ଏଲିଟ୍‌-ପ୍ଲେଟ୍‌କୁ ଫେରିବ ରଣଜୀ!

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ଘରୋଇ କି୍ରିକେଟ୍‌ ପ୍ରତିଯୋଗିତା ରଣଜୀ ଟ୍ରଫି ୨୦୧୮-୧୯ ଋତୁରେ ପୁଣି ଥରେ ଏଲିଟ୍‌-ପ୍ଲେଟ୍‌ ପଦ୍ଧତିକୁ ଫେରିବା ନେଇ ଆଲୋଚନା ହୋଇଛି। ଗତ ଶୁକ୍ରବାର ନୂଆଦିଲ୍ଲୀରେ ଆହୂତ ବିସିସିଆଇର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ (ଏସ୍‌ଜିଏମ୍‌)ରେ ଏଭଳି ପ୍ରସ୍ତାବ ଆସିଥିଲେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ପୁନଃ ପ୍ରବେଶ କରିଥିବା ବିହାର ସହିତ ଅନ୍ୟ ନବାଗତ ଉତ୍ତର ପୂର୍ବ ରାଜ୍ୟଗୁଡିକୁ ନେଇ ପ୍ଲେଟ୍‌ ଗ୍ରୁପ୍‌ ଗଠନ କରିବା କଥା ବିଚାର କରାଯାଉଛି। ବର୍ତମାନର ରଣଜୀ ଦଳଗୁଡ଼ିକ ଏଲିଟ୍‌ ଗ୍ରୁପ୍‌ରେ ରହିବେ। ତେବେ ଏସଜିଏମ୍‌ର ଏଭଳି ପ୍ରସ୍ତାବକୁ ପ୍ରଶାସନିକ ସମିତି (ସିଓଏ) ଅନୁମୋଦନ ମିଳିନାହିଁ। ଏଲିଟ୍‌ ଗ୍ରୁପ୍‌ର ନିମ୍ନରେ ରହୁଥିବା ଦୁଇ ଦଳ ପ୍ଲେଟକୁ ଖସିବେ ଏବଂ ପ୍ଲେଟ୍‌ର ଶ୍ରେଷ୍ଠ ଦୁଇ ଦଳ ସୁପର୍‌ ଲିଗ୍‌ରେ ଖେଳିବାର ସୁଯୋଗ ପାଇବା ଭଳି ପ୍ରସ୍ତାବ ମଧ୍ୟ ଆଲୋଚିତ ହୋଇଛି।

ସୁପର୍‌ ଲିଗ୍‌ ଶେଷରେ ପ୍ଲେଟ୍‌ର ଶ୍ରେଷ୍ଠ ଦୁଇ ଦଳ ପରବର୍ତୀ ଋତୁରେ ଏଲିଟ୍‌ରେ ଖେଳିବେ। ଏହାର କାର୍ଯ୍ୟକାରିତା ନେଇ କୌଣସି କଥା ସ୍ପଷ୍ଟ କରାଇନଥିଲେ ମଧ୍ୟ ଏହାକୁ ପୁରୁଷ ଓ ମହିଳା କ୍ରିକେଟ୍‌ର ସମସ୍ତ ବୟସ ବର୍ଗରେ ଲାଗୁ କରାଯିବା ଯୋଜନା ରହିଛି। ଛତିଶଗଡ଼ର ଆଗମନ ପରେ ଗତ ୨ ଋତୁରେ ରଣଜୀ ଟ୍ରଫିରେ ମୋଟ ୨୮ ଦଳ ଖେଳୁଥିଲେ। ପୂର୍ବରୁ ଏଲିଟ୍‌-ପ୍ଲେଟ୍‌ ବ୍ୟବସ୍ଥା ଥିଲା। ୨୦୧୬-୧୭ରେ ମୋଟ ୨୮ ଦଳକୁ ୩ ଗ୍ରୁପ୍‌ (ଏ, ବି, ସି)ରେ ବିଭକ୍ତ କରାଯାଉଥିଲା। ନିରପେକ୍ଷ ପଡ଼ିଆରେ ଖେଳାଯିବା ବ୍ୟବସ୍ଥା କାରଣରୁ ଖେଳାଳିଙ୍କୁ ଅଧିକ ଯାତ୍ରା କରିବାକୁ ପଡ଼ିଥିଲା। ମ୍ୟାଚ୍‌ ମଝିରେ ମାତ୍ର ଗୋଟିଏ ଦିନ ବିଶ୍ରାମ ମିଳୁଥିଲା। ଏହାକୁ ବିରୋଧ କରିଥିଲେ ଖେଳାଳି। ୨୦୧୭-୧୮ ଋତୁରେ କିନ୍ତୁ ନିରପେକ୍ଷ ପଡ଼ିଆ ଏବଂ ଏଲିଟ୍‌-ପ୍ଲେଟ୍‌ ବ୍ୟବସ୍ଥାକୁ ହଟାଇ ଦିଆଯାଇଥିଲା। ୨୮ ଦଳକୁ ୪ ଗ୍ରୁପ୍‌ରେ ସମାନ ଭାବେ ବିଭକ୍ତ କରି ଖେଳାଯାଇଥିଲା। ରଣଜୀ ଟ୍ରଫିର ବର୍ତମାନର ଢ଼ାଞ୍ଚା ବ୍ୟତୀତ ରାଜ୍ୟ ସଂଘ ଦ୍ୱାରା ଆୟୋଜିତ ଟି-୨୦ରେ ଆଇପିଏଲ୍‌ ଚୁକ୍ତି ନଥିବା ବାହାର ଖେଳାଳିଙ୍କ ଅଂଶଗ୍ରହଣ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର