ଲିଲିମାଙ୍କୁ ଏକଲବ୍ୟ; ଝିଲି, ଋତୁପର୍ଣ୍ଣା ସମ୍ମାନିତ

ଭୁବନେଶ୍ବର: ଭାରତୀୟ ମହିଳା ହକି ଦଳର ସଦସ୍ୟା ତଥା ଓଡ଼ିଶା ହକିର ଗର୍ବ ଲିଲିମା ମିଞ୍ଜଙ୍କୁ ଚଳିତବର୍ଷ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ମିଳିଛି। ସେହିଭଳି ଭାରୋତ୍ତୋଳନ ତାରକା ଝିଲି ଦଳବେହେରା ଏବଂ ଋତୁପର୍ଣ୍ଣା ପଣ୍ଡା ଏହି ଅବସରରେ ସମ୍ମାନିତ ହୋଇଛନ୍ତି। ଏକଲବ୍ୟ ପୁରସ୍କାର ବାବଦରେ ଲିଲିମା ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ସହ ଟ୍ରଫି ଓ ପ୍ରଶସ୍ତିପତ୍ର ପାଇଛନ୍ତି। ଝିଲି ଏବଂ ଋତୁପର୍ଣ୍ଣାଙ୍କୁ ପ୍ରଶସ୍ତିପତ୍ର ସହ ୫୦ ହଜାର ଟଙ୍କା ଲେଖାଏଁର ଆର୍ଥିକ ପୁରସ୍କାର ମିଳିଥିଲା। ଲିଲିମା ଏବଂ ଋତୁପର୍ଣ୍ଣା ବ୍ୟକ୍ତିଗତ ଭାବେ ଏହି ପୁରସ୍କାର ଗ୍ରହଣ କରିଥିଲା ବେଳେ ଜାତୀୟ ପ୍ରତିଯୋଗିତା ପାଇଁ ରାଜ୍ୟ ବାହାରେ ଥିବାରୁ ଝିଲିଙ୍କ ତରଫରୁ ତାଙ୍କ ପ୍ରଶିକ୍ଷକ ପି ଧର୍ମାରାଓ ପୁରସ୍କାର ଗ୍ରହଣ କରିଥିଲେ। ଏକଲବ୍ୟ ପୁରସ୍କାର ପାଇବା ମୋର ପିଲାଦିନର ସ୍ବପ୍ନ ଥିଲା। ଆଜି ଏହା ପୂରଣ ହୋଇଛି। ଏହି ପୁରସ୍କାର ମୋତେ ଆହୁରି ଭଲ ଖେଳିବା ଲାଗି ପ୍ରେରିତ କରିବ ବୋଲି ଲିଲିମା କହିଥିଲେ। ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ମୁଁ ଏବେ ବାଟ ଯାଇଛି। ପୁରସ୍କାର ପାଇଁ ସମସ୍ତଙ୍କୁ ଧନ୍ୟବାଦ ବୋଲି ଋତୁପର୍ଣ୍ଣା ମତ ରଖିଥିଲେ। ରବିବାର ସଂଧ୍ୟାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ପୂର୍ବତନ ଭାରତୀୟ କ୍ରିକେଟର ଦିଲୀପ ‌ଭେଙ୍ଗସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅର୍ଜୁନ ପୁରସ୍କାର ବିଜେତା ବଡିବିଲ୍ଡର ସୁନୀଲ କୁମାର ପାତ୍ର ସମ୍ମାନିତ ଅତିଥି ଥିଲେ। ଏହି ଅବସରରେ ପୂର୍ବତନ ସାଂସଦ ତଥା ଇମ୍ପାକ୍ଟର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜାଗି ମଙ୍ଗତ ପଣ୍ଡା, ପୁରସ୍କାର ସମିତିର ସଂଯୋଜକ ଅଶୋକ ବେ‌ହେରା, ସେଖ୍ ମକବୁଲ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଏକଲବ୍ୟ ପୁରସ୍କାରର ଏହା ୨୬ତମ ସଂସ୍କରଣ ଥିଲା।

‘ହକି ବିଶ୍ବକପ୍ ଓଡ଼ିଶା କ୍ରୀଡ଼ାରେ ଐତିହାସିକ ମୋଡ଼ ଆଣିବ’
ଓଡ଼ିଶା ମୋ ପାଇଁ ସବୁବେଳେ ଭାଗ୍ୟଶାଳୀ ହୋଇ ରହି ଆସିଛି। ବାରବାଟୀରେ ମୁଁ ମୋ ସର୍ବାଧିକ ‌‌ଟେଷ୍ଟ ରନ୍ କରିଥିଲି। ଶ୍ରୀଲଙ୍କା ବିପକ୍ଷ ସେହି ମ୍ୟାଚ୍‌ରେ ଆମେ ପାଳି ବିଜୟ ହାସଲ କରିଥିଲୁ। ସେଥିପାଇଁ ଓଡ଼ିଶା ସହ ମୋର ଆବେଗପୂର୍ଣ୍ଣ ସଂପର୍କ ରହିଛି। ଏଠାରେ ହକି ବିଶ୍ବକପ୍‌ ଆୟୋଜନ ହେଉଥିବା ଖବର ବ୍ୟକ୍ତିଗତ ଭାବେ ମୋତେ ବହୁତ ଖୁସି ଦେଇଛି। ଏହା ଏକ ବୃହତ୍ କ୍ରୀଡ଼ା‌ ମହାପର୍ବ। ହକି ବିଶ୍ବକପ୍ ନିଶ୍ଚିତ ଭାବେ ଓଡ଼ିଶା କ୍ରୀଡ଼ାରେ ନୂଆ ଉତ୍ସାହ ଭରିବ, ଐତିହାସିକ ମୋଡ଼ ଆଣିବ। ରବିବାର ସଂଧ୍ୟାରେ ଇମ୍ପାକ୍ଟ ପକ୍ଷରୁ ଆୟୋଜିତ ଏକଲବ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ କ୍ରିକେଟ୍ ଦଳର ପୂବର୍ତନ ଅଧିନାୟକ ତଥା ୧୯୮୩ ବିଶ୍ବକପ୍ ବିଜୟୀ ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ସଦସ୍ୟ ଦିଲ୍ଲୀପ ‌ଭେଙ୍ଗସରକାର ଏହା କହିଥିଲେ।

ରାଜ୍ୟର ଯୁବ ଖେଳାଳିଙ୍କୁ ପରାମର୍ଶ ଦେବାକୁ ଯାଇ ଶ୍ରୀ ସରକାର କହିଥିଲେ ଯେ ପ୍ରତ୍ୟେକ ଖେଳାଳି କଠିନ ପରିଶ୍ରମ କରିବା ସହ ମିଳୁଥିବା ସୁଯୋଗକୁ ଦୁଇ ହାତରେ ମାଡ଼ି ବସିବା ଦରକାର। ସୁଯୋଗର ସଦୁପଯୋଗ ହିଁ ବଡ଼ ଖେଳାଳିଙ୍କ ଲକ୍ଷ୍ୟଣ। ଏହି କ୍ରମରେ ସେ ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ତାରକା ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ଉଦାହରଣ ଦେଇଥିଲେ। ସଚିନ ଏବଂ କୋହଲିଙ୍କୁ ଖୁବକମ୍ ବୟସରେ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ଉଭୟ ଏହି ସୁଯୋଗରୁ ଜବରଦସ୍ତ ଲାଭ ଉଠାଇଥିଲେ। ଏହା ପରେ କଣ ହେଲା ଆପଣ ସମସ୍ତେ ଜାଣନ୍ତି। ବିରାଟ ଆଜି ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଆଉ ସଚିନ ଅତୁଳନୀୟ। ଶୃଙ୍ଖଳିତ ଜୀବନଚର୍ଯା, ଏକାଗ୍ରତା ଏବଂ କିଛି କରି ଦେଖାଇବାର ନିଶା କ୍ରୀଡ଼ାରେ ସଫଳ ହେବା ଲାଗି ଏକାନ୍ତ ଅପରିହାର୍ଯ୍ୟ। ସେହିଭଳି ଖେଳରେ ଶିକ୍ଷାର ମଧ୍ୟ ଢେର ମହତ୍ବ ରହିଛି। ଖେଳାଳି ଭାବେ ଜଣକୁ ଅବିରହ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। ଆଜି ଏବଂ ଆସନ୍ତାକାଲି ଆପଣ କଣ କରିବାକୁ ଯାଉଛନ୍ତି ତାର ଯୋଜନା କରିବା ଦରକାର।

କ୍ରୀଡ଼ା ଜୀବନର ଆଦ୍ୟ କିମ୍ବା ମଧ୍ୟପର୍ବ ହେଉ କେବେ ବି କୌଣସି ପ୍ରଲୋଭନର ଶିକାର ନହେବା ଲାଗି ଭେଙ୍ଗ ସରକାର ଏହି ଅବସରରେ ଯୁବ ଖେଳାଳିଙ୍କୁ ଆହ୍ବାନ କରିଥିଲେ। ବାରବାଟୀରେ ଖେଳିବାର ଅଭିଜ୍ଞତା ବର୍ଣ୍ଣନା କରିବାକୁ ଯାଇ ସେ କହିଥିଲେ ଯେ ବହୁତ କଠିନ ପରିଶ୍ରମ କରି ମୁଁ ଶତକ (୧୬୬) ଅର୍ଜନ କରିଥିଲି। ହେଲେ ଟେଷ୍ଟ କ୍ରିକେଟରେ ୩୦୦ ୱିକେଟ୍ ପୂରଣ କରିଥିବାରୁ ୧୯୮୭ ମସିହାର ସେହି ମ୍ୟାଚ୍‌ରେ କପିଳ ଦେବଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏକଥା ମୋତ ବହୁତ ବାଧିଥିଲା। ଓଡ଼ିଶା କ୍ରିକେଟ୍ ସଂଘର ସଂପାଦକ ବିଭୂତି ଦାଶ ଏକଥା ଜାଣି ମୋତେ ତାଙ୍କ ତରଫରୁ ଏକ ଟେଲିଭିଜନ ଉପହାର ଦେଇଥିଲେ। ଯାହା ମୋ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ।

ସମ୍ବନ୍ଧିତ ଖବର