଜେରିଆ ଓ କ୍ରୋଏସିଆ ମ୍ୟାଚ୍‌ରେ ମଧ୍ୟ ଆତ୍ମଘାତୀ ଗୋଲ୍‌ ହିଁ ନିର୍ଣ୍ଣାୟକ ହୋଇଥିଲା। ମ୍ୟାଚ୍‌ର ଅଧଘଣ୍ଟା ପରେ ଇଟିବୋଙ୍କ ଆତ୍ମଘାତୀ ଗୋଲ୍‌ କେଆଏସିଆକୁ ଅଗ୍ରଣୀ ଦେଇଥିଲା। ମାରିଓ ମନ୍ଦୁକିକ୍‌ଙ୍କ ଡାଇଭିଂ ହେଡର୍‌ ଇଟିବୋଙ୍କ ପାଦରେ ବାଜି ନାଇଜେରିଆ ଗୋଲ୍‌ପୋଷ୍ଟ ମଧ୍ୟରେ ପଶି ଯାଇଥିଲା। ଏହାପରେ ଲୁକା ମୋଦ୍ରିକ୍‌ଙ୍କ ଗୋଲ୍‌ କ୍ରୋଏସିଆକୁ ୨-୦ରେ ବିଜୟ ଭେଟି ଦେଇଥିଲା।

ଥିଆଗୋ ସିଓନେକ୍‌ (ପୋଲାଣ୍ଡ୍‌ ବନାମ ସେନେଗାଲ୍‌ ମ୍ୟାଚ୍‌): ମଙ୍ଗଳବାର ଖେଳାଯାଇଥିବା ଶେଷ ଦୁଇଟି ମ୍ୟାଚ୍‌ରେ ମଧ୍ୟ ଆତ୍ମଘାତୀ ଗୋଲ୍‌ ଦେଖିବାକୁ ମିଳିଥିଲା। ପ୍ରଥମେ ପୋଲାଣ୍ଡ୍‌-ସେନେଗାଲ୍‌ ମ୍ୟାଚ୍‌ରେ ଉଭୟ ଦଳର ତ୍ରୁଟିଯୁକ୍ତ ପାସ୍‌ ଯୋଗୁଁ ମ୍ୟାଚ୍‌ ଆକର୍ଷଣ ହରାଇଥିଲା। ହେଲେ ୩୭ ମିନିଟ୍‌ରେ ପୋଲାଣ୍ଡ୍‌ ଡିଫେଣ୍ଡର ଥିଆଗୋ ସିଓନେକ୍‌ଙ୍କ ଗୋଡ଼ରେ ବାଜି ବଲ୍‌ ଗୋଲ୍‌ପୋଷ୍ଟ ଆଡକୁ ଚାଲିଯାଇଥିଲା। ପୁଣି ସେତେବେଳେ ପୋଲଣ୍ଡ୍‌ ଗୋଲ୍‌ରକ୍ଷକ ଓ୍ଵଜ୍‌ସିଚ୍‌ ସିସେନି ଅନାବଶ୍ୟକ ଭାବେ ତାଙ୍କ ସ୍ଥାନ ଛାଡ଼ି ଦେଇଥିବାରୁ ଗୋଲ୍‌ ଖୋଲା ପଡ଼ିଯାଇଥିଲା। ଏହାର ସୁଯୋଗ ନେଇ ଏମ୍‌ ବାୟେ ନିଆଙ୍ଗ୍‌ ବଲ୍‌କୁ ଧୀରେ ପୋଷ୍ଟ ଭିତରକୁ ଠେଲି ଦେଇଥିଲେ।

ଅହମ୍ମଦ ଫତି (ଇଜିପ୍ଟ ବନାମ ରୁଷିଆ ମ୍ୟାଚ୍‌): ଗତକାଲିର ଶେଷ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଇଜିପ୍ଟ ଓ ଆୟୋଜକ ରୁଷିଆ। ଗ୍ରୁପ୍‌-ଏର ଏହି ମ୍ୟାଚ୍‌ରେ ଅହମ୍ମଦ ଫତିଙ୍କ ଆତ୍ମଘାତୀ ଗୋଲ୍‌ ହିଁ ରୁଷିଆକୁ ବିଜୟୀ କରାଇଥିଲା। ସଂଘର୍ଷପୂର୍ଣ୍ଣ ପ୍ରଥମାର୍ଧ ପରେ ଦ୍ୱିତୀୟାର୍ଧର ଦ୍ୱିତୀୟ ମିନିଟ୍‌ରେ ହିଁ ରୁଷିଆକୁ ଫାଇଦା ମିଳିଥିଲା। ଆଲେକ୍‌ଜାଣ୍ଡର ଗୋଲୋଭିନ୍‌ଙ୍କ କ୍ରସ୍‌କୁ ଇଜିପ୍ଟ ଗୋଲ୍‌ରକ୍ଷକ ମହମ୍ମଦ ଏଲ୍‌ ସିନାଓ୍ଵିଙ୍କୁ ଅଟକାଇ ଦେଇଥିଲେ। ହେଲେ ବଲ୍‌ ତାଙ୍କ ନିୟଂତ୍ରଣରୁ ବାହାରି ଆସିଥିଲା। ଏହାକୁ ରୋମାନ୍‌ ଜୋବ୍‌ନିନ୍‌ ତଳୁଆ ମାରିଥିଲେ। ତେବେ ବଲ୍‌ ଅହମ୍ମଦ ଫତିଙ୍କ ଗୋଡ଼ରେ ବାଜି ଇଜିପ୍ଟ ପୋଷ୍ଟ ମଧ୍ୟରେ ପଶି ଯାଇଥିଲା। ତେବେ ରୁଷିଆ ଏହି ମ୍ୟାଚ୍‌କୁ ୩-୧ ଗୋଲ୍‌ରେ ଜିତି ନେଇଥିଲା।

ସମ୍ବନ୍ଧିତ ଖବର