ଏକନା ଷ୍ଟାଡିୟମର କାଚ କବାଟ ଭାଙ୍ଗିଲା:ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଗାଭାସ୍କର, ମଞ୍ଜରେକର

ଲକ୍ଷ୍ନୌ: ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ର ଠିକ୍ ପୂର୍ବରୁ ଲକ୍ଷ୍ନୌର ନବନିର୍ମିତ ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବାରୁ ଅଳ୍ପକେ ଟଳି ଯାଇଥିଲା। ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ଏବଂ ସଂଜୟ ମଞ୍ଜରେକର ମଧ୍ୟ ଗୁରୁତର ଆହତ ହେବାରୁ ବର୍ତି ଯାଇଥିଲେ। ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ଷ୍ଟାଡିୟମର କମେଟ୍ରି ବକ୍ସରେ ଲାଗିଥିବା ଏକ କାଚ କବାଟ ହଠାତ୍ ଭୁଶୁଡ଼ି ଯାଇଥିଲା। ମାତ୍ର କିଛି କ୍ଷଣ ପୂର୍ବରୁ ଗାଭାସ୍କର ଏବଂ ମଞ୍ଜରେକର ଏହି ବାଟ ଦେଇ କମେଟ୍ରି ବକ୍ସରେ ପ୍ରବେଶ କରିଥିଲେ। ଦୁଇ ଜଣ ଯାକ ଲୋକପ୍ରିୟ ତାରକା ଅକ୍ଷତ ରହିବା ଆୟୋଜକଙ୍କୁ ଆଶ୍ବସ୍ତ କରିଥିଲା। ହେଲେ ଗାଭାସ୍କର ଏବଂ ମଞ୍ଜରେକର ଏହି ଅବ୍ୟବ୍ୟସ୍ଥା ଲାଗି ତୀବ୍ର ଅସନ୍ତୋଷ ଜାହିର କରିଥିଲେ। କମେଟ୍ରି ବକ୍ସର ଏକ କାଚ କବାଟ ହଠାତ୍ ତାସ ଘର ଭଳି ଭାଙ୍ଗି ତଳେ ପଡ଼ିଯାଇଥିଲା। ହେଲେ ସୌଭାଗ୍ୟବଶତଃ ଏଥିରେ କେହି ଆହତ ହୋଇ ନଥିଲେ ବୋଲି ମଞ୍ଜରେକର ପରେ କହିଥିଲେ। ୨୪ ବର୍ଷ ପରେ ଲକ୍ଷ୍ନୌରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ହେଉଥିଲା ବେଳେ ବାଜପାୟୀ ଷ୍ଟାଡିୟମରେ ଯେମିତି ଆଜି କୌଣସି ଜିନିଷ ଠିକ୍ ନଥିଲା। ଆୟୋଜକଙ୍କ ଅନଭିଜ୍ଞତା ହିଁ ଏହାର ମୁଖ୍ୟ କାରଣ ଥିଲା। ଷ୍ଟାଡିୟମ ଏକ ଘରୋଇ ସମ୍ପତ୍ତି ହୋଇଥିବାରୁ ଉତ୍ତର ପ୍ରଦେଶ କ୍ରିକେଟ୍ ସଂଘର କର୍ମକର୍ତାମାନେ ଅସହାୟ ଭାବେ ସବୁକିଛି ଦେଖି ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ। ସୂଚନାଯୋଗ୍ୟ ଯେ ୫୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ୍ ମଙ୍ଗଳବାର ଭାରତର ୫୨ତମ ଅନ୍ତର୍ଜାତୀୟ ଷ୍ଟାଡିୟମ ହୋଇଥିଲା।

ସମ୍ବନ୍ଧିତ ଖବର